ଶୀତ ଦିନିଆ ଥଣ୍ଡା, କାଶରୁ କିଭଳି ପାଇବେ ମୁକ୍ତି ! ଆପଣାନ୍ତୁ କିଛି ଘରୋଇ ଉପଚାର

89

ଶୀତ ଦିନେ ଥଣ୍ଡା ହେବା ସ୍ୱାଭାବିକ କଥା । ଏହି ଋତୁରେ ବହୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ଶିଶୁଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଶ୍ୱାସ ଜନିତ ସମସ୍ୟାରେ ସଂକ୍ରମିତ ହୋଇଥାନ୍ତି । ଶୀତ ପୋଷାକ ବୃଦ୍ଧଙ୍କଠାରୁ ଶିଶୁ ପର୍ଯ୍ୟନ୍ତ ସମସ୍ତେ ପିନ୍ଧିବା ଉଚିତ୍ । ସଂକ୍ରମଣ ହେବାର ସମ୍ଭାବନା ଏହି ଋତୁରେ ଅଧିକ ଦେଖାଯାଏ । ଥଣ୍ଡା ହେଲେ ପୂରା ଉପଶମ ପାଇଁ କୌଣସି ଔଷଧ ନାହିଁ, କିନ୍ତୁ ଏହାର ଲକ୍ଷଣ- କାଶ, ଗଳାଫୁଲା, ନାକ ରୁନ୍ଧିହୋଇଯିବା, ଛିଙ୍କ ଓ ଜ୍ଜରର ଚିକିତ୍ସା କରାଯାଇପାରେ । ତେଣୁ ଏଭଳି ସଂକ୍ରମଣରୁ କିଭଳି ରକ୍ଷା ପାଇବେ ସେଥିପାଇଁ ସଚେତନ ରହିବା ଜରୁରୀ । ସର୍ଦ୍ଦି ଓ ଥଣ୍ଡା, କାଶରୁ ରକ୍ଷା ପାଇବାକୁ ହେଲେ ଘରକୁ ସଫା କରିବା ଦରକାର । ତେବେ ଆସନ୍ତୁ ଜାଣିବା, ଥଣ୍ଡା ଓ କାଶ ଜନିତ ସମସ୍ୟାରୁ କିଭଳି ମୁକ୍ତି ପାଇବେ । ଏଥିପାଇଁ ଆମେ ଆପଣଙ୍କୁ କେତେକ ଉପାୟ ସମ୍ବନ୍ଧରେ ଜଣାଉଛୁ ।

ଗଣ୍ଠି ଯନ୍ତ୍ରଣା ବଢିଯାଏ

ଶୀତ ଦିନେ ରକ୍ତ ପ୍ରବାହ କମ୍ ହେବା ଯୋଗୁଁ ଗଣ୍ଠି ଜାଗାଗୁଡିକର ସଂଚାଳନ ସମସ୍ୟା ଦେଖାଦିଏ ଏବଂ ବାୟୁମଣ୍ଡଳର ଚାପରେ ପରିବର୍ତ୍ତନ ହେତୁ ଗଣ୍ଠିଫୁଲି ଯନ୍ତ୍ରଣା ହୋଇଥାଏ । ଶରୀର ସୂର୍ଯ୍ୟକିରଣ ବି କମ୍ ପାଏ । ଭିଟାମିନ୍-ଡିର ଅଭାବ ହାଡକୁ ଦୁର୍ବଳ କରିଦିଏ । ଏଣୁ ସୂର୍ଯ୍ୟାଲୋକରେ କିଛି ସମୟ ରୁହନ୍ତୁ ।

ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି

ଅଳ୍ପ ଉଷୁମ ପାଣିରେ ସ୍ନାନ କରନ୍ତୁ । ସ୍ନାନ ପରେ ହଠାତ୍ ବାହାରକୁ ଯାଆନ୍ତୁ ନାହିଁ । ହାତରେ ଗ୍ଲୋବସ୍ ପିନ୍ଧନ୍ତୁ । ସକ୍ରିୟ ରହିବା ପାଇଁ ଘର ଭିତରେ ବ୍ୟାୟାମ କରନ୍ତୁ । ଖରାରେ କିଛି ସମୟ ରୁହନ୍ତୁ ଯାହା ଭିଟାମିନ-ଡି ଯୋଗାଇଦେବ । ଏହା ସମ୍ଭବ ନହେଲେ ଭିଟାମିନ-ଡି ସପ୍ଲିମେଣ୍ଟ ଖାଆନ୍ତୁ । ଓମେଗା-୩ ଫ୍ୟାଟି ଏସିଡ୍ ଫୁଲା କମାଏ । ଏହା ଦିନକୁ ୨ରୁ୩ ହଜାର ମିଲିଗ୍ରାମ ଆବଶ୍ୟକ । ସେବନ କରିବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ, କାରଣ ଏହା ବ୍ଲିଡିଂ ସମସ୍ୟା ସୃଷ୍ଟି କରିଥାଏ । ଶୀତରେ ମସାଜ କଲେ ଗଣ୍ଠି ଯନ୍ତ୍ରଣା ହ୍ରାସ ପାଏ ।

ପେଟ ସମସ୍ୟା

ଶୀତଦିନେ ପେଟ ଗୋଳମାଳ ବେଶୀ ହୁଏ । ଦିନ ଛୋଟ ସାଙ୍ଗକୁ ସୂର୍ଯ୍ୟକିରଣ କମ୍ ରହେ । ଶାରୀରିକ ପରିଶ୍ରମ ବି କମ୍ ହୁଏ । ଯେତିକି କ୍ୟାଲୋରୀ ନେଉ ତାହା ସେହି ଅନୁପାତରେ କ୍ଷୟ ନହେବା ଯୋଗୁ ଅଳସୁଆ ଲାଗେ, ଓଜନ ବି ବୃଦ୍ଧି ହୋଇଥାଏ । ଶୀତରେ ଆଲକୋହଲ, ଚା, କଫି ଧୂମପାନ ଅଭ୍ୟାସ ବି ବଢିଯାଏ । ଏଭଳି ସ୍ଥିତିରେ ଛାତିପୋଡା ସମସ୍ୟା ଦେଖାଦିଏ । କୋଷ୍ଠକାଠିନ୍ୟ ସମସ୍ୟା ଜଟିଳ ହୁଏ । ଗରିଷ୍ଠ ଖାଦ୍ୟରୁ ଦୂରେଇ ରହିଲେ ଭଲ ।

ତ୍ୱଚା ସମସ୍ୟା

ଶୀତଦିନେ ତ୍ୱଚା ଶୁଷ୍କ ରହେ ଓ ଫାଟେ । ଏଣୁ ମହିଳା ଓ ଶିଶୁମାନଙ୍କ ପାଦରେ କିମ୍ବା ଆଙ୍ଗୁଳିରେ ଲାଲ ଦାଗ ହୋଇ ଫୁଲିଯାଇ ଫୋଟକା ଭଳି ହୋଇଯାଏ । ଏହା ନାକ କାନରେ ମଧ୍ୟ ଦେଖାଦିଏ । ଏହା ଦୁଇରୁ ତିନି ସପ୍ତାହ ଯାଏ ରହେ ଓ ଭୀଷଣ କୁଣ୍ଡାଇ ହୁଏ । ଏହାକୁ ଚିଲବ୍ଲେନସ କୁହାଯାଏ ।

ପ୍ରତିରୋଧକ ଶକ୍ତି

ଶୀତରେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ ତୁଳସୀ ପତ୍ର ସେବନ କରନ୍ତୁ । ଏହା ସହ ଖାଦ୍ୟରେ ଗୋଲମରିଚ ଓ ହଳଦୀ ବି ଖାଇବା ଦରକାର । ରସୁଣ ଓ ଚା’ବି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ।