ଫେସବୁକରେ ଲିଙ୍କ୍ ହେବ ଆଧାରକାର୍ଡ ? ସୋସିଆଲ୍ ସାଇଟରୁ ସଫା ହେବ ଫେକ୍ ଆଇଡି, ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ସୁପ୍ରିମକୋର୍ଟ ।

4,637

କନକ ବ୍ୟୁରୋ : ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଭଳି ସୋସିଆଲ ମିଡିଆ ସାଇଟ୍ ଗୁଡିକ ଆଧାର ସହ ସଂଯୋଗ ହୋଇପାରେ । ହୁଏତ ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏଭଳି ହିଁ କିଛି ଖବର ବର୍ତ୍ତମାନ ସମୟରେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ଦିନକୁ ଦିନ ସୋସିଆଲ ସାଇଟର ବ୍ୟବହାର ଯେତିକି ବୃଦ୍ଧି ପାଉଛି, ସୋସିଆଲ ସାଇଟ ଦ୍ୱାରା ଅନେକ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଆଉ ଏହାକୁ ନଜରରେ ରଖି ନିକଟରେ ତାମିଲନାଡୁ ସରକାର, ସୋସିଆଲ ମିଡିଆରେ ବେନିୟମ୍ କାମକୁ ରୋକିବା ପାଇଁ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଆଦିରେ ଆଧାରକାର୍ଡ ସଂଯୋଗ କରିବାକୁ ଦାବି କରିବା ପରେ ଏବେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ପୂର୍ବରୁ ଏହି ପ୍ରସଙ୍ଗରେ ଚେନ୍ନାଇରୁ ୨ଟି, ଓଡିଶାରୁ ଗୋଟିଏ ଏବଂ ମୁମ୍ବାଇରୁ ଗୋଟିଏ ଯାଚିକା ବିଭିନ୍ନ ଅଦାଲତରେ ଦାୟର କରାଯାଇଥିଲା । ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ଆଧାରକାର୍ଡ ସହ ସଂଯୋଗ କରିବା ପାଇଁ ଯେଉଁ ଯାଚିକା ଦାୟର ହୋଇଥିଲା, ତାହା ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ସୁପ୍ରିମକୋର୍ଟ ।

ଅନ୍ୟପଟେ ତାମିଲନାଡୁ ସରକାରଙ୍କ ସମେତ ବିଭିନ୍ନ ରାଜ୍ୟର ଏଭଳି ଦାବିକୁ ବିରୋଧ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି ଫେସବୁକ । ଆଉ ଏହା ପରେ ଏହି ମାମଲାର ବିଚାର କରିବା ପାଇଁ ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କ ସମେତ, ଗୁଗୁଲ, ଟ୍ୱିଟର ଏବଂ ଅନ୍ୟ ସୋସିଆଲ୍ ନେଟୱାର୍କ ସାଇଟକୁ ନୋଟିସ୍ ଜାରି କରିଛନ୍ତି । ଅନ୍ୟପଟେ ହ୍ୱାଟ୍ସଆପ୍ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରସଙ୍ଗରେ ଜଡିତ ସମସ୍ତ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ । ଯାହା ଫଳରେ ସୁପ୍ରିମକୋର୍ଟ ସମସ୍ତ ମାମଲାକୁ ବିଚାରକୁ ନେଇ ଉଚିତ ଶୁଣାଣି କରିବେ ।

ସୋସିଆଲ ମିଡିଆରେ ଅପରାଧ ବଢୁଥିବା ବେଳେ, ବିଶେଷ କରି ନକଲି ଆକାଉଣ୍ଟ ଖୋଲାଯାଇ, ବିପୁଳ ମାତ୍ରାରେ ଭାରତ ବିରୋଧୀ ତଥା ଅନ୍ୟାନ୍ୟ ଆପତ୍ତିଜନକ ପୋଷ୍ଟ ଦେଖିବାକୁ ମିଳୁଛି । ଏପରିକି ଅନେକ ବେନାମି ପୋଷ୍ଟ ଦେଶର ସାଂପ୍ରଦାୟିକ ଭାବନାକୁ କ୍ଷୁର୍ଣ୍ଣ କରୁଛି । ଆଉ ଏସବୁର ସମାଧାନ ପାଇଁ ସୋସିଆଲ୍ ମିଡିଆ ସାଇଟ୍ ଗୁଡିକରେ ଆଧାରକାର୍ଡ ସଂଯୋଗ କରିବା ନେଇ ପ୍ରସ୍ତାବ ଦେଇଛନ୍ତି ତାମିଲନାଡୁ ସରକାର । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ସେପ୍ଟେମ୍ବର ମାସ ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ଏହା ପୂର୍ବରୁ ଏହି ମାମଲାରେ ଫେସବୁକ, ହ୍ୱାଟ୍ସଆପ୍, ଗୁଗଲ, ୟୁଟ୍ୟୁବ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସମେତ ସମସ୍ତ ଆବେଦନକାରୀଙ୍କୁ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।