ପ୍ରଚାରରେ ଲିଙ୍ଗଡୋ ଭୟ ! ସାହାରା ସୋସିଆଲ ମିଡିଆ

79

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖଉଛି ସେତିକି ସରଗରମ ହେଉଛି କଲେଜ କ୍ୟାମ୍ପସ । ସବୁଠି ଫ୍ଲେକ୍ସ ମାରି ପ୍ରାର୍ଥୀ ଭୋଟ ଅପିଲ କରୁଛନ୍ତି । ହେଲେ ଲିଙ୍ଗଡୋ କମିଶନଙ୍କ କଟକଣା ପାଇଁ ପୋଷ୍ଟର, ପୁସିଂ, ବ୍ୟାନର ଅପେକ୍ଷା ସୋସିଆଲ ମିଡିଆକୁ ଭରସା କରିଛନ୍ତି ପ୍ରାର୍ଥୀ ।

ସେପ୍ଟେମ୍ବର ୨୩ରେ ଛାତ୍ର ସଂସଦ ନିର୍ବାଚନ । କିନ୍ତୁ ଏବେଠୁ ଜମିଲାଣି ପ୍ରଚାର । କଲେଜ ବାହାରେ ଛାଇଗଲାଣି ଫ୍ଲେକ୍ସ ବ୍ୟାନର ଆଉ କ୍ୟାମ୍ପସ ବି ପୁରା ସରଗରମ । ହାପି ଗଣେଷ ପୂଜା । ନୂଆଁଖାଇ ଜୁହାର । ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇ । ଏମିତି କେତେ କଣ ଲେଖା ହୋଇଛି ବ୍ୟାନରରେ । କିଏ କଲେଜର ସମସ୍ୟାକୁ ଦୂରେଇ ଦେବାକୁ ପ୍ରତିଶୃତି ଦେଉଛି ତ ପୁଣି କିଏ କଲେଜ କ୍ୟାମ୍ପସର ବଡ ସମସ୍ୟା ଅଣଛାତ୍ର ରୋକିବାକୁ କଥା ଦେଉଛି । ଏମିତି ଚାଲିଛି କଲେଜ କ୍ୟାମ୍ପସରେ କ୍ୟାମ୍ପେନିଂ । ପୁସିଙ୍ଗ ବାଣ୍ଟି ଭୋଟ ମଗାଯାଉଛି । କ୍ଲାସ ରୁ ପ୍ଲାସ ବୁଲି ପ୍ରାର୍ଥୀ ନିଜ ସପକ୍ଷରେ ମତ ଯୋଗାଡ କରୁଛନ୍ତି ।

କିନ୍ତୁ ସବୁରି ଭିତରେ ଡର ରହିଛି ଲିଙ୍ଗଡୋ କମିଶନ କଟକଣାକୁ । କଣ କରିବେ ଆଉ କଣ କରିବେ ନାହିଁ ଜାଣିବା ନୂଆ ମୂହଁ ପାଇଁ ଅଜଣା ଥିବାରୁ ପୁରୁଖା ଛାତ୍ରନେତାଙ୍କ ପରାମର୍ଶ ନିଆଯାଉଛି । ତେବେ ଲିଙ୍ଗଡୋ କମିଟି ରିପୋର୍ଟ ଅନୁସାରେ କୌଣସି ପ୍ରାର୍ଥୀ ବିପକ୍ଷ ପ୍ରାର୍ଥୀ କିମ୍ବା ତାଙ୍କ ସମର୍ଥକଙ୍କ ଜାତି କିମ୍ବା ଧର୍ମକୁ ନେଇ ଆକ୍ଷେପ କରିପାରିବେ ନାହିଁ । ବ୍ୟକ୍ତିଗତ ଆକ୍ଷେପ କିମ୍ବା କଟାକ୍ଷ କରିପାରିବେ ନାହିଁ । କ୍ୟାମ୍ପସ ପରିସରରେ ଉତ୍ତେଜନାମୂଳକ ଭାଷଣ କିମ୍ବା ମନ୍ତବ୍ୟ ଦେଇ ପାରିବେ ନାହିଁ । ପ୍ରିଣ୍ଟେଡ ପୋଷ୍ଟର, ପାମ୍ପଲେଟ କିମ୍ବା ଅନ୍ୟ କୌଣସି ପ୍ରିଣ୍ଟେଡ ମାଟେରିଆଲ ଉପରେ କଟକଣା ରହିଛି । କେବଳ ହାତଲେଖା ପାମ୍ପଲେଟ ବ୍ୟବହାର କରିପାରିବେ ପ୍ରାର୍ଥୀ । ଲିଖିତ ଅନୁମତି ବିନା କ୍ୟାମ୍ପସରେ ପ୍ରସେସନ କିମ୍ବା ପବ୍ଲିକ ମିଟିଂ କରାଯାଇପାରିବ ନାହିଁ ।

ନିର୍ବାଚନ ଦିନ ଛାତ୍ରଛାତ୍ରୀ ଓ ପ୍ରାର୍ଥୀଙ୍କୁ ନେଇ ମଧ୍ୟ କିଛି କଟକଣା ରହିଛି । ପୁଲିଂ ସମୟରେ ସମସ୍ତ ଭୋଟର କଲେଜ ୟୁନିଫର୍ମ ଓ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ । ପୁଲିଂ ଅଫିସରଙ୍କୁ ସହଯୋଗ କରିବା । କ୍ୟାମ୍ପସ ଭିତରେ ଭୋଟରଙ୍କୁ ପ୍ରଭାବିତ କରାଯାଇପାରିବ ନାହିଁ । କୌଣସି ଖାଦ୍ୟ କିମ୍ବା ପାନୀୟ ସମାଗ୍ରୀ କ୍ୟାମ୍ପସ ଭିତରେ ବାଣ୍ଟିବା ନେଇ ମଧ୍ୟ କଟକଣା ରହିଛି । କଲେଜ କର୍ତ୍ତୁପକ୍ଷଙ୍କ ବିନା ଅନୁମତି କିମ୍ବା ପାସ ନଥାଇ ଭୋଟରଙ୍କ ବ୍ୟତୀତ ଆଉ କେହି କ୍ୟାମ୍ପସରେ ପ୍ରବେଶ କରିପାରିବେ ନାହିଁ ।

ଲିଙ୍ଗଡୋ କମିଶନଙ୍କ ଦ୍ୱାରା ଲାଗୁ କରାଯାଇଥିବା ନିୟମକୁ ନ ମାନିଲେ ପ୍ରାର୍ଥୀତ୍ୱ କିମ୍ବା ନିର୍ବାଚିତ ପଦବୀ ରଦ୍ଦ ହେବା ନେଇ ମଧ୍ୟ ନିୟମ ରହିଛି । ଉପଯୁକ୍ତ ପ୍ରମାଣ ସହ ପ୍ରମାଣିତ ହେଲେ ଏନେି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହିସବୁ ଆଦର୍ଶ ଆଚରଣ ବିଧିର ଉଲଂଘନ ହେଲେ ଭାରତୀୟ ପିଙ୍ଗଳ କୋର୍ଡ, ୧୯୮୦ ( ସେକ୍ସନ୧୫୩-ଏ ଓ ଚାପ୍ଟର ଆଇଏକ୍ସ-ଏ ) ରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

ତେବେ କ୍ୟାମ୍ପସରେ ପଲିଟିକାଲ ଗେମ୍ ପ୍ଲାନକୁ ସଫଳ କରିବାକୁ ଲିଙ୍ଗଡୋ କମିଶନ କଟକଣା ଉପରେ ସମସ୍ତଙ୍କର ନଜର । ବିପକ୍ଷ ପ୍ରାର୍ଥୀଙ୍କ ଦୋଷ ଦୁର୍ବଳତାକୁ ପ୍ରମାଣିତ କରିପାରିଲେ ନିଜ ସପକ୍ଷରେ ମତ ଆସିବା ସହିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି ।

ସେପଟେ କ୍ୟାମ୍ପେନିଂରେ ଏବେ ପ୍ରମୁଖ ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ଫେସବୁକ, ହ୍ୱାଟସଆପ, ଇନଷ୍ଟାଗ୍ରାମ, ହାଇକ ଓ ମେସଞ୍ଜେରରେ ପ୍ରଚାର କରାଯାଉଛି । ପୁସିଂକାର୍ଡକୁ ଫଟୋ ଆକାରରେ ପୋଷ୍ଟ କରାଯାଇ କଲେଜର ସାଙ୍ଗସାଥୀଙ୍କୁ ଟ୍ୟାଗ କରି ଭୋଟ ନିବେଦନ କରାଯାଉଛି । ପୁଣି ଫେସବୁକ ଲାଇଭ କରି ଭୋଟ ପାଇଁ ଅପିଲ କରିବାକୁ ଭୁଲୁ ନାହାଁନ୍ତି ଆଶାୟୀ ପ୍ରାର୍ଥୀ ।

ଲିଙ୍ଗଡୋ କମିଶନଙ୍କ ଛାଟକୁ ଧ୍ୟାନରେ ରଖି ଖର୍ଚ୍ଚ କରିବାକୁ ପଡେ କଲେଜ ଇଲେକ୍ସନରେ । କ୍ୟାମ୍ପେନିଂକୁ ଜୋରଦାର କରି ବିଜୟୀ ହେବାକୁ ସମସ୍ତେ ଚେଷ୍ଟା କରନ୍ତିି । ହେଲେ ବିଜୟୀ କିଏ ହେବ ତାହା କେବଳ ନିର୍ଭର କରେ ଛାତ୍ରଛାତ୍ରୀଙ୍କ ପସନ୍ଦ ଉପରେ ।