ବଜ୍ରପାତ ନେଇଗଲା ୧୮ ଜୀବନ : ଉତ୍ତର ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୧ ମୃତ,ପଶ୍ଚିମ ଓଡ଼ିଶାରେ ୩ ମହିଳାଙ୍କ ମୃତ୍ୟୁ

74

କନକ ବ୍ୟୁରୋ : ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଘଡଘଡି ନେଇଛି ଜୀବନ । ବଜ୍ରାଘାତରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରେମୁଣାରେ ଜଣେ ଗୁରୁତର ହୋଇଛନ୍ତି । ବସ୍ତା ବ୍ଲକରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଜଳେଶ୍ୱର ବ୍ଲକରେ ମଧ୍ୟ ବଜ୍ରାଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବୋଲଗଡରେ ବଜ୍ରାଘାତରେ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସେପଟେ ମୟୂରଭଂଜ ଉଦଳାରେ ବଜ୍ରପାତ ନେଇଛି ଜଣଙ୍କ ଜୀବନ । ସେହିପରି ବରଗଡ଼ରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

lighting
image courtesy-https://www.mnn.com

ମିଳିଥିବା ସୂଚନା ଅନୁସାରେ, ଉତ୍ତର ଓଡ଼ିଶାରେ ସର୍ବାଧିକ ୧୧ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ରେ ବିଲରେ କାମ କରୁଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ । ୨ ମୃତକ ହେଲେ, ମାଙ୍କଡ଼ଗଡ଼ିଆ ଗ୍ରାମର ବାବୁଧର ବେହେରାଙ୍କ ପୁଅ ରୁଦ୍ରରାଜ ବେହେରା (୨୪) ଏବଂ ବରୁଣଗଡ଼ିଆ ଗ୍ରାମର ସତ୍ୟାନନ୍ଦ ବେହେରାଙ୍କ ପୁଅ ମଧୁସୂଦନ ବେହେରା (୪୫) । ଅନ୍ୟ ମୃତକମାନେ ହେଲେ,ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ପନ୍ତା ଗ୍ରାମର ଅଜୟ ବାଡ଼ିଙ୍କ ପୁଅ ରଂଜନ ବାଡ଼ି (୨୫);ସୋର ବ୍ଲକ ଶିଙ୍ଗାଖୁଣ୍ଟା ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ସ୍ତ୍ରୀ ବାସନ୍ତୀ (୫୫), ଜଳେଶ୍ୱର ଅନ୍ତର୍ଗତ ମହୁଲିଆର ବୈରାଗୀ ବେହେରାଙ୍କ ପୁଅ ଯଶୋବନ୍ତ (୩୫) ଓ ଉପରବାଗବୁଡ଼ାର ନାରାୟଣ ସୋରେନଙ୍କ ପୁଅ ବାରିଆଲ ସୋରେନ (୩୫) ।

ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ଯୋଗୁ ବଡ଼ସାହି ବ୍ଲକ୍‌ ଚନ୍ଦନପୁର ପଞ୍ଚାୟତ ଶ୍ରୀରାମପୁର ଗାଁର ଅଭିରାମ ମୁର୍ମୁଙ୍କ ପୁଅ ଲକ୍ଷ୍ମଣ ମୁର୍ମୁ (୪୦)ଙ୍କ ବିଲରେ କାମ କରୁଥିବା ବେଳେ ମୃତ୍ୟୁ ଘଟିଥିବାବେଳେ ଖୁଣ୍ଟା ବ୍ଲକ୍‌ ଅଧୀନ ଚୁନଡ଼ିହା ଗାଁର ଭାସ୍କର ଚନ୍ଦ୍ର ବେହେରାଙ୍କ ପୁଅ ରାଜେନ୍ଦ୍ର (୩୫) , ମୋରଡ଼ା ବ୍ଲକ୍‌ ବେତନଟୀ ଥାନା ସୁନାହଜାର ଗାଁର ସାରଥୀ ମହାନ୍ତ (୬୫) ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ଏବଂ ବୈଶିଙ୍ଗା ଥାନା ଅଧୀନ ମହେଶ୍ୱରପୁର ଅଞ୍ଚଳରେ ଜମିରେ କାମ କରୁଥିବା ସୁଶୀଳା ରଣା (୬୩) ନାମକ ମହିଳାଙ୍କ ମୃତ୍ୟୁ ଘଟିଛି ।

ଗୋଟିଏ ଦିନରେ ବଜ୍ରପାତ ଯୋଗୁ ପଶ୍ଚିମ ଓଡ଼ିଶାର ୩ ମହିଳାଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାର ତିନି ଜଣ ରହିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ବରଗଡ଼ ଜିଲ୍ଲାର ଭେଡ଼େନ ଥାନା ଅନ୍ତର୍ଗତ ସିଆଲଖଣ୍ଡହତା ପଂଚାୟତର ଖଲିଆପାଲିର ସାବିତ୍ରୀ ଦରଦମେଘ (୧୮) ଓ କୌଶଲ୍ୟ ଓରଫ ଅତୁଲ୍ୟ ଦରଦମେଘ (୧୫)ଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ସେମାନେ ଶୌଚ ପାଇଁ ଯାଉଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ। ସେହିପରି ଅତାବିରା ଥାନା ଅନ୍ତର୍ଗତ ଲରାସରା ପଂଚାୟତର ଡୁମେରମୁଣ୍ଡାର କାହୁଁ ଭୁଏ (୪୫)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଚନାବେଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରୋହେନପଦର ଗ୍ରାମରେ ଭୁବନୀ ମାଝୀ (୩୫) ଏବଂ ସୁବର୍ଣ୍ଣପୁର ବିନିକା ବ୍ଲକ ଯୁଲୁଣ୍ଡା ପଞ୍ଚାୟତ ମହୁବାହାଲି ଗାଁର କାଳିଆ ବେହେରା (୪୯) ବଜ୍ରପାତରେ ପ୍ରାଣ ହରାଇଛନ୍ତି ।

ବୋଲଗଡ଼ ବ୍ଲକ୍‌ ବଡ଼କୁମାରୀ ପଞ୍ଚାୟତ ଅଧୀନ ମାଣିକପୁର ଗ୍ରାମର ଭଗବାନ ସାହୁ(୩୫) ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି, ବଜ୍ରପାତରେ ରାଜନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣସାହି ଗାଁର ନୃସିଂହ ଚରଣ ଜେନା(୫୬)ଙ୍କ ମୃତ୍ୟୁ ଘଟିଛି ।  ନୃସିଂହ ଧାନ ତଳି ଉପାଡ଼ିବାକୁ ବିଲକୁ ଯାଇଥିଲେ । ସେହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।