ସ୍ମୃତି ସାଇତି ରଖିବାର ବିରଳ ପ୍ରୟାସ । ରାଜା ଓ ମହାରାଜାଙ୍କ ବିରଳ ଫଟୋ ଓ ଦସ୍ତଖତ ସଂଗ୍ରହ କରି ଲିମକା ବୁକ ଅଫ ରେକର୍ଡ୍ସରେ ସାମିଲ ହେଲେ ଓଡିଆ ପୁଅ ଅଜୟ

29

କନକ ବ୍ୟୁରୋ: ରାଜ ମହାରାଜାଙ୍କ ସ୍ମୃତି ସାଇତି ରଖିବାର ବିରଳ ପ୍ରୟାସ । ଆଉ ଏହି ପ୍ରୟାସ ତାଙ୍କୁ ଆଣି ଦେଇଛି ସ୍ୱତନ୍ତ୍ର ପରିଚୟ । ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ଅଜୟ ଅଗ୍ରୱାଲ । ଶତାଧିକ ରାଜା ଓ ମହାରାଜାଙ୍କ ବିରଳ ଫଟୋ ଓ ଦସ୍ତଖତ ସଂଗ୍ରହ କରି ଅଜୟ ଲିମକା ବୁକ ଅଫ ରେକର୍ଡ୍ସରେ ସାମିଲ ହୋଇଛନ୍ତି ।

ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ, ବଲାଙ୍ଗିର ରାଜା କେ ଭି ସିଂଦେଓ, ଗୁଜୁରାଟ ରାଜପିପଲାର ରାଜା ରଘୁବୀର ସିଂ ଗୋହିଲ, ଯୋଧପୁରର ମହାରାଜା ପଦ୍ମନାଭ, ନେପାଳ ରାଜା ଲେଟ କିଙ୍ଗ ବୀରେନ୍ଦ୍ର ଓ ପାକିସ୍ଥାନର ଜଣେମାତ୍ର ହିନ୍ଦୁ ରାଜା ରାଣା ହମୀର ସିଂ । ଏହିପରି ଦେଶ ବିଦେଶରେ ଶତାଧିକ ରାଜା ଓ ମହାରାଜାଙ୍କ ବିରଳ ଫଟୋ ଓ ଦସ୍ତଖତ ସଂଗ୍ରହ କରି ନିଜକୁ ଲିମକା ବୁକ ଅଫ ରେକର୍ଡ୍ସରେ ସାମିଲ କରି ପାରିଛନ୍ତି । ଅଜୟ ଅଗ୍ରୱାଲା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ଜଣେ ପର୍ଯ୍ୟଟନ ପ୍ରଫେସନାଲ । ଚାକିରୀ କରନ୍ତି ଦିଲ୍ଲୀର ଏକ ମଲଟି ନ୍ୟାସନାଲ କମ୍ପାନୀରେ । ଚାକିରୀ ସହିତ ରାଜା ମହାରାଜାଙ୍କ ସ୍ମୁତିକୁ ସାଇତି ରଖିବା ତାଙ୍କର ଏକ ହବି ।

୨୦୧୧ରୁ ଆଜି ପର୍ଯ୍ୟନ୍ତ ସେ ଭାରତ ସମେତ ନେପାଳ, ପାକିସ୍ତାନ, ଭୁଟାନ, ଇରାନ ଆଦି ଦେଶରେ ଥିବା ରାଜା ମହାରାଜାଙ୍କ ଦସ୍ତଖତ ସଂଗ୍ରହ କରିସାରିଛନ୍ତି । ତାଙ୍କ ସଂଗ୍ରହ ସଂଖ୍ୟା ୨ଶହରୁ ଅଧିକ ରହିଥିବାବେଳେ ୧୩୦ ଜଣ ରାଜାଙ୍କ ଦସ୍ତଖତ ଓ ଫଟୋକୁ ସେ ସାଇତି ରଖିଛନ୍ତି । ଅଜୟ ରାଜ ରାଜୁଡା ଐତିହ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରିନ୍ସିଲି ଇଣ୍ଡିଆ ନାମକ ଏକ ୱେବସାଇଟ ମଧ୍ୟ ତିଆରି କରିଛନ୍ତି । ଯେଉଁଥିରେ ୬ହଜାରରୁ ଅଧିକ ରୟାଲ ରାଜ ପରିବାରର ସଦସ୍ୟ ଅଛନ୍ତି । ତେବେ ଆଗକୁ ଯୋଧପୁରରେ ନିଜର ସଂଗ୍ରହକୁ ନେଇ ଏକ ପ୍ରଦର୍ଶନୀ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଅଜୟ ।