ଗାଁ କଳି ପାଇଁ ଜଳିଲା ଗାଡ଼ି : ସାଲେପୁର ନିକଟ ନରେନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସ ଗାଡ଼ି ଜାଳିଦେଲେ ଶହ ଶହ ଉତ୍ୟକ୍ତ ଲୋକ

488

କନକ ବ୍ୟୁରୋ : ସାମାନ୍ୟ ଘଟଣାକୁ ନେଇ ନେମାଳରେ ଉତ୍ତେଜନା । ରାସ୍ତା ଅବରୋଧ ସହ ବ୍ୟାପକ ପୋଡାଜଳା । ଝିମିଟି ଖେଳରୁ ମହାଭାରତ ଭଳି ଘଟଣା କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁରରେ ଦେଖିବାକୁ ମିଳିିଛି । ସାମାନ୍ୟ ସାଇଡ୍ ମରାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ହଜାର ହଜାର ଲୋକ ଏକାଠି ହୋଇ ରାସ୍ତା ଅବରୋଧ କରିବା ସହ ପୋଡ଼ାଜଳା କରିଛନ୍ତି । ନରେନ୍ଦ୍ରପୁର ପଂଚାୟତ କାକୁଡିଆପଡାରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟର ବସ୍ତିକୁ ବହୁ ସଂଖ୍ୟାରେ ଲୋକ ଘେରି ରହିଥିବା ସୂଚନା ମିଳିଛି । ଏହାପରେ ଘଟଣାସ୍ଥଳରେ ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନେମାଳ ଓ କିଷନ ନଗର ଥାନା ପୁଲିସ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ ଲାଗି ଉଦ୍ୟମ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରାସ୍ତାରେ ଯାଉଥିବା ବେଳେ ସାଇଡ୍ ମରାକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ଏହାପରେ ସେମାନଙ୍କ ମଧ୍ୟରୁ ଜଣେ କାକୁଡିଆପଦାରୁ ଆଉ କିଛି ଯୁବକଙ୍କୁ ଡାକି ଆଣି ବଚସା ଲାଗିଥିବା ଯୁବକଙ୍କ ଘରକୁ ଯାଇ ମାରପିଟ୍ କରିଥିଲା । ଏହି ମାରପିଟରେ ଜଣେ ମହିଳା ଓ ନାବାଳକ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ବଜରଙ୍ଗ ଦଳର କର୍ମୀ ରାସ୍ତା ଅବରୋଧ କରିବା ସହ ପୋଡାଜଳା କରିଛନ୍ତି । ପରିସ୍ଥିତି ଉତେଜନାପୂଣ୍ଣ ହେବାରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଏହି ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ସୂଚନା ମିଳିଛି।