ମଦ ବିକିଲେ ମିଳିବ ପୁରସ୍କାର । ନିଷ୍ପତିକୁ ମିଳିଲା ସବୁ ଦଳର ସବୁଜ ସଂକେତ, ବିଧାନସଭା ଗୃହ କମିଟିର ସୁପାରିଶକୁ ନେଇ ଚାରିଆଡେ ଚର୍ଚ୍ଚା ।

785

କନକ ବ୍ୟୁରୋ : ବିଧାନସଭା ଅବକାରୀ ଗୃହ କମିଟିର ନିଷ୍ପତିକୁ ନେଇ ସୃଷ୍ଟି ହୋଇଛି ବଡ ଧରଣର ବିବାଦ । ମଦ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇଦେବେ ଅର୍ଥାତ ଟାର୍ଗେଟ୍ ପୂରଣ କଲେ ପୁରସ୍କାର ମିଳିବ । ଏହି ନିଷ୍ପତି, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟିଏ ପଟେ ମଦ ବନ୍ଦ ନେଇ ସରକାର ଜୋର ଦେଉଥିବା ବେଳେ ଟାର୍ଗେଟ୍ ପୂରଣ କଲେ ପୁରସ୍କାର ମିଳିବା ନିଷ୍ପତିକୁ ସହଜରେ ଗ୍ରହଣ କରାଯାଇପାରୁନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ପ୍ରୋତ୍ସାହନ ଓ ପୁରସ୍କାର, ତାହା ପୁଣି ମଦ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ । ଏଭଳି କିଛି ନିଷ୍ପତି ନେଇଛି ବିଧାନସଭା ଅବକାରୀ ଗୃହ କମିଟି । ବଡ କଥା ହେଉଛି ଯେଉଁ କମିଟିି ଏହି ସୁପାରିଶ କରିଛି, ସେହି କମିଟରେ ଅଛନ୍ତି ସବୁ ଦଳ ବିଧାୟକ । ତେଣୁ ଏହି ନିଷ୍ପତିରେ ସବୁ ଦଳର ସମ୍ମତି ଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ମଦ ବ୍ୟବସାୟୀଙ୍କୁ ପୁରସ୍କୃତ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ୍ କରିଛନ୍ତି ଖୋଦ୍ ରାଜ୍ୟର ଆଇନ୍ ପ୍ରଣେତାମାନେ ଯାହାକୁ ନେଇ ଏବେ ବିବାଦ ଦେଖିବାକୁ ମିଳିଛି ।

ମଦ ଏବଂ ମଦ ବ୍ୟବସାୟ କଥା ଆସିଲେ ସାଧାରଣତଃ ଦୁଇଟି ପ୍ରସଙ୍ଗ ଆପେ ଆପେ ମନକୁ ଚାଲି ଆସେ । ପ୍ରଥମଟି ହେଉଛି ରାଜସ୍ୱ, ଯାହା ମଦ ବ୍ୟବସାୟରୁ ଆସିଥାଏ । ଏବଂ ଦ୍ୱିତୀୟ ପ୍ରସଙ୍ଗଟି ହେଉଛି-ମଦ ଯୋଗୁଁ ସୃଷ୍ଟି ହେଉଥିବା ସମାଜିକ ବ୍ୟାଧି । ହୁଏତ, ଏଭଳି ଗୋଟିଏ ଦିନ ନାହିଁ, ଯେଉଁଦିନ ମଦ ଯୋଗୁଁ କୌଣସି ଅଘଟଣ ଘଟୁନଥିବ । ମଦ୍ୟପାନ କାରଣରୁ ସଡ଼କ ଦୁର୍ଘଟଣା, ଲୁଟ୍-ରାହାଜାନି ଭଳି ଅପରାଧ, ଘରୋଇ ହିଂସା ଓ ହତ୍ୟା ଭଳି ଅପରାଧ ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଛି । ଆଉ ଏହି ମଦ କାରବାର ଉପରେ ଲଗାମ ଲଗାଇବା ପାଇଁ କେଉଁଠି ରାସ୍ତାରୋକ୍ ହେଉଛି, ତ ଆଉ କେଉଁଠି ଗାଁ ମହିଳାମାନେ ମଦଭାଟି ଉପରେ ଆକ୍ରମଣ କରୁଛନ୍ତି ।

ରାଜ୍ୟ ସରକାରଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଛି ସେଥିରେ ସ୍ପଷ୍ଟ ଲେଖାଯାଇଛି ଯେ, ଯେଉଁ ମଦ ଦୋକାନୀ ମାନେ ଏମଜିକ୍ୟୁ ବା ମିନିମମ୍ ଗ୍ୟାରେଂଟି କୋଟା ପୂରଣ କରୁଛନ୍ତି ବା ତାଠୁ ଅଧିକ ମଦ ଉଠାଉଛନ୍ତି ସେମାନଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରାଯାଉ ।କେବଳ ମଦ ଦୋକାନୀଙ୍କୁ ପ୍ରୋତ୍ସାହିତ କରିବାକୁ କୁହାଯାଇ ନାହିଁ । ବରଂ ଏଭଳି ୧୨ଟି ସୁପାରିଶ କରିଛି ଏହି ଷ୍ଟାଣ୍ଡିଂ କମିଟି । ଯେଉଁ କମିଟିରେ ଅଧ୍ୟକ୍ଷ ଅଛନ୍ତି ବିଜେଡି ବିଧାୟକ ସୁବ୍ରତ ତରାଇଙ୍କ ସମେତ କଂଗ୍ରେସ ବିଧାୟକ ସହ ସୁର ରାଉତରାୟ ଓ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହ ଅନେକ ବିଧାୟକ ।
ଏସବୁ ଭିତରେ ପ୍ରଶ୍ନ ଉଠୁଛି-
-ମଦ ବ୍ୟବସାୟୀଙ୍କୁ ପୁରସ୍କାର ଅର୍ଥାତ୍ ମଦ ବିରୋଧୀଙ୍କୁ ତିରସ୍କାର କି?
-ମଦ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଅର୍ଥାତ୍ ମଦ ବିରୋଧୀଙ୍କୁ ନିରୁତ୍ସାହିତ କରିବା କି?
-ଷ୍ଟାଣ୍ଡିଂ କମିଟିରେ ସବୁ ଦଳର ବିଧାୟକ ଅଛନ୍ତି ଅର୍ଥାତ୍ ଏହି ନିଷ୍ପତିକୁ ସବୁ ଦଳ ସମର୍ଥନ କରୁଛନ୍ତି କି?