କେଉଁଠି ହେବ ବଜ୍ରପାତ ! ୪୫ ମିନିଟ ପୂର୍ବରୁ କାଳବୈଶାଖୀ ଓ ବଜ୍ରପାତର ମିଳିବ ସୂଚନା, ମୋବାଇଲରେ ଆଗୁଆ ସୂଚନା ପାଇବେ ଲୋକେ

51

କନକ ବ୍ୟୁରୋ : ଓଡ଼ିଶା ଛୁଇଁଲାଣି ମୌସୁମୀ । ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ିର ପ୍ରଚଣ୍ଡ ଶବ୍ଦରେ ଥରି ଉଠୁଛି ଛାତି । ଆଉ ଏସବୁ ଭିତରେ ବଜ୍ରପାତରେ ଚାଲି ଯାଉଛି ନିରୀହ ଜୀବନ । ଦିନକୁ ଦିନ ଓଡ଼ିଶାରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ଏଭଳି ସମୟରେ ବଜ୍ରପାତର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏଣିକି ୪୫ ମିନିଟ ପୂର୍ବରୁ ମିଳିବ ବଜ୍ରପାତର ସୂଚନା । ନିଦ୍ଦିଷ୍ଟ କେଉଁ ସ୍ଥାନରେ ବଜ୍ରପାତ ହେବ ୪୫ ମିନିଟ ପୂର୍ବରୁ ଏହାର ସୂଚନା ପାଇପାରିବେ ଲୋକେ । ସବୁଠୁ ବଡ଼ କଥା ହେଲା ବଜ୍ରପାତ ଓ କାଳବୈଶାଖୀ ନେଇ ମୋବାଇଲରେ ଆଗୁଆ ସୂଚନା ପାଇପାରିବେ ଲୋକେ । ଆଉ ଏଥିପାଇଁ ଓସଡ଼ମା ଓ ଆର୍ଥ ନେଟୱାର୍କ ମଧ୍ୟରେ ଏକ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ଆଗୁଆ କାଳବୈଶାଖୀ ଓ ବଜ୍ରପାତର ସୂଚନା ପାଇବାକୁ ଲାଇଟିଂ ଡିଟେକ୍ସନ ସର୍ଭିସ ବ୍ୟବହାର କରିବେ ରାଜ୍ୟ ସରକାର । ଯାହାକୁ ଯୋଗାଇଦେବ ଆମେରିକୀୟ କମ୍ପାନି ଆର୍ଥ ନେଟୱାର୍କ । ଆର୍ଥ ନେଟୱାର୍କ ସଂସ୍ଥା ପୂର୍ବରୁ ୫୦ଟି ଦେଶରେ ସକ୍ରିୟ ରହିଛି । ଭାରତର ଆନ୍ଧ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ମଧ୍ୟ ଏହି ସଂସ୍ଥା କାମ କରିଛି । ତେଣୁ ଏହି କମ୍ପାନି ସହଯୋଗରେ ଲାଇଟିଂ ଡିଟେକ୍ସନ ସର୍ଭିସ ଦ୍ୱାରା ବଜ୍ରପାତ ହେବାର ୪୫ ମିନିଟ ପୂର୍ବରୁ ସୂଚନା ମିଳିପାରିବ । ୨୦୧୭-୧୮ରେ ବଜ୍ରାଘାତରେ ମୃତକଙ୍କ ସଂଖ୍ୟା ୪୫୬ରେ ପହଞ୍ଚିଛି । କେଉଁଝର, ମୟୂରଭଞ୍ଜ ଓ ଉପକୂଳ ଓଡ଼ିଶାରେ ଅଧିକ ବଜ୍ରପାତ ହେଉଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।