ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ଟପିଗଲା ଘଡ଼ଘଡିର ଆତଙ୍କ ! ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

148

କନକ ବ୍ୟୁରୋ : ବନ୍ୟା, ବାତ୍ୟା, ଅଂଶୁଘାତ ଏବଂ ଅଗ୍ନିକାଣ୍ଡ ଭଳି ବିପର୍ଯ୍ୟୟକୁୁ ବଳି ଯାଇଛି ବଜ୍ରାଘାତର ଭୟ । ସବୁଠୁ ବଡ ବିପର୍ଯ୍ୟୟ ଭାବରେ ସାମ୍ନାକୁ ଆସିଛି ବଜ୍ରାଘାତ । ଆଉ ଗତ ଦୁଇ ଦିନ ଭିତରେ ଓଡ଼ିଶାର କୋଣ ଅଣୁକୋଣରୁ ଯେଭଳି ଭାବେ ବଜ୍ରାଘାତ ଜନିତ ମୃତ୍ୟୁର ଖବର ଆସିବାରେ ଲାଗିଛି, ତାହା ସମସ୍ତଙ୍କୁ ଏଦିଗରେ ଚିନ୍ତା କରିବା ପାଇଁ ବାଧ୍ୟ କରିଦେଇଛି ।

୨୦୧୩ରୁ ୨୦୧୭, ବର୍ତ୍ତମାନ ସୁଦ୍ଧା ବଜ୍ରାଘାତରେ ୧୫ଶହ ୯୬ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ଏହି ସଂଖ୍ୟା ବନ୍ୟା, ବାତ୍ୟା ଏବଂ ଅଂଶୁଘାତ ଭଳି ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟାଠାରୁ ଢ଼େର ବେଶୀ । ୨୦୧୩-୨୦୧୪ ମସିହାରେ ଓଡ଼ିଶାରେ ୩୭୨ ଜଣ ବଜ୍ରାଘାତରେ ପ୍ରାଣ ହରାଇଥିବା ବେଳେ ୨୦୧୪-୧୫ରେ ଏହି ସଂଖ୍ୟା ୩୧୧ରେ ପହଂଚିଥିଲା । ସେହିପରି ୨୦୧୫-୧୬ରେ ୪୦୩ ଜଣ ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ବେଳେ ୨୦୧୬-୧୭ରେ ଏହା ୩୭୦କୁ ପହଂଚିଥିଲା । ଆଉ ସବୁଠାରୁ ବଡ କଥା କଥା ହେଲା କେବଳ ୨୦୧୭ ମସିହା ସୁଦ୍ଧା ଏହି ସଂଖ୍ୟା ୧୪୦ରେ ପହଂଚିଛି ।

ଆଉ ଏନସିଆରବିର ପରିସଂଖ୍ୟାନ କହୁଛି-ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ବଜ୍ରାଘାତରେ ସବୁଠୁ ଅଧିକ । ବଜ୍ରାଘାତରେ ସର୍ବାଧିକ ୧୨.୮% ଲୋକ ପ୍ରାଣ ହରାଉଥିବା ବେଳେ ଅଂଶୁଘାତ ୬.୨%, ଶୀତ ପ୍ରବାହରେ ୪.୫%, ବନ୍ୟାରେ ୨.୭%, ଭୁସ୍ଖଳନରେ ୨.୫%, ବାଦଲଫଟା ବର୍ଷାରେ ୦.୮% ପ୍ରତିଶତ ଲୋକଙ୍କ ମୃତ୍ୟୁ ହେଉଛି । ଆଉ ଅନ୍ୟାନ୍ୟ କ୍ଷେତ୍ରରେ ୭୦.୬% ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥାଏ । ଆଉ ସବୁଠାରୁ ବଡ଼ କଥା ହେଲା-ପୂର୍ବାହ୍ନ ୧୨ରୁ ଅପରାହ୍ନ ୪ଟାରେ ଭିତରେ ଏହି ଘଡ଼ଘଡ଼ି ଏବଂ ବଜ୍ରାପାତ ସଂଭାବନା ଅଧିକ ।

ତେବେ କ’ଣ ଏହି ବିଜୁଳି ଏବଂ ବଜ୍ରପାତ? ଏହା କେମିତି ସଂଗଠିତ ହୋଇଥାଏ ? ମେଘ-ମେଘ ମଧ୍ୟରେ ଚାର୍ଜ କଣିକାର ସ୍ଥାନାନ୍ତରରୁ ବିଜୁଳି ସୃଷ୍ଟି ହୋଇଥାଏ । ମେଘ-ଭୂପୃଷ୍ଠ ମଧ୍ୟରେ ଚାର୍ଜ କଣିକାର ସ୍ଥାନାନ୍ତରକୁ କୁହାଯାଏ ବଜ୍ରପାତ । ପ୍ରାକୃତିକ ବିପର୍ଯ୍ୟକୁ ଟାଳିିବା ହୁଏତ ବର୍ତମାନ ସମୟରେ ସଂଭବ ହୋଇନଥିବା ବେଳେ ବିଜୁଳି ଏବଂ ବଜ୍ରପାତ ଭଳି ବିପର୍ଯ୍ୟୟରୁ ରକ୍ଷା ପାଇଁ ହେଲେ ସଚେତନ ଏବଂ ସତର୍କ ରହିବା ହିଁ ବର୍ତ୍ତମାନ ସବୁଠୁ ସୁରକ୍ଷିତ ପଦକ୍ଷେପ କୁହାଯାଇପାରିବ ।