ଟିକେଟ୍ ପାଇଁ ଟେନସନ। ନବୀନ ନିବାସରେ ଜମୁଛି ଆଶାୟୀଙ୍କ ଭିଡ। କାହାକୁ ମିଳିବ ଟିକେଟ୍, କାହାର କଟିବ ଦ୍ୱନ୍ଦ୍ୱରେ ନେତା

143

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ସମୟ ଯେତିକି ପାଖେଇ ଆସୁଛି ନେତାଙ୍କ ଭିତରେ ଉକ୍ରଣ୍ଠା ସେତିକି ବଢିବାରେ ଲାଗିଛି । କାହାକୁ ମିଳିବ ଟିକେଟ୍, କାହାର କଟିବ ତାକୁ ନେଇ ଆଶା ଆଶଙ୍କା ଲାଗିରହିଛି । ଆଉ ଏହାରି ଭିତରେ ନବୀନ ନିବାସରେ ଆସି ବିଜେଡି ସୁପ୍ରିମୋଙ୍କୁ ଭେଟୁଛନ୍ତି ଆଶାୟୀ ପ୍ରାର୍ଥୀ । ପୁଣି ଥରେ ସୁଯୋଗ ଦେବା ପାଇଁ ବିଧାୟକ ଓ ସାସଂଦ ଲବି କରୁଥିବା ବେଳେ ନିଜ କ୍ଷେତ୍ରରେ ଲୋକପ୍ରିୟତାକୁ ଆଧାର କରି ଟିକେଟ୍ ମାଗୁଛନ୍ତି ନୂଆ ପୁରୁଣା ମୁହଁ ।

ନବୀନ ନିବାସରେ ଆଜିର ଚିତ୍ର । ଆଜି ମଧ୍ୟ ଟିକେଟ ଆଶାୟୀଙ୍କ ଲାଗିରହିଥିଲା ପ୍ରବଳ ଭିଡ । ନେତାଙ୍କ ଭିତରେ ଉତ୍ସାହ ଆଉ ଉକ୍ରଣ୍ଠା । ଟିକେଟ ମି ଳିବ କାହାକୁ ଆଉ କାହାର କଟିବ ଟିକେଟ, ଦ୍ୱନ୍ଦ୍ୱରେ ଆଶାୟୀ ପ୍ରାର୍ଥୀ । ବିଜେଡିର ସବୋର୍ଚ୍ଚ କ୍ଷମତା କେନ୍ଦ୍ର ନିକଟରେ ବାୟୋଡାଟା ଧରି ପହଂଚିଥିଲେ ନେତା । ସେମାନଙ୍କ ମଧ୍ୟରେ ଅଛନ୍ତି କିଛି ହେବିୱେଟ ।

ବସ୍ତା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଋଘୁନାଥ ମହାନ୍ତି ନବୀନ ନିବାସରେ ଭେଟିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ । ବର୍ଷା ସୋନି ବିବାଦରେ ଛନ୍ଦି ହୋଇପଡିଥିବା ରଘୁନାଥ ୨୦୧୪ ନିର୍ବାଚନରେ ଲଢିନଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରଖାଯାଇଥିଲା ରଘୁନାଥଙ୍କୁ । ଏବେ ସେ ବସ୍ତା ଆସନ ପାଇଁ ଦାବିଦାର । ଦଳର ମୁଖିଆଙ୍କୁ ଭେଟିବା ପରେ ରଘୁନାଥ କହିଛନ୍ତି ସେ ଜଣେ ଶୃଙ୍ଖଳିତ କର୍ମୀ । ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ ତୁଲାଇବେ ।

ନବୀନ ନିବାସରେ ଟିକେଟ ଲବି ପାଇଁ ଆଜି ମଧ୍ୟ ପହଂଚିଥିଲେ ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ଜେନା । ହେଲେ ଆଜି ଫୋରହ୍ୱିଲର ନୁହେଁ ବାଇକରେ ଯାଇଥିଲେ ଅନନ୍ତ । ଅନ୍ୟମାନଙ୍କ ଦୃଷ୍ଟିରୁ ଆଡେଇ ଯିବା ପାଇଁ ହେଲମେଟ ମଧ୍ୟ ପିନ୍ଧିଥିଲେ । ଭୁବନେଶ୍ୱର ଉତର ବିଧାୟକ ପାଇଁ ଟିକେଟ ଆଶାୟୀ ଅନନ୍ତ । ନିକଟରେ ବିଡିଏ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା ଅନନ୍ତଙ୍କୁ । ଏପରିକି ବିଜେଡି ସାଧାରଣ ସମ୍ପାଦକ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ଭଳି ଗୁରୁ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ଅନନ୍ତଙ୍କୁ । ତେବେ ଏଥିରେ ସନ୍ତୁଷ୍ଟ ନାହାନ୍ତି ଭୁବନେଶ୍ୱରର ପୂର୍ବତନ ମେୟର ।

ଅନ୍ୟପକ୍ଷରେ ପାୱାର କରିଡରର ପାୱାରଫୁଲ ନେତା ଶଶିଭୂଷଣ ବେହେରା ଜୟଦେବ ଆସନରୁ ଲଢିବା ପାଇଁ ଯୋଜନା କରୁଛନ୍ତି । ଅର୍ଥ , ଅବକାରୀ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଥିବା ଶଶିଙ୍କ ଜୟଦେବ ରିପୋର୍ଟ କାର୍ଡ ସେତେଟା ଭଲ ନଥିବା ଚର୍ଚ୍ଚା ହେଉଛି । ତେଣୁ ଶଶିଙ୍କୁ ନିଆଳି ଆସନରେ ଥଇଥାନ କରିବା ପାଇଁ ଜୋର ଧରିଛି ଆଲୋଚନା । ଏହାରି ଭିତରେ ନବୀନଙ୍କୁ ଭେଟି ଟିକେଟ ପାଇଁ ଆଶାୟୀ ଥିବା କଥା ଜଣାଇଛନ୍ତି ମନ୍ତ୍ରୀ ଶଶି ବେହେରା । ତେବେ ନିର୍ବାଚନ ତାରିଖ ଯେତିକି ପାଖଉଛି, ନେତାଙ୍କ ଛାତିରେ ସେତିକି ଛନକା ପଶୁଛି । ଦେଖିବାର କଥା ବିଜେଡି ସୁପ୍ରିମୋ କାହା ଉପରେ ଭରସା କରୁଛନ୍ତି ଆଉ ଟିକେଟ ଦେଉଛନ୍ତି ।