ହାଇଦ୍ରାବାଦ ପୋଲିସର କାର୍ଯ୍ୟକୁ ସାଲ୍ୟୁଟ୍ କଲେ ମହିଳା । ପୋଲିସ ଉପରେ ଫୁଲ ବର୍ଷା କଲେ ଜନତା ।

314

କନକ ବ୍ୟୁରୋ: ପୋଲିସ ଉପରେ ଫୁଲ ବର୍ଷା… ଟିକେ ଭଲକରି ମନେ ପକାନ୍ତୁ, ଏଭଲି ଚିତ୍ର ଆପଣଙ୍କ ଆଖପାଖରେ କିମ୍ବା କୌଣସି ଗଣମାଧ୍ୟମରେ ପୂର୍ବରୁ କେବେ ଦେଖିଥିଲେ? ହୁଏତ କେବେ ଦେଖିନଥିବେ, ପୋଲିସ କର୍ମଚାରୀଙ୍କ ଉପରେ ଏଭଳି ଫୁଲ ବର୍ଷାର ଚିତ୍ର । ଏ ହେଉଛି ସେହି ବ୍ରିଜ, ଯେଉଁ ବ୍ରିଜ ତଳେ ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜୀଅନ୍ତା ଜାଳି ଦେଇଥିଲେ ୪ ଜଣ ନର ରାକ୍ଷସ ।

ଆଉ ଏ ହେଉଛି ସେହି ବ୍ରିଜ ଯାହା ନିକଟରେ ୪ ଜହ୍ଲାଦଙ୍କୁ ଏନକାଉଂଟର କରିଛି ସାଇବରାବାଦ ପୋଲିସ । ଲୋକଙ୍କ ଭିତରେ ଜଳୁଥିବା ପ୍ରତିଶୋଧର ନିଆଁ ପୋଲିସ ପ୍ରସମିତ କରିବା ପରେ ଛୁଟି ଆସିଛି ଶୁଭେଚ୍ଛାର ଶୁଅ । ଆଉ ପୋଲିସ ଉପରେ ହେଉଛି ଫୁଲ ବର୍ଷା । ତଦନ୍ତରେ ଅବହେଳା ଓ ଦୋଷୀଙ୍କୁ ଦଣ୍ଡ ଦେବାରେ ବିଳମ୍ବ କାରଣରୁ ଯେଉଁ ପୋଲିସକୁ ଦିନକ ଆଗରୁ ଗାଳି ଦେଉଥିଲେ ଲୋକେ ସେହି ପୋଲିସକୁ ଦେଇଛନ୍ତି ଫୁଲ ଉପହାର ।

ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ, ପୋଲିସ ଜିନ୍ଦାବାଦ ଓ ଭାରତ ମାତାକୀ ଜୟ ନାରାରେ ଫାଟି ପଡିଥିଲା ପୁରା ପରିବେଶ । ପ୍ରଥମଥର ପାଇଁ ଗୋଟିଏ ପୋଲିସ ଏନକାଉଂଟର, ସପକ୍ଷରେ ଶୁଣିବାକୁ ମିଳିିଲା ସ୍ୱର । କାରଣ ହାଇଦ୍ରାବାଦର ଜଘନ୍ୟ କାଣ୍ଡ ପାଇଁ ଲୋକଙ୍କ ଭିତରେ ଆକ୍ରୋଶ ଚରମରେ ପହଂଚିଥିଲା । ଦେଶର ବିଳମ୍ବିତ ନ୍ୟାୟ ବ୍ୟବସ୍ଥାରେ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ନେଇ ସନ୍ଦେହ ବଢୁଥିବାବେଳେ ଘଟଣାସ୍ଥଳରେ ହିଁ ଅଭିଯୁକ୍ତଙ୍କ ଫୈସଲା କରିସାରିଥିଲା ପୋଲିସ ।

ଏନକାଉଂଟର ସ୍ଥଳକୁ ପୋଲିସ କର୍ଡନ କରି ରଖିଥିବାବେଳେ ସେଠାରେ ପହଂଚି ଯାଇଥିଲେ ହଜାର ହଜାର ଲୋକ । ଦେଶର ଝିଅକୁ ନ୍ୟାୟ ଦେଇଥିବା କହି ପୋଲିସକୁ ପ୍ରଶଂସାରେ ପୋତି ପକାଇଥିଲେ ଲୋକେ । ଯୁବତୀଙ୍କ ଇଜ୍ଜତ ସହ ଖେଳିଥିବା ଜହ୍ଲାଦଙ୍କୁ ଉଚିତ ଶାସ୍ତି ଦେଇଥିବାରୁ ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ ହାତରେ ବାନ୍ଧିଥିଲେ ରାକ୍ଷୀ । ପୋଲିସ ହାତରେ ସ୍ଥାନୀୟ ମହିଳାଙ୍କ ରାକ୍ଷୀ ବାନ୍ଧିବାର ଏହି ବିରଳ ଚିତ୍ର ଟିଭି ପରଦାରେ ଦେଖୁଥିବା କୋଟି କୋଟି ଦର୍ଶକଙ୍କ ମନରେ ତିଆରି କରିଥିଲା ଏକ ଭାବବିହ୍ୱଳ ମୁହୂର୍ତ ।

ହାଇଦ୍ରାବାଦ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କଲାବେଳେ ପୋଲିସ ଅବହେଳାକୁ ଦାୟୀ କରି ପ୍ରବଳ ବର୍ଷିଥିଲେ ପ୍ରତିବାଦକାରୀ । ହେଲେ ଗୋଟିଏ ଝଟକାରେ ସମସ୍ତଙ୍କ ମନ ବଦଳାଇ ଦେଇଥିଲା ସାଇବରାବାଦ ପୋଲିସ । କାହିଁକି ଏନକାଉଂଟର ହେଲା? ମାନବାଧିକାରର ଉଲ୍ଲଂଘନ ହୋଇଛି କି ନାହିଁ? ସେ ସବୁ ପଛକଥା, ତଦନ୍ତ ହେବ । କିନ୍ତୁ ପୋଲିସ କର୍ମଚାରୀଙ୍କୁ ମିଠା ଖୁଆଇଲାବେଳେ ଲୋକଙ୍କ ଭିତରେ ଯେଉଁ ଆତ୍ମସନ୍ତୋଷ ଥିଲା ତାହା ସ୍ପଷ୍ଟ ବାରି ହୋଇପଡିଛି ।