ଟ୍ରେନ୍ ଭିତରେ ଖୁଲମଖୁଲା ଚାଲିଛି ମଦ ବେପାର : ହାତ ପାହାନ୍ତାରେ ମଦ ପାଉଛନ୍ତି ଯାତ୍ରୀ

31

କନକ ବ୍ୟୁରୋ : ଟ୍ରେନ୍ ଭିତରେ ମଦ ଦୋକାନ । ଖୁଲମଖୁଲା ମଦ ବିକ୍ରି ହେଉଛି । ଆଉ ହାତ ପାହାନ୍ତାରେ ମଦ ପାଉଛନ୍ତି ଯାତ୍ରୀ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଧାନବାଦ ଏକ୍ସପ୍ରେସରେ ମଦ କାରବାରର ହେଉଥିବା ଜଣାପଡ଼ିଛି । ଟ୍ରେନ୍ ଭିତରେ ଖୁଲମଖୁଲା ଜମିଛି ମଦର ଆସର । ଖୋଲିଛି ବିଦେଶୀ ବ୍ରାଣ୍ଡର ମଦ ଦୋକାନ । ଗ୍ରାହକଙ୍କ ହାତକୁ ବେଧଡକ ମଦ ବଢାଇ ଦିଆଯାଉଛି । ଯିଏ ଯେଉଁ ବ୍ରାଣ୍ଡ ମାଗୁଛନ୍ତି ତାହା ମିଳିଯାଉଛି ଟ୍ରେନ୍ ଭିତରେ ।

ଟ୍ରେନ୍-ଏଲେପି-ଧାନବାଦ ଏକ୍ସପ୍ରେସରେ ବେଧଡ଼କ ମଦ କାରବାର । ସମୟ ରାତି ପ୍ରାୟ ୯ଟାରେ ଟ୍ରେନର ସେକେଣ୍ଡ ଏସି କୋଚରେ ଏପରି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ବଗିର ଶେଷରେ ଖୋଲିଛି ମଦ ଦୋକାନ । ଯେଉଁଠି ମଦ ସାଙ୍ଗକୁ ଚାଖଣା ବି ମିଳୁଯାଉଛି । ଆଉ ସମସ୍ତଙ୍କ ସାମ୍ନାରେ ବଗି ଭିତରେ ବସି ମଦ ପିଉଛନ୍ତି ଯାତ୍ରୀ ।

ଟ୍ରେନର ଏସି କୋଚ୍ ଦାୟିତ୍ୱରେ ଥିବା ୱାର୍ଡ ବୟ, ଯାତ୍ରୀଙ୍କୁ ତକିଆ ଓ ବେଡ଼ସିଟ୍ ସହ ହାତ ପାଆନ୍ତାରେ ମଦ ଯୋଗାଉଥିବା ଜଣାପଡିଛି । ବଡ କଥା ହେଉଛି, ଲୁଚାଛପାରେ ନୁୁହେଁ ସମସ୍ତଙ୍କ ସାମ୍ନାରେ ବର୍ଷ ବର୍ଷ ଧରି ଏମିିତି ଚାଲିଛି ମଦ କାରବାର । ଟ୍ରେନର ଏହି କୋଚ୍ ଦେଇ ଟିଟି ଓ ଆରପିଏଫ୍ ବାରମ୍ବାର ଯାଆସ କରନ୍ତି । ହେଲେ କେହି ବି ଏହାକୁ ପ୍ରତିବାଦ କରୁନାହାଁନ୍ତି । ଏପରିକି ଯେଉଁଠି ମଦ ସରିଯାଏ, ତାପର ଷ୍ଟେସନରୁ ଟ୍ରେନକୁ ବେଶ୍ ଆରାମରେ ମଦ ଆସିବିଯାଏ ।

କେବଳ ଟ୍ରେନ୍-ଏଲେପି-ଧାନବାଦ ଏକ୍ସପ୍ରେସରେ ନୁହେଁ ଆହୁରି ଅନେକ ଏଭଳି ଭାରତୀୟ ରେଳବାଇର ଅନ୍ୟ ଟ୍ରେନରେ ବି ବେଶ୍ ଆରାମରେ ମଦ ମିଳୁଥିବା ଜଣାପଡିଛି । କେଉଁଠି ଲୁଚାଛପାରେ ପାଣି ଓ କୋଲଡ୍ରିଙ୍କସ ମଧ୍ୟରେ ତ ଆଉ କେଉଁଠି ଖୁଲମଖୁଲା । ଟ୍ରେନରେ ଯାତ୍ରା ସମୟରେ ନିଶା ଦ୍ରବ୍ୟ ଉପରେ କଟକଣା ଲଗାଯାଇଛି । ଜରିମାନାର ବି ବ୍ୟବସ୍ଥା କରାଯାଇଛି । ହେଲେ ଯଦି ଟ୍ରେନ୍ ଭିତରେ ହିଁ ମଦ ବିକ୍ରି ହେବ, ତେବେ ଏହାକୁ କିଭଳି ରୋକାଯାଇପାରିବ ।