ଭୁବନେଶ୍ୱରରେ ମେଟ୍ରୋ ନୁହେଁ ଲାଇଟ ମେଟ୍ରୋ ଚଳାଇବାକୁ ପରାମର୍ଶ ଦେଲେ ମେଟ୍ରୋ ମ୍ୟାନ । କନକ ନ୍ୟୁଜକୁ ଜଣାଇଲେ ଇଂ. ଶ୍ରୀଧରନ । ପଦକ୍ଷେପ ନେବେ କି ସରକାର ?

49

କନକ ବ୍ୟୁରୋ : ଭୁବନେଶ୍ୱରରେ ମେଟ୍ରୋ ନୁହେଁ, ଲାଇଟ ମେଟ୍ରୋ ଚଳାଇବା ଉଚିତ । କନକ ନ୍ୟୁଜକୁ ଏଭଳି ଉତ୍ତର ଦେଇଛନ୍ତି- ଭାରତର ମେଟ୍ରୋ ମ୍ୟାନ ତଥା ପଦ୍ମବିଭୂଷଣ ଇଂ. ଇଶ୍ରୀଧରନ୍ । ଭୁବନେଶ୍ୱର ସହରର ଲୋକସଂଖ୍ୟା ପାଖାପାଖି ୧୦ ଲକ୍ଷ ହେଲେ ସୁଦ୍ଧା କଟକ, ଖୋର୍ଦ୍ଧାକୁ ନେଇ ମେଟ୍ରୋ ଚଳାଇବା ଆବଶ୍ୟକ କି ବୋଲି କନକନ୍ୟୁଜ୍ ପକ୍ଷରୁ ମେଟ୍ରୋ ମ୍ୟାନଙ୍କୁ ପତ୍ର ଲେଖାଯାଇଥିଲା । ଏ ନେଇ କନକ ନ୍ୟୁଜକୁ ଉତ୍ତର ଦେଇଛନ୍ତି ଇଂ. ଇଶ୍ରୀଧରନ୍ ।

ଶ୍ରୀଧରନ୍ ତାଙ୍କ ଉତ୍ତରରେ ଲେଖିଛନ୍ତି- ଗୋଟିଏ ସହରର ଲୋକସଂଖ୍ୟା ମାତ୍ର ୧ ନିୟୁତ ବା ଦଶ ଲକ୍ଷ ହେଲେ ସେଠାରେ ମେଟ୍ରୋ ଚଳାଇବା ଖୁବ୍ ବ୍ୟୟବହୁଳ ହୋଇଯିବ । ମୁଁ ଭୁବନେଶ୍ୱର ସହର ସହ ଭଲ ଭାବେ ପରିଚିତ ନୁହେଁ । ତେବେ ଭୁବନେଶ୍ୱରରେ “ଲାଇଟ୍ ମେଟ୍ରୋ’ ଚଳାଇବା ପାଇଁ ବିଚାର କରାଯାଇପାରେ । ମେଟ୍ରୋର ନିର୍ମାଣ ପାଇଁ ଯାହା ଖର୍ଚ୍ଚ ହେବ, ତାର ମାତ୍ର ୭୦ ପ୍ରତିଶତ ଅର୍ଥରେ “ଲାଇଟ୍ ମେଟ୍ରୋ’ ଚାଲିପାରିବ ।

ତେବେ ଓଡ଼ିଶା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି- ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଭଳି ଅଂଚଳ ମଧ୍ୟରେ ଦ୍ରୁତ ଟ୍ରେନ୍ ଚଳାଇବା ପାଇଁ ଅଧିକ ବ୍ୟବସ୍ଥା କରିବା ଆବଶ୍ୟକ । କେରଳର କୋଚି ଓ ବେଙ୍ଗଲୁରୁରେ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ ହେବା ପରେ ଭୁବନେଶ୍ୱରରେ କାହିଁକି ମେଟ୍ରୋ ସେବା ଆରମ୍ଭ ହେବ ନାହିଁ, ସେ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା ।

ଓଡ଼ିଶା ସରକାର ମେଟ୍ରୋ ଟ୍ରେନ୍ ଚଳାଇବାକୁ ଚାହାନ୍ତି କି? ଏ ନେଇ କେନ୍ଦ୍ର ସରକାର କିଛି ମାସ ତଳେ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ଚିଠି କରିଥିଲେ । ମେଟ୍ରୋ ରେଲ୍ ଏକ ବ୍ୟୟବହୁଳ ପ୍ରକଳ୍ପ ହୋଇଥିବା ବେଳେ ଏ ନେଇ କେନ୍ଦ୍ର ସରକାର ମେଟ୍ରୋ ରେଲ୍ ପଲିସି-୨୦୧୭ ତିଆରି କରିଛନ୍ତି । ଏହି ନୀତି ଅନୁସାରେ, ରାଜ୍ୟ ସରକାର ଏଥିପାଇଁ ଆଗ୍ରହୀ ହେଲେ କେନ୍ଦ୍ର ୧୦ ପ୍ରତିଶତ ଅନୁଦାନ ଦେବ । ନଚେତ୍ ଏହାକୁ ୫୦-୫୦ ଅନୁପାତରେ ଅଂଶଧନ ଦେଇ ନିର୍ମାଣ କରାଯାଇପାରିବ । କିମ୍ବା ସରକାର ଚାହିଁଲେ, ଘରୋଇ ସଂସ୍ଥାର ସହଯୋଗରେ ମେଟ୍ରୋ ରେଲ୍ ପ୍ରକଳ୍ପ ନିର୍ମାଣ କରିପାରିବେ । ତେବେ ଦ୍ରୁତ ପରିବହନ ନେଇ ରହିଥିବା ଅନ୍ୟାନ୍ୟ ବିକଳ୍ପ ଉପରେ ଓଡ଼ିଶା ସରକାର ଗୁରୁତ୍ୱ ଦେଉଥିବାରୁ ମେଟ୍ରୋ ନେଇ ସେଭଳି ଅଗ୍ରଗତି ହୋଇନଥିବା ଜଣାପଡ଼ିଛି ।