ଭାରତ-ପାକ୍ ମଧ୍ୟରେ ଅଶାନ୍ତି : ଏଲଓସି ପାଖରେ ରହୁଥିବା ଲୋକ ବଖାଣିଲେ ନିଜ ଦୁଃଖ । କହିଲେ, ଏକା ଥରକେ କାହିଁକି ମାରିଦେଉନାହାଁନ୍ତି

312

ଦୁଇ ସପ୍ତାହ ହେଲାଣି ଭାରତ-ପାକ୍ ମଧ୍ୟରେ ଅଶାନ୍ତି ଲାଗି ରହିଛି । ଫେବୃଆରୀ ୧୪ରେ ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଭାରତର ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଯାହା ପରେ ଭାରତ-ପାକ୍ ମଧ୍ୟରେ ଯୁଦ୍ଧର ସ୍ଥିତି ଉପୁଜିଥିଲା । ଭାରତୀୟ ବାୟୁସେନା ୪୦ଜଣ ଯବାନଙ୍କ ମୃତ୍ୟୁର ଜବାବ ଏୟାର ଷ୍ଟ୍ରାଇକ୍ କରି ଦେବା ସହ ୩୦୦ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଏହି ଘଟଣା ପରେ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଯିବା ସହ ଭାରତ-ପାକ୍ ସୀମାରେ ବାରମ୍ବାର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରାଯାଉଥିବା ଦେଖାଯାଇଛି ।

ଦୁଇ ଦେଶ ମଧ୍ୟ ଗୁଳି ବିନିମୟ ଚାଲିଥିବାବେଳେ ଏହାର ପ୍ରଭାବ ନିୟନ୍ତ୍ରଣ ରେଖା ପାଖରେ ରହୁଥିବା ଲୋକମାନଙ୍କ ଉପରେ ପଢ଼ୁଥିବା ଦେଖା ଯାଇଛି । ପୁଞ୍ଚରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଗୋଟେ ପରିବାରର ୩ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ରଖମତ୍ ବିବି ନାମକ ଜଣେ ବୃଦ୍ଧା ନିଜ ବୋହୁ ଏବଂ ନାତି ନାତୁଣୀଙ୍କୁ ହରାଇ ଏବେ ମୃତ୍ୟୁର ଭିକ୍ଷା ମାଗିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ଭାରତ-ପାକ୍ ମଧ୍ୟରେ ଗୁଳିବର୍ଷା ଆରମ୍ଭ ହୋଇଥିବା ବେଳେ ନିୟନ୍ତ୍ରଣ ରେଖା ପାଖରେ ରହୁଥିବା ରଖମତଙ୍କ ପରିବାର ଉପରେ ଏହାର ଗଭୀର ପଡ଼ିଛି । ଶୁକ୍ରବାର ନିୟନ୍ତ୍ରଣ ରେଖାରେ ଗୁଳି ବର୍ଷା ଅଧିକ ବଢ଼ିଯିବା ସହ ବୋମା ବିସ୍ଫୋରଣ ମଧ୍ୟ ହୋଇଥିଲା । ଏହି ସମୟରେ ଗୋଟେ ବୋମା ଆସି ରଖମତଙ୍କ ଘର ଉପରେ ପଡ଼ିବା ପରେ ବିସ୍ଫୋରଣରେ ତାଙ୍କ ବୋହୁ, ନାତି ଏବଂ ନାତୁଣି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ରଖମତଙ୍କ ପୁଅକୁ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ସେ ଏବେ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି । ଏତେ ସବୁ ହେବା ପରେ ମଧ୍ୟ ରଖମତ୍ ନିଜ ଭଙ୍ଗା ଘରକୁ ଛାଡ଼ି ଯିବାକୁ ରାଜି ନାହାନ୍ତି । ସେ ନିଜ ଘରେ ହିଁ ମରିବାକୁ ଚାହାନ୍ତି ବୋଲି କହିଛନ୍ତି । ପ୍ରତିଦିନ ଡ଼ରାଇ ଡ଼ରାଇ ମାରିବା ଅପେକ୍ଷା ଏକା ଥରକେ ଆମକୁ କ’ଣ ପାଇଁ ମାରି ଦେଉ ନାହାନ୍ତି ବୋଲି କହିଛନ୍ତି ରଖମତ୍ ।