ସ୍ମାର୍ଟଫୋନ ଗୋଟିଏ, କିନ୍ତୁ ରହିଛି ୯ଟି କ୍ୟାମେରା ! ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏଭଳି ହାଇକ୍ୱାଲିଟି ମୋବାଇଲ୍ ।

21

ଦିନକୁ ଦିନ ସ୍ମାର୍ଟଫୋନର ବ୍ୟବହାର ବଢିବାରେ ଲାଗିଛି । ବିଶେଷ କରି ସ୍ମାର୍ଟଫୋନର କ୍ୟାମେରା ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହେଉଛନ୍ତି । ଆଉ ଏଥି ପାଇଁ ସ୍ମାର୍ଟଫୋନ ଗୁଡିକରେ କ୍ୟାମେରାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଲାଣି । ପ୍ରଥମରୁ ସ୍ମାର୍ଟଫୋନରେ କେବଳ ଗୋଟିଏ ରିୟର କ୍ୟାମେରା ରହୁଥିଲା, କିନ୍ତୁ ଏହା ପରେ ସେଲଫି କ୍ୟାମେରା ଏବଂ ଏହା ପରେ ଡୁଆଲ ରିୟର କ୍ୟାମେରା ସ୍ମାର୍ଟଫୋନ ମଧ୍ୟ ଲଞ୍ଚ ହୋଇସାରିଲାଣି । ଡୁଆଲ ରିୟର କ୍ୟାମେରା ପରେ ଟ୍ରିପଲ କ୍ୟାମେରା ମଧ୍ୟ ଆସିସାରିଲାଣି । ତେବେ ଏଥର ଦୁଇଟି କିମ୍ବା ତିନୋଟି ନୁହେଁ ବରଂ ୯ଟି ଲେନ୍ସ ଥିବା ମୋବାଇଲ ଆସିବାକୁ ଯାଉଛି ।

ଲାଇଟ ନାମକ ଏକ କମ୍ପାନୀ ଅଛି ଯାହାକୁ ଆପଣ ଷ୍ଟାର୍ଟଅପ୍ କମ୍ପାନୀ ମଧ୍ୟ କହିପାରିବେ । ଏହି କମ୍ପାନୀ ଏବେ ୯ଟି ଲେନ୍ସ ଥିବା କ୍ୟାମେରା ସ୍ମାର୍ଟଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚଳାଇଛି । ଜାତୀୟ ଗଣମାଧ୍ୟମକୁ ଏହି କମ୍ପାନୀ ଏହି ସ୍ମାର୍ଟଫୋନର ପ୍ରୋଟୋଟାଇପ ସୋ କରିଛି ଯେଉଁଥିରେ ୯ଟି ଲେନ୍ସ ଲଗାଯାଇଛି । ତେବେ ଆପଣଙ୍କ ମନରେ ନିହାତି ଏକ ପ୍ରଶ୍ନ ଆସୁଥିବା ଯେ, ୯ଟି କ୍ୟାମେରା ଥିବା ଏହି ସ୍ମାର୍ଟଫୋନର ଲାଭ କଣ । ଦୁଇଟି କିମ୍ବା ତିନୋଟି କ୍ୟାମେରା ଥିବା ସ୍ମାର୍ଟଫୋନ ପ୍ରଥମରୁ ବଜାରରେ ଅଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୯ଟି ଲେନ୍ସ ଥିବା ଏହି ସ୍ମାର୍ଟଫୋନରେ ୬୪ ମେଗାପିକ୍ସଲ ପର୍ଯ୍ୟନ୍ତ ସଟ୍ ନିଆଯାଇପାରିବ । କମ ଆଲୁଅରେ ମଧ୍ୟ ଭଲ ଫଟୋଗ୍ରାଫି ହୋଇପାରିବ । ଅର୍ଥାତ ଡିଏସଏଲାର ଭଳି ଏହି ସ୍ମାର୍ଟଫୋନରେ ଫଟୋ ଉଠାଯାଇପାରିବ । ମିଳିଥିବା ସୂଚନା ଅନୁଯାୟୀ, ଏହି କମ୍ପାନୀ ଏକା ସାଙ୍ଗରେ ଅନେକ ପ୍ରୋଟୋଟାଇପ ଉପରେ କାମ କରୁଛି, ଯେଉଁଥିରେ ୫ଟିରୁ ଆରମ୍ଭ କରି ୯ଟି ରିୟର କ୍ୟାମେରା ସେଟଅପ୍ ରହିଛି । ତେବେ ଏହି ସ୍ମାର୍ଟଫୋନ ଚଳିତ ବର୍ଷ ଶେଷ ଆଡକୁ ଲଞ୍ଚ କରିବ ନେଇ କମ୍ପାନୀ ଆଶା ପ୍ରକଟ କରିଛି ।