ଦେବଦୂତ ସାଜିଲେ ଆଦ୍ୟାଷା! କୁମ୍ପି ଭାଙ୍ଗି ଦୁର୍ଘଟଣାଗ୍ରସ୍ଥ ଛାତ୍ରୀଙ୍କ ଚିକିତ୍ସା ପାଇଁ ଦେଲେ ୧୧,୫୦୦ ଟଙ୍କା ।

72

କନକ ବ୍ୟୁରୋ : କଥାରେ କୁହାଯାଏ ଶିଶୁ ହେଉଛନ୍ତି ଭଗବାନଙ୍କ ଅବତାର । ଛନ୍ଦ,କପଟ,ଭେଦଭାବରୁ ଉର୍ଦ୍ଧରେ ଯାହାଙ୍କ ସ୍ଥିତି । ଏହି ଲୋକକଥାକୁ ଏବେ ପ୍ରମାଣିତ କରିଦେଇଛନ୍ତି କୁନି ଆଦ୍ୟାଷା । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଏହି କୁନି ଝିଅଟିର ସହୃଦୟତାର କାର୍ଯ୍ୟକୁ ଶୁଣିଲେ ଆପଣ ମଧ୍ୟ ବାଃ ବାଃ କରି ଉଠିବେ। ନିକଟରେ ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡଦାଣ୍ଡ ଗ୍ରାମର ମାନସୀ ତରେଇ ନାମ୍ନୀ ଜଣେ ଝିଅ କଲେଜକୁ ଯିବା ସମୟରେ ଦୁର୍ଘଟଣାର ଶିକରେ ହୋଇଥିଲେ । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ମାନସୀଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ଜିନୁ ପଲେଇ ମାନସୀ ଏବଂ ତାଙ୍କ ପରିବାରର ଏଭଳି ଅବସ୍ଥା ଦେଖି ସୋସିଆଲ ମିଡିଆ ଜରିଆରେ ଏ ସଂପର୍କରେ ସହାୟତା କରିବାକୁ ଅନୁରୋଧ କରିଥିଲେ । ଏହି ଖବର ଝଡ ପରି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଚାରିଆଡୁ ଝିଅଟିର ସହାୟତା ପାଇଁ ହାତ ବଢିଥିଲା । ସେତେବେଳେ ବାପାଙ୍କ ସହ ଫେସବୁକ୍ ଦେଖୁଥିବା କୁନି ଝିଅ ଆଦ୍ୟାଷା ମଧ୍ୟ ମାନସୀଙ୍କ ଏଭଳି ଅବସ୍ଥା ଦେଖି ବାପାଙ୍କୁ କହିଥିଲେ, “ବାବା ଦିଦିଙ୍କ ପାଖରେ ପଇସା ନାହିଁ ମୁଁ ତାଙ୍କୁ ପଇସା ଦେବି ।” କୁନି ଆଦ୍ୟାଷାର ଏଭଳି କଥା ଶୁଣି ବାପା ରାଧାକାନ୍ତ ହୋତା ପଚାରିଲେ, “ଟଙ୍କା କେଉଁଠୁ ଆଣିବୁ”? ପ୍ରତ୍ୟୁତ୍ତରରେ , ସେ ବର୍ଷରୁ ସଞ୍ଚୟ କରିଆସୁଥିବା ପକେଟ ମନିର ଏକ କୁମ୍ପିକୁ ଇସାରା କରି କହିଲେ “ତାକୁ ଭାଙ୍ଗିଦେବି” । ଝିଅର ଏଭଳି କଥା ଶୁଣି ବାପାଙ୍କ ମନ କୁଣ୍ଢେମୋଟ ହୋଇଗଲା ସଙ୍ଗେ ସଙ୍ଗେ ଜିନୁଙ୍କୁ ସେ ଘରକୁ ଡକାଇଲେ ଏବଂ କୁମ୍ପିରେ ଥିବା ୧୧,୫୦୦ ଟଙ୍କାକୁ ଆଦ୍ୟାଷା ଜିନୁଙ୍କ ହାତରେ ଥମାଇଦେଲେ । ରେଜା ପଇସାର ଏକ ପୁଟୁଳି ବାନ୍ଧି “ଫର୍ ୟୁ ମାନସୀ ଦିଦି” ଲେଖିଦେଲେ ଏହି କୁନି ଝିଅଟି ।

ସ୍ୱଳ୍ପ ଟଙ୍କା ହେଲେ ମଧ୍ୟ ଏହା ମାନସୀଙ୍କ ଚିକିତ୍ସାରେ ଲାଗିଛି । କିନ୍ତୁ ଏହି ଛୋଟ ଝିଅଟିର ମହାନତା ଦୁନିଆକୁ ଏକ ମାନବିକତାର ଏକ ଉଦାହରଣ ଦେଇଛି । ସୁଚନାନୁସାରେ ରାଧାକାନ୍ତ ହୋତା ଏବଂ ସନ୍ତୋଷିନୀ ହୋତାଙ୍କ ସୁକନ୍ୟା ହେଉଛନ୍ତି ଆଦ୍ୟାଷା ହୋତା । ମାନସୀଙ୍କ ଚିକିତ୍ସା ସକାଶେ ବହୁ ସଦୃଦୟ ବ୍ୟକ୍ତି ଆଗକୁ ଆସିଛନ୍ତି ।