୨୪ ଘଂଟାରେ ୩୪ ମୃତ ! ଆକାଶରେ ଚଡକ ମାଟିରେ ମଡକ

68

କନକ ବ୍ୟୁରୋ : ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ , ଦୁଇ ଦିନରେ ଏହି ସଂଖ୍ୟା ୩୪ ରେ ପହଁଚିଛି । ଆଜି କେବଳ ଆଠଗଡର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ଜଣଙ୍କର ଜୀବନ ଯାଇଛି । ବାରଙ୍ଗ ଅନ୍ଧାରୁଆ ଗାଁରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ଦେବଗଡ ଜିଲ୍ଲା ଟାଇଁସର ନିକଟରେ ଜଣେ ଶିକ୍ଷକ ଘରକୁ ଫେରୁଥିବାବେଳେ ବଜ୍ରପାତରେ ତାଙ୍କରେ ଜୀବନ ଯାଇଛି ।

ସେହିପରି ବିଲରେ ଥିବାବେଳେ ଜଗନ୍ନାଥ ବସ୍ତିଆ ନାମକ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ଏହା ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହୋଇଥିବା ବଜ୍ରପାତରେ ଅନେକ ଆହତ ହୋଇଛନ୍ତି । ଆଠଗଡର ଏକ ସ୍କୁଲ ଉପରେ ବଜ୍ରପାତ ହେବାରୁ ୮ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଆଠଗଡ ମେଡିକାଲରେ ଭର୍ତି କରାଯାଇଛି ।

ସେହିପରି ଗତକାଲି କେବଳ ଉତ୍ତର ଓଡ଼ିଶାର ୩ଟି ଜିଲ୍ଲାରେ ୧୧ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜରେ ୧୧ଜଣଙ୍କର ଜୀବନ ଯାଇଥିବାବେଳେ ୭ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଳାରେ ସର୍ବାଧିକ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ୱରରେ ୪ ଓ ମୟୁରଭଂଜରେ ୨ଜଣ ପ୍ରାଣ ହରାଇଛନ୍ତି । ବଜ୍ରାଘାତରେ ବାଲେଶ୍ୱର ଓ ଭଦ୍ରକର ୭ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ବଜ୍ରାପାତରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ଉପାୟମାନ ଅବଲମ୍ବନ କରନ୍ତୁ : 

ବଜ୍ରପାତରୁ ରକ୍ଷା ପାଇବାର କୌଶଳ :
ବଜ୍ରପାତ ହେଉଥିବା ସମୟରେ ଆପଣ ଯଦି ଘର ବାହାରେ ଥିବେ ଏବଂ ନିଜକୁ ଅସୁରକ୍ଷିତ ମଣୁଥିବେ , ଯଥାଶୀଘ୍ର ନଇଁ ପଡି ଆଣ୍ଠୁ ବଙ୍କା କରି ଛାଡି ତଳକୁ କରି ବସି ପଡ଼ନ୍ତୁ । କେବେହେଲେ ମଧ୍ୟ ଭୂମିରେ ଚିତ୍ ହୋଇ ଶୁଅନ୍ତୁ ନାହିଁ ।

ଦୁଇ ଗୋଡର ଗୋଇଠି ଯେପରି ଲାଗି ରହିବ ସେଥିପ୍ରତି ଅଧିକ ଯତ୍ନବାନ୍ ହୁଅନ୍ତୁ । ଫଳରେ ବୈଦୁତିକ ଝଟକା ଗୋଡର ଗୋଟିଏ ଗୋଇଠିରୁ ଅନ୍ୟ ଗୋଇଠି ସାହାଯ୍ୟରେ ପ୍ରବାହିତ ହୋଇଥାଏ । ଏବଂ ଶରୀରର ଅନ୍ୟ କୌଣସି ଅଙ୍ଗରେ ପ୍ରବାହିତ ହେବା ପାଇଁ ବାଧା ହୋଇଥାଏ ।

ହାତ ପାପୁଲି ସାହାଯ୍ୟରେ ଦୁଇ କାନକୁ ବନ୍ଦ ରଖନ୍ତୁ । ଏହାଦ୍ୱାରା ବଜ୍ରପାତ ମାରିବା ସମୟରେ ଉତ୍ପନ୍ନ ଶବ୍ଦରୁ କାନରୁ ରକ୍ଷା ମିଳିଥାଏ । ଧ୍ୟାନ ଦିଅନ୍ତୁ ଯେପରି ଦୁଇ ପାଦର ଆଙ୍ଗୁଠି ତଳ ଅଂଶ କେବଳ ଭୂମି ସଂସ୍ପର୍ଶରେ ଆସୁଥିବ । ଏହା ଦ୍ୱାରା ଶରୀରରେ କମରୁ କମ୍ ବୈଦ୍ୟୁତିକ ଝଟକା ଲାଗିଥାଏ ।

କଣ କରିବା ଉଚିତ୍ :
• ବଜ୍ରପାତରୁ ଘରକୁ ରକ୍ଷା କରିବା ପାଇଁ ବଜ୍ରପାତ ପ୍ରତିରୋଧକ କଣ୍ଡକ୍ଟର ଲଗାନ୍ତୁ ।

• ଘଡଘଡି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକଘର ଭିତରକୁ ଚାଲି ଆସନ୍ତୁ ।

• ମୋଟା ଚଦର ଛାତ ଥିବା ଗାଡି ଯଥା କାର୍, ବସ୍ ଆଦି ଯାନ ମଧ୍ୟ ନିରାପଦ ଅଟେ ।

• ଘର ଭିତରେ ଥିବା ବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡି କରି ରୁହନ୍ତୁ ।

• ବିଦ୍ୟୁତ୍ ପ୍ରବାହିତ ବସ୍ତୁଠାରୁ ଦୂରରେ ରୁହନ୍ତୁ ।

• ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥଇଲେ ଖାଲୁଆ ସ୍ଥାନ ଦେଖି ଯାକି ଯୁକି ହୋଇ ରହିଯାଆନ୍ତୁ । ମୁଣ୍ଡ ଏବଂ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ । ନିଜେ ମଧ୍ୟ ଯଥାସାଧ୍ୟ କମ୍ ଉଚ୍ଚତାରେ ରୁହନ୍ତୁ ।

• ମୁଣ୍ଡ ବାଳ ଠିଆ ହୋଇଗଲେ କିମ୍ବା ପାଖ ପଥର ଆଦିରୁ ପ୍ରତିଫଳିତ ଶବ୍ଦ କାନକୁ ଶୁଭିଲେ ସେ ସ୍ଥାନ ଛାଡି ଚାଲିଯାଆନ୍ତୁ ।

• ଯଦି ଗାଡି ଚଳାଉଥାନ୍ତି, ଏହାକୁ ଆସ୍ତେ ଚଳାନ୍ତୁ । ଗଛ କିମ୍ବା ଇଲେକ୍ଟ୍ରି ଲାଇନ୍ ଠାରୁ ଯଥା ସମ୍ଭବ ଦୂରରେ ରୁହନ୍ତୁ ।

• ପୋଖରୀ ଅଥବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ । ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି ଯଥା ଶୀଘ୍ର ବାହାରି ଯାଆନ୍ତୁ ।

• ବଜ୍ରପାତର ସମ୍ଭାବନା ଦେଖାଗଲେ ଗୃହପାଳିତ ପଶୁମାନଙ୍କୁ ବାହାରେ ନଛାଡି ଘର ଭିତରେ ରଖନ୍ତୁ ।

କଣ ନକରିବା ଉଚିତ୍ :

• ବିଦ୍ୟୁତ୍ ଚାଳିତ ଉପକରଣ ଏବଂ ତାରଯୁକ୍ତ ଟେଲିଫୋନ୍ ଓ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ ।

• ଖୋଲା ଘର ବା ତମ୍ବୁ ତଳେ ଆଶ୍ରୟ ଏ ସମୟରେ ନିରାପଦ ନୁହେଁ ।

• ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ ।

• ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡି ଉଡାନ୍ତୁ ନାହିଁ ।

• ହାତରେ ମାଛ ଧରା ବନଶୀ, ଲୁହାବେଂଟ ଛତା ବା ଲୁହାଛଡ ଧରନ୍ତୁ ନାହିଁ ।

• କୌଣସି ଧାତୁ ତିଆରି ଜିନିଷ ଛୁଅନ୍ତୁ ନାହିଁ ।

• ଲୁହାଖମ୍ବ, ଲୁହାଝଡ ଏବଂ ଲୁଗା ଶୁଖାଇବା ତାରଠାରୁ ଦୂରରେ ରୁହନ୍ତୁ ।

• ସାଇକେଲ୍ ଚଲାନ୍ତୁ ନାହିଁ କିମ୍ବା ଖୋଲା ଗାଡିରେ ବୁଲନ୍ତୁ ନାହିଁ ।

• ଗୃହପାଳିତ ପଶୁମାନଙ୍କୁ କୌଣସି ଧାତୁଯୁକ୍ତ ପଦାର୍ଥରେ ବାନ୍ଧି ରଖନ୍ତୁ ନାହିଁ ।