କୋର୍ଣାକ ମନ୍ଦିରର କାହାଣୀ କହିବ ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’ ! ଦିନକୁ ଦୁଇଥର ହେବ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’

97

କନକ ବ୍ୟୁରୋ : ଏଣିକି ରଙ୍ଗ ବେରଙ୍ଗର ଲାଇଟରେ ଝଲସିବ କୋର୍ଣାକ । ଆଉ ଏହି ଲାଇଟ ମାଧ୍ୟମରେ ପ୍ରଦର୍ଶିତ ହେବ ଧର୍ମପଦର ବୀରତ୍ୱର କାହାଣୀ । ଐତିହାସିକ କୋର୍ଣାକର ଟିକିନିକି କାରୁକାର୍ଯ୍ୟକୁ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯିବ । ଦୀର୍ଘ ମାସର ଦାବି ପରେ ଶେଷରେ କୋଣାର୍କ ଶବ୍ଦାଲୋକ ପ୍ରକଳ୍ପର ଦୁଇଟି ସୋ’ ପାଇଁ ମଂଜୁରି ମିଳିଛି। ଆଜିଠାରୁ ସୂର୍ୟ୍ୟମନ୍ଦିରରେ ଆରମ୍ଭ ହୋଇଛି ଶବ୍ଦାଲୋକ ପ୍ରକଳ୍ପର ଦୁଇଟି ସୋ’। ଆଜି ପ୍ରଥମ ଦିନରେ ଦୁଇଟି ସୋ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମିଳିଥିବା ସୂଚନା ମୁତାବକ ୯୦ ଦଶକରୁ ପ୍ରସ୍ତାବିତ କୋଣାର୍କ ସୂର୍ଯ୍ୟମନ୍ଦିରର ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’କୁ ଗତବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ।

୬ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ସୋ ଓଡ଼ିଶା ସରକାରଙ୍କ ପର୍ୟ୍ୟଟନ ବିଭାଗ ଓ କେନ୍ଦ୍ର ପର୍ୟ୍ୟଟନ ବିଭାଗର ମିଳିତ ସହଯୋଗରେ ଆରମ୍ଭ ହୋଇଛି। ମାତ୍ର ଏହି ପ୍ରକଳ୍ପର ଦୁଇଟି ସୋ ପାଇଁ ସୂର୍ଯ୍ୟମନ୍ଦିରରର ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିବା ସଂସ୍ଥା ପକ୍ଷରୁ ଅନୁମତି ଦେବା ପାଇଁ ବିଳମ୍ବ ହୋଇଥିଲା। ବିଭିନ୍ନ ମହଲରୁ ଦାବି ପରେ ଜୁନ ୧୭ରୁ ଦୁଇଟି ସୋ ପାଇଁ ଅନୁମତି ମିଳିଛି। ଗୋଟିଏ ସୋ ସନ୍ଧ୍ୟା ୭ ଟାରୁ ୭.୪୫ ଓ ଦ୍ଵିତୀୟ ସୋ ୮ଟାରୁ ୮.୪୫ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ ବୋଲି ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।