ପ୍ରେମିକା ସାମ୍ନାରେ ଆତ୍ମହତ୍ୟାର ସିଧା ପ୍ରସାରଣ ! ଭିଡିଓ କଲିଂ ସମୟରେ ଯୁକ୍ତିତର୍କ ହେବାରୁ ବେଡ଼ସିଟ୍ ଲଗାଇ ସିଲିଂ ଫ୍ୟାନରେ ଝୁଲି ପଡ଼ିଲେ ପ୍ରେମିକ
କନକ ବ୍ୟୁରୋ : ଆଜିକାଲି ସୋସିଆଲ ମିଡ଼ିଆ ଯେତିକି ସାହାଯ୍ୟ କରୁଛି, ଜୀବନକୁ ସେତିକି ବିପଦରେ ମଧ୍ୟ ପକାଉଛି । ଯୁଗଗୋଷ୍ଠୀ ଅଧିକରୁ ଅଧିଳ ସମୟ ସୋସିଆଲ ସାଇଟ୍ ବ୍ୟବହାର କରିବାରେ ବିତାଉଛନ୍ତି । ଯଦ୍ୱାରା ଯୁବଗୋଷ୍ଠୀ ବିଷାଦର ଶିକାର ହେଉଛନ୍ତି । ତେବେ ଏବେ ସୋସିଆଲ ମିଡ଼ିଆରେ ଲାଇଭ୍ କରି ଆତ୍ମହତ୍ୟା କରିବାର ଘଟଣା ବହୁତ ବଢ଼ିବାରେ ଲାଗିଛି । ପୁଣି ଏପରି ଏକ ଘଟଣା ଘଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନିଜ ପ୍ରେମିକାଙ୍କୁ ‘ଲାଇଭ୍ ସୁଇସାଇଡ୍’ ବା ‘ଆତ୍ମହତ୍ୟାର ସିଧା ପ୍ରସାରଣ’ ଦେଖାଇଛନ୍ତି ଜଣେ ଯୁବକ । ଭିଡିଓ କଲିଂ ସମୟରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଯୁବକ ଜଣକ ବେଡ଼ସିଟ୍ ଲଗାଇ ସିଲିଂ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ହେଉଛନ୍ତି ପାରାଦୀପର ମଧୁବନ କଲୋନିର ସିଦ୍ଧାର୍ଥ କୁମାର ମାଝୀ ଓରଫ କୁନା । ସିଦ୍ଧାର୍ଥ ସାହାରା ଇଣ୍ଡିଆ କମ୍ପାନିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଜଗତସିଂହପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ସେ ଭଲ ପାଉଥିଲେ ।
ଗତକାଲି ସଂଧ୍ୟାରେ ସିଦ୍ଧାର୍ଥଙ୍କର କୌଣସି କାରଣରୁ ନିଜ ପ୍ରେମିକାଙ୍କ ସହ ମନାନ୍ତର ଓ ଯୁକ୍ତିତର୍କ ହୋଇଥିଲା । ଏହାପରେ ବିଳମ୍ବିତ ରାତିରେ ସେ ଯୁବତୀଙ୍କୁ ଫୋନ୍ କରିବା ସହ ‘ଆଜି ଆତ୍ମହତ୍ୟା କରିଦେବି’ ବୋଲି କହିଥିଲେ । ଯୁବତୀଜଣକ ପ୍ରଥମେ ଏହାକୁ ମିଛ ଧମକ ବୋଲି ଭାବି ବିଶେଷ ଗୁରୁତ୍ଵ ଦେଇ ନଥିଲେ। ମାତ୍ର ସିଦ୍ଧାର୍ଥ ଜିଦ୍ କରୁଥିବା ଦେଖି ଯୁବତୀ ସେମାନଙ୍କର ଜଣେ ବନ୍ଧୁଙ୍କୁ ଫୋନ୍ରେ ସବୁ କଥା ଜଣାଇବା ସହ ତୁରନ୍ତ ମଧୁବନସ୍ଥିତ ସିଦ୍ଧାର୍ଥଙ୍କ ଘରକୁ ଯିବାକୁ କହିଥିଲେ । ସେ ତୁରନ୍ତ ସିଦ୍ଧାର୍ଥଙ୍କ ଘର ନିକଟରେ ପହଞ୍ଚି କବାଟ ବାଡ଼େଇ ଡାକିଥିଲେ । ସିଦ୍ଧାର୍ଥଙ୍କ ବଡ଼ ଭାଇ କବାଟ ଖୋଲିବାରୁ ସେ ତାଙ୍କୁ ସବୁ କଥା କହିଥିଲେ । କବାଟ ତାଡ଼ି ଦେଖିବା ବେଳକୁ ସିଲିଂ ଫ୍ୟାନ୍ରେ ସିଦ୍ଧାର୍ଥଙ୍କ ଓହଳିଥିବା ଦେଖିବାକୁ ପାଇଥିଲେ । ସେମାନେ ତାଙ୍କୁ ତୁରନ୍ତ ତଳକୁ ଆଣି ହସ୍ପିଟାଲକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।