ହଜିଗଲା ବାଣୀବିହାର ! ଦେଶର ଶ୍ରେଷ୍ଠ ୧୦୦ରେ ସ୍ଥାନ ପାଇଲାନି ଗୋଟିଏ ବି ସରକାରୀ ବିଶ୍ୱବିଦ୍ୟାଳୟ

42

କନକ ବ୍ୟୁରୋ : ଶିକ୍ଷାର ଗୁଣାତ୍ମକ ଓ ଗବେଶଣାତ୍ମକ ସଫଳତା ଦୃଷ୍ଟି କୋଣରୁ ପ୍ରସ୍ତୁତ ହୋଇଛି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା । ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନକୁ ନେଇ ତାଲିକା ପ୍ରସ୍ତୁତ କରିଛି କେନ୍ଦ୍ର ମାନକ ସମ୍ବଳ ବିକାଶମନ୍ତ୍ରାଳୟ । ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ ଶିକ୍ଷାନୁଷ୍ଠାନ, ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନ, ଏବଂ ଫାର୍ମାସି ଆଦି ବର୍ଗରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଘରୋଇ ବିଶ୍ୱବିଦ୍ୟାଳୟ ସାମିଲ ହୋଇଥିବାବେଳେ ହଜିଯାଇଛି ଓଡ଼ିଶାର ସର୍ବପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟ ।

ତାଲିକାରେ ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟକୁ ସ୍ଥାନ ମିଳିଛି । ୩୩ନମ୍ବରରେ ରହିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ । ୪୬ନମ୍ବରରେ ରହିଛି ରାଉରକେଲା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି ବା ଏନ୍ଆଇଟି । ସେହିପରି ଆଇଆଇଟି ଭୁବନେଶ୍ୱର ୬୬ତମ ସ୍ଥାନ ପାଇଥିବାବେଳେ କିଟ୍ ରହିଛି ୭୯ତମ ସ୍ଥାନରେ ।

୨୦୧୬ର ଅନୁରୂପ ତାଲିକାରେ ବାଣୀବିହାରକୁ ସ୍ଥାନ ନମିଳିବାପରେ କର୍ତ୍ତୃପକ୍ଷ କହିଥିଲେ ଠିକ୍ ସମୟରେ କାଗଜ ପତ୍ର ପ୍ରସ୍ତୁତ ନହୋଇ ପାରିବାରୁ ତାଲିକାରେ ନାଁ ଆସିପାରିଲାନାହିଁ । ଏଥର ୨୦୧୭ର ତାଲିକା ପରେ କୂଳପତି ଅଶୋକ ଦାସ କହିଛନ୍ତି ଏହା ତାଙ୍କୁ ନିରାଶ କରିଛି ।

ସେହିପରି ଶ୍ରେଷ୍ଠ ଇଂଜିନିୟରି କଲେଜ ତାଲିକାରେ ଓଡ଼ିଶାର ୪ଟି କଲେଜ ସ୍ଥାନ ପାଇଛି । ଏନ୍ଆଇଟି ରାଉରକେଲାକୁ ମିଳିଛି ୧୨ତମ ସ୍ଥାନ । ଏହି ତାଲିକାରେ ଆଇଆଇଟି ଭୁବନେଶ୍ୱର ୧୮ ନମ୍ବରରେ, କିଟ୍ ୪୭ ଓ ସିଭି ରମଣ କଲେଜ ଅଫ୍ ଇଂଜିନିୟରିଂ ୯୨ତମ ସ୍ଥାନରେ ରହିଛନ୍ତି ।

ଏହି ତାଲିକାରେ ଆଇଆଇଟି ତାର ଦବାଦବା ବନାଇ ରଖିଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଆଇଆଇଟି ମାଡ୍ରାସ, ମୁମ୍ବାଇ ଓ ଖଡଗପୁର ସ୍ଥାନ ପାଇଛନ୍ତି ।

ମ୍ୟାନେଜମେଂଟ କଲେଜ ତାଲିକାରେ ବି ଓଡ଼ିଶାକୁ ସ୍ଥାନ ମିଳିଛି । ଏହି ତାଲିକାରେ ୨୨ନମ୍ବରରେ ଯୋଡି ହୋଇଛି କିଟ୍ ଭୁବନେଶ୍ୱର ଓ ଜାଭିୟର ୟୁନିଭର୍ସିଟି ରହିଛି ୩୩ନମ୍ବରରେ । ମ୍ୟାନେଜମେଂଟ ତାଲିକାରେ ପ୍ରଥମ ୩ଟି ସ୍ଥାନ ଦଖଲ କରିଛନ୍ତି ଆଇଆଇଏମ୍ ଅହମଦାବାଦ, ଆଇଆଇଏମ୍ ବାଙ୍ଗାଲୁରୁ ଓ ଆଇଆଇଏମ୍ କୋଲକାତା ।

ଦେଶର ଶ୍ରେଷ୍ଠ କଲେଜ ତାଲିକାରେ ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ଟପରେ ରହିଛି । ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଛନ୍ତି ତାମିଲନାଡୁର ଲୋୟୋଲା କଲେଜ ଓ ଦିଲ୍ଲୀର ଶ୍ରୀରାମ କଲେଜ ଅଫ୍ କମର୍ସ  ।