ମଦ ପୋଛିଦେଲା ମଥା ସିନ୍ଦୁର ! ମଦମୃତ୍ୟୁରେ ଉଜୁଡ଼ିଗଲା ଗୋଟିଏ ଗାଁର ୧୫ଟି ପରିବାର

48

କନକ ବ୍ୟୁରୋ : ଅବକାରୀ ରାଜସ୍ୱ ପାଇଁ ସରକାର ଗାଁ ଗାଁରେ ମଦଭାଟି ଖୋଲିବାକୁ ଅନୁମତି ଦେଉଛନ୍ତି । ହେଲେ ମଦ ପିଇ ବରବାଦ ହେଉଛନ୍ତି ପରିବାର । ମଦମୃତ୍ୟୁ ଯୋଗୁଁ ଗୋଟିଏ ଗାଁର ୧୫ଟି ପରିବାର ଉଜୁଡି ଯାଇଛି । ଆଉ ମଦଭାଟି ଉଚ୍ଛେଦ ପାଇଁ ବାରମ୍ବାର ଆନ୍ଦୋଳନ ସତ୍ୱେ କେହି ଶୁଣୁ ନାହାନ୍ତି । ଆଉ ଅସୁବିଧାର ଭୁକ୍ତଭୋଗୀ ହେଉଛନ୍ତି ସାଧାରଣ ଲୋକେ । ମଦ ପାଇଁ ବଦଳିଗଲା ସମ୍ବଲପୁର ଗୁମଲେଇ ଗାଁର ଚିତ୍ର । ଯେଉଁଠି ମଦ ପୋଛି ଦେଇଛି ମଥାର ସିନ୍ଦୁର, ପୁଣି ମାଆଠୁ ଛଡାଇ ନେଇଛି ତାର ଭେଣ୍ଡିଆ ପୁଅକୁ ।

ଘର ବାରଣ୍ଡାରେ ବସି ବିଡି ବଳୁଥିବା ନିରାଶ୍ରୟ ମହିଳାଙ୍କୁ ଦେଖିଲେ ଆପଣଙ୍କ ମନରେ କେବଳ ସମବେଦନା ସୃଷ୍ଟିହୋଇପାରେ । ହେଲେ ତାଙ୍କର ଏହି ଦୁର୍ଦ୍ଦଶା ପଛର କାହାଣୀ ଏକ ବଡ ପ୍ରସଙ୍ଗ ସାମ୍ନାକୁ ଆଣିଛି । କାରଣ ତିନିବର୍ଷ ତଳେ ସ୍ୱାମୀ ଧର୍ମେନ୍ଦ୍ର ଛତରଙ୍କ ମଦପିଇ ମୃତ୍ୟୁ ହୋଇଥିଲା । କାମରୁ ଫେରିବା ପରେ ଟାଙ୍କେ ମଦପିଇ ପୋଖରୀକୁ ଗାଧୋଇ ଯାଇଥିବାବେଳେ ଅଚେତ ହୋଇ ପାଣିରେ ବୁଡିଗଲେ । ଆଉ ଲୋକ ଉଦ୍ଧାର କଲାବେଳେକୁ ଉଡିସାରିଥିଲା ପ୍ରାଣବାୟୁ । ଘରର ଜଣେ ମାତ୍ର ରୋଜଗାରିଆ ସଦସ୍ୟ ଏକାକରି ଚାଲିଯିବା ପରେ ଯାଜ୍ଞସେନୀଙ୍କ ମୁଣ୍ଡରେ ଛିଡି ପଡିଥିଲା ଦୁଃଖର ପାହାଡ । ହେଲେ ଜୀବନ ସଂଘର୍ଷରେ ହାରିନଯାଇନଥିଲେ ଯାଜ୍ଞସେନୀ । ବିଡି ଶ୍ରମିକ ସାଜି ପରିବାରର ଗୁଜରାଣ ମେଂଟାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଗାଁର ଅନ୍ୟଜଣେ ବୃ୍ଦ୍ଧା ମନ୍ଦୋଦରୀ ବି ସେହି ମଦ ପାଇଁ ନିଜ ପୁଅକୁ ହରାଇଛନ୍ତି । ଠିକା କାମ କରୁଥିବା ଭେଣ୍ଡିଆ ପୁଅକୁ କିଛିବର୍ଷ ତଳେ ମଦପିଇ ହତ୍ୟା କରିଥିଲେ ଦୁର୍ବୃତ୍ତ । ଯାଜ୍ଞସେନୀ, ମନ୍ଦୋଦରୀଙ୍କ ପରି ଗାଁର ୧୫ଟି ପରିବାର ଏହି ମଦ ଯୋଗୁଁ ବରବାଦ ହୋଇଗଲାଣି । ଏଥିପାଇଁ ଗାଁ ପାଖରେ ଥିବା ମଦଭାଟିକୁ ସ୍ଥାନାନ୍ତର ପାଇଁ ବାରମ୍ବାର ଆନ୍ଦୋଳନ ହୋଇଛି । ହେଲେ ଫଳ କିଛି ହୋଇନି । ମଦଭାଟିି ଅଛି, ଲୋକେ ମଦ ପିଉଛନ୍ତି ଓ ମଦମୃତ୍ୟୁ ବି ହେଉଛି । ଅବକାରୀ ଟିକସ ରାଜକୋଷକୁ ସମୃଦ୍ଧ କରୁଛି । ହେଲେ ସର୍ବହରା ହେଉଛନ୍ତି ମଦ ଖାଉଥିବା ଲୋକଙ୍କ ପରିବାର । ଗାଁ ଗାଁରେ ମଦଭାଟି ଖୋଲିବାକୁ ଅନୁମତି ଦେଉଛନ୍ତି ସରକାର । ସେପଟେ ମଦମୃତ୍ୟୁ ଯୋଗୁଁ ସମ୍ବଲପୁର ଗୁମଲେଇ ଗାଁର ପ୍ରାୟ ୧୫ଟି ପରିବାର ଉଜୁଡିଯାଇଛି ।