ଆଜି ଯାଜପୁରରେ ଗ୍ୟାସ୍ ପାଇପ୍ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

31

କନକ ବ୍ୟୁରୋ :  ରୋଷେଇ ଘରେ ଟ୍ୟାପ ଖୋଲିଲେ ମିଳିବ ରନ୍ଧନ ଗ୍ୟାସ । ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପାରାଦୀପ ଓ ଅନୁଗୁଳରେ ଏହି ସୁବିଧା ଉପଲବ୍ଧ ହେବ । କଟକ-ଭୁବନେଶ୍ୱରର ଅଢେଇ ଲକ୍ଷ ଘରକୁ ଗ୍ୟାସ ପହଁଚାଇବା ଲକ୍ଷ୍ୟ ରଖାଯାଇଛି । ଆଜି ଏ ନେଇ ଯାଜପୁର ଜିଲ୍ଲା ହରିପୁର ପଂଚାୟତରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧାମରାରୁ ଅନୁଗୁଳକୁ ୩୬ ଇଂଚିଆ ମୁଖ୍ୟ ପାଇପ୍ ଲାଇନ୍ ସଂଯୋଗ କରାଯିବ । ଧାମରାରେ ନିର୍ମାଣ ହେଉଛି ୬୦୦୦ କୋଟି ଟଙ୍କାର ଏଲଏନଜି ବା ତରଳ ପ୍ରାକୃତିକ ଗ୍ୟାସ ଟରମିନାଲ । ଆମେରିକା, ଅଷ୍ଟ୍ରେଲିଆ ଓ କାତାରରୁ ଆସିବ ତରଳ ଇନ୍ଧନ । ଧାମରାରେ ଇନ୍ଧନ ଗ୍ୟାସରେ ପରିଣତ ହେବା ପରେ ପାଇପ୍ ଲାଇନରେ ବୋକାରୋ ଦେଇ ଆହ୍ଲାବାଦ ଏବଂ ବାଙ୍ଗାଦେଶ ସୀମା ପର୍ଯ୍ୟନ୍ତ ଯିବ । ଏଥିପାଇଁ ଅଢେଇ ହଜାର କିଲୋମିଟର ପାଇପ୍ ଲାଇନ ବିଛାହେବ।

ପ୍ରଥମ ପର୍ଯ୍ୟାୟରେ ୩୬ ଇଂଚିଆ ମୁଖ୍ୟ ଲାଇନ୍ ସହ ଯାଜପୁରରୁ କଟକ-ଭୁବନେଶ୍ୱରକୁ ୧୨ ଇଂଚିଆ ପାଇପ୍ ଲାଇନ୍ ଏବଂ ଯାଜପୁରରୁ ପାରାଦୀପ ପର୍ଯ୍ୟନ୍ତ ପାଇପ୍ ଲାଇନ୍ର ଶୁଭାରମ୍ଭ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପରବର୍ତୀ ପର୍ଯ୍ୟାୟରେ ୧୦ଟି ଜିଲ୍ଲା ଏବଂ ପ୍ରମୁଖ ଶିଳ୍ପାଂଚଳକୁ ଇନ୍ଧନ ଯୋଗାଇବା ପାଇଁ ପାଇପ୍ ଲାଇନ୍ ବିଛାହେବ । ଉଦଘାଟନ୍ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରୀତିରଂଜନ ଘଡାଇଙ୍କ ସହ ଗେଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନା ଅଧିନରେ ଗେଲ୍ ଇଣ୍ଡିଆ ପକ୍ଷରୁ ପାଇନ୍ ଲାଇନ୍ ବିଛାଇବା କାର୍ଯ୍ୟ ଆରମ୍ଭ ହୋଇଛି । ଘରକୁ ଇନ୍ଧନ ଯୋଗାଇବା ଏବଂ କଳ କାରଖାନାକୁ ଉନ୍ନତ ମାନର ଇନ୍ଧନ ଯୋଗାଇବା ଲକ୍ଷ୍ୟ ରଖାଯାଇଛି ।