ଗୃହରେ ଉଠିଲା ମଦ ବିବାଦ । ମଦ ମଦ ବିକ୍ରିକୁ ପ୍ରୋତ୍ସାହନ ପୁରସ୍କାର ପ୍ରସଙ୍ଗରେ ସଫେଇ ରଖିଲେ ସରକାର ।

560

କନକ ବ୍ୟୁରୋ: ମଦ ବିକ୍ରି ପାଇଁ ପୁରସ୍କାର ପ୍ରସଙ୍ଗରେ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି । ଏନେଇ ସଫେଇ ରଖିଛନ୍ତି ମନ୍ତ୍ରୀ । ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କହିଛନ୍ତି ମଦ ବିକ୍ରିର ପ୍ରସାର ପାଇଁ ସରକାର ସେଭଳି କୌଣସି ନିଷ୍ପତି ନେଇନାହାଁନ୍ତିି । ରାଜ୍ୟର ହିତ ପାଇଁ ସର୍ବଦା ଧ୍ୟାନ ରଖିଛନ୍ତି ରାଜ୍ୟ ସରକାର ବୋଲି ଯୁକ୍ତି ବାଢ଼ିଛନ୍ତି ନିରଞ୍ଜନ ପୂଜାରୀ ।

ବିଧାନସଭାରେ ମଦବିକ୍ରୀ ନେଇ ସରଗରମ ଆଲୋଚନା ହେଉଥିବାବେଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଅଂଶଗ୍ରହଣ କରିଥିଲେ । ସେ କହିଥିଲେ, ମହିଳାଙ୍କ ଆବେଗକୁ ଲକ୍ଷ୍ୟରେ ରଖି ଅବକାରୀ ନୀତି ମହିଳାଙ୍କ ସ୍ୱାର୍ଥ ଅନୁକୂଳ ହେବା ଦରକାର । ଏ ନେଇ ଏକ ନିରପେକ୍ଷ କମିଟି ଗଠନ କରି ଅବକାରୀ ନୀତି ସମ୍ପର୍କରେ ନିଷ୍ପତି ନେବାକୁୁ ସେ ପରାମର୍ଶ ଦେଇଥିଲେ । ଜବାବରେ ମନ୍ତ୍ରୀ କହିଥିଲେ, ଏ ନେଇ ବିଚାର କରାଯିବ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୨ ତାରିଖରେ ବିଧାନସଭା ଅବକାରୀ ଗୃହ କମିଟିର ନିଷ୍ପତିକୁ ନେଇ ବିବାଦ ବଢ଼ିଥିଲା । ମଦ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇଦେବେ ଅର୍ଥାତ ଟାର୍ଗେଟ୍ ପୂରଣ କଲେ ପୁରସ୍କାର ମିଳିବ । ଏହି ନିଷ୍ପତି, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଗୋଟିଏ ପଟେ ମଦ ବନ୍ଦ ନେଇ ସରକାର ଜୋର ଦେଉଥିବା ବେଳେ ଟାର୍ଗେଟ୍ ପୂରଣ କଲେ ପୁରସ୍କାର ମିଳିବା ନିଷ୍ପତିକୁ ସହଜରେ ଗ୍ରହଣ କରାଯାଉ ନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ମଦ ଏବଂ ମଦ ବ୍ୟବସାୟ କଥା ଆସିଲେ ସାଧାରଣତଃ ଦୁଇଟି ପ୍ରସଙ୍ଗ ଆପେ ଆପେ ମନକୁ ଚାଲି ଆସେ । ପ୍ରଥମଟି ହେଉଛି ରାଜସ୍ୱ, ଯାହା ମଦ ବ୍ୟବସାୟରୁ ଆସିଥାଏ । ଏବଂ ଦ୍ୱିତୀୟ ପ୍ରସଙ୍ଗଟି ହେଉଛି-ମଦ ଯୋଗୁଁ ସୃଷ୍ଟି ହେଉଥିବା ସମାଜିକ ବ୍ୟାଧି । ହୁଏତ, ଏଭଳି ଗୋଟିଏ ଦିନ ନାହିଁ, ଯେଉଁଦିନ ମଦ ଯୋଗୁଁ କୌଣସି ଅଘଟଣ ଘଟୁନଥିବ । ମଦ୍ୟପାନ କାରଣରୁ ସଡ଼କ ଦୁର୍ଘଟଣା, ଲୁଟ୍-ରାହାଜାନି ଭଳି ଅପରାଧ, ଘରୋଇ ହିଂସା ଓ ହତ୍ୟା ଭଳି ଅପରାଧ ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଛି । ତେବେ ସରକାର ଦେଇଥିବା ‘ମଦ’ ସଫେଇକୁ କେତେମାତ୍ରାରେ ଗ୍ରହଣ କରିପାରୁଛନ୍ତି ଜନତା ଆଉ କେତେ ସୁଫଳ ମିଳୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।