ରାଜ୍ୟର ବିକାଶ ଉପରେ ପ୍ରଶ୍ନ ! ଓଡ଼ିଶାର ୯୦ ପ୍ରତିଶତରୁ ଅଧିକ ଚାଷୀ ପରିବାର ଋଣଗ୍ରସ୍ତ

74

କନକ ବ୍ୟୁରୋ : ଓଡ଼ିଶାର ୯୦ ପ୍ରତିଶତରୁ ଅଧିକ ଚାଷୀ ପରିବାର ଋଣଗ୍ରସ୍ତ । ସେମାନେ ବିଭିନ୍ନ ବ୍ୟାଙ୍କ, ସମବାୟ ସଂସ୍ଥା ଓ ସରକାରଙ୍କଠାରୁ ଚାଷ ପାଇଁ ଋଣ ନେଇଛନ୍ତିି । କିନ୍ତୁ ଚାଷରୁ ଯେତିକି ଆୟ କରୁଛନ୍ତିି ସେଥିରୁ ପରିବାର ପ୍ରତିପୋଷଣ କରିବା ପରେ ଋଣ ପରିଶୋଧ କରିବାକୁ ନିଅଣ୍ଟ ହେଉଛି । ସେଥିପାଇଁ ଅନେକ ସମୟରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ଘଟୁଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଋଣବୋଝ ୯୨ ହଜାର କୋଟିରୁ ଅଧିକ ହେଲାଣି । ସରକାର ଯୋଜନା ପରେ ଯୋଜନା ଘୋଷଣା କରିବାରେ ଲାଗିଥିବା ବେଳେ ଜନସାଧାରଣଙ୍କ ପ୍ରକୃତ ସମସ୍ୟାର ସମାଧାନ ପାଇଁ ତିଳେମାତ୍ର ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତିି ।

ଏକ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତିି, ଜାତୀୟ କୃଷି ଓ ଗ୍ରାମ୍ୟ ବିକାଶ ବ୍ୟାଙ୍କ(ନାବାର୍ଡ)ର ରିପୋର୍ଟ ଅନୁଯାୟୀ ରାଜ୍ୟର ୫୪ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ । କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ। ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ ପରିବାର ଋଣ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ସମବାୟ କିମ୍ବା ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇଛନ୍ତି । ଏହା ବାଦ୍‌ ଆଉ କିଛି ଚାଷୀ ସେମାନଙ୍କର ସଂପର୍କୀୟ, ବନ୍ଧୁବାନ୍ଧବ ଓ ସରକାରଙ୍କଠାରୁ ଋଣ ନେଇଛନ୍ତିି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଋଣ ଅର୍ଥ ପରିଶୋଧ କରିପାରୁନାହାନ୍ତି । ସାହୁକାରଙ୍କଠାରୁ ହାତଉଧାରି କରିଥିବା ଚାଷୀମାନେ ନାନା ନିର୍ଯାତନାର ଶିକାର ହେଉଛନ୍ତି। ଚାଷ ପାଇଁ ଉଚିତ ସମୟରେ ବିହନ, ସାର, କୀଟନାଶକ ମିଳୁନଥିବା ବେଳେ ଫସଲର ଉଚିତ ମୂଲ୍ୟ ବି ମିଳୁନାହିଁ । ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣ ପାଇଁ ସରକାର କିଛି ପଦକ୍ଷେପ ନେଉନାହାନ୍ତି । ସେହି ଦ୍ରବ୍ୟ ସାଇତି ରଖିବାକୁ ଶୀତଳ ଭଣ୍ଡାର ବି ନାହିଁ ।

ପିସିସି ସଭାପତି କହିଛନ୍ତି ଯେ ଏଭଳି ବିଭିନ୍ନ କାରଣରୁ ଗ୍ରାମାଞ୍ଚଳରେ ଅନେକ ଚାଷଜମି ପଡ଼ିଆ ପଡ଼ିଛି । ସେଥିପ୍ରତି ସରକାରଙ୍କ ନଜର ନାହିଁ । କେବଳ ଯୋଜନାମାନ ଘୋଷଣା କରି ଗଣମାଧ୍ୟମରେ ବିବୃତି ଦେଇ ସରକାର ଆତ୍ମସନ୍ତୋଷ ଲାଭ କରୁଛନ୍ତି । ରାଜ୍ୟର ଋଣବୋଝ ପ୍ରାୟ ୯୨ ହଜାର କୋଟିରେ ପହଞ୍ଚିଲାଣି । ଏହା ରାଜ୍ୟର ମୋଟି ଘରୋଇ ଉତ୍ପାଦନ(ଜିଏସ୍‌ଡିପି)ର ପାଖାପାଖି ୨୦.୭୩ ପ୍ରତିଶତ । ଏ ନେଇ ଏକ ତୁଳନାତ୍ମକ ଚିତ୍ର ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ୨୦୦୯-୧୦ରେ ରାଜ୍ୟର ଋଣଭାର ୩୭୭୩୦ କୋଟି ଥିବା ବେଳେ ୨୦୧୪-୧୫ରେ ତାହା ୪୩୨୭୩ କୋଟିକୁ ବୃଦ୍ଧି ପାଇଥିଲା। ଏବେ ତାହା ୯୨ ହଜାର କୋଟିରେ ପହଞ୍ଚିଛି ।