କନକ ବ୍ୟୁରୋ : ଧାନ ବିଲରେ ଚାଷୀ ଭାବିଥିଲା ସୁନାର ଫସଲ ଫଳିବ । ହେଲେ ସବୁ ଫସର ଫାଟିଗଲା । ଧାନ ବିଲରେ ଧାନଫସଲ ବଦଳରେ ଫୁଟିଲା କଇଁଫୁଲ । ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ଚାଷୀ । ଏଭଳି ଅଭାବନୀୟ ଘଟଣା ଘଟିଛି ପିପିଲି ସତ୍ୟବାଦୀ ବ୍ଲକ ମଧୁବନ ପଂଚାୟତରେ । କୃଷି ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସେ କହିଛନ୍ତି ଖୁବଶୀଘ୍ର ମିଳିବ ସହାୟତା ।
Kanak News is now on WhatsApp
Join and get latest news updates delivered to you via WhatsApp
ଧାନ ବିଲରେ ଫୁଟିଲା କଇଁଫୁଲ । ଏକର ଏକର ଧାନ ବିଲ ଏବେ ପରିଣତ ହୋଇଛି କଇଁ ଜଙ୍ଗଲରେ । ଏଭଳି ଦୃଶ୍ୟ ପିପିଲି ସତ୍ୟବାଦୀ ବ୍ଲକ ମଧୁବନ ପଂଚାୟତରେ ଦେଖିବାକୁ ମିଳିଛି । ତିନିତିନି ଥର ଧାନ ରୋଇଲା ପରେ ବି ମିଳିଲାନି ଫସଲ । ପ୍ରଥମ ଥର ଧାନ ବୁଣିବା ପରେ ବର୍ଷା ଧୋଇଦେଇଥିଲା । ଦ୍ୱିତୀୟ ବର୍ଷାରେ ସମାନ ସମସ୍ୟା ଉପୁଜିଲା । ହେଲେ ତୃତୀୟ ଥର ଚାଷୀ ଧାନବୁଣି ଅପେକ୍ଷା କରିଥିଲା ସୁନାର ଫସଲକୁ । କିନ୍ତୁ ପ୍ରକୃତିର ତାଣ୍ଡବ ଆଗରେ ବିଚରା ଚାଷୀ କଣ କରିପାରିଥାନ୍ତା । ଧାନ ତ ମିଳିଲାନି, ବରଂ କଇଁ ଜଙ୍ଗଲରେ ପରିଣତ ହୋଇଗଲା ପୂରା ଜମି । ଯାହା ଚାଷୀଙ୍କ ମଧ୍ୟରେ ଭାଳେଣୀ ସୃଷ୍ଟି କରିଛି । ଆଉ ଏସବୁ ଭିତରେ ଏବେ ଚାଷୀଙ୍କୁ ଘାରିଛି ଋଣ ଚିନ୍ତା ।
ମଧୁବନ ପଂଚାୟତର ହାଟପଡା,ଓ ଡାହାଣକୁମାର ପଡା, ପାଣ୍ଡରି ପଡା, ନଡାଖଣ୍ଡର ସହ ଏକର ଏକର ବିଲରେ ଏବେ କଇଁ ଫୁଟିଛି । ତେବେ କୌଣସି ସରକାରୀ ଅଧିକାରୀ ଏ ଅଂଚଳ ପରିଦର୍ଶନ କରିନଥିବା ଅଭିଯୋଗ ହୋଇଛି । କେବେ ହେବ କ୍ଷୟକ୍ଷତିର ଆକଳନ ଏବଂ କେବେ ମିଳିବ ସରକାରୀ ସହାୟତା , ଏବେ ଚାଷୀ ତାକୁ ହିଁ ଅପେକ୍ଷା କରିଛନ୍ତି ।