ତୁଣ୍ଡ ଘା’କୁ ନେଇ ଚିନ୍ତିତ କି ? ତେବେ ଆପଣାନ୍ତୁ କିଛି ଘରୋଇ ଉପଚାର, ତୁରନ୍ତ ମିଳିବ ଆଶ୍ୱସ୍ତି

184

ପେଟ ଖରାପ କିମ୍ବା ପାଚନ କ୍ରିୟା ଠିକ୍ ନହେବା କାରଣରୁ ପାଟିରେ ଘା’ ହେବା ଏକ ସାଧାରଣ ସମସ୍ୟା । ଏହା ବ୍ୟତୀତ ଅଧିକ ମାତ୍ରାରେ ସମଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ତୁଣ୍ଡ ଘା’ ହୋଇଥାଏ । ଏହାଦ୍ୱାରା କିଛି ଖାଇବା ପିଇବା ଫଳରେ ପାଟିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେବେ ଆସନ୍ତୁ ଜାଣିବା ତୁଣ୍ଡ ଘା’ ଦୂର କରିବା ପାଇଁ କିଛି ସରଳ ଉପାୟ ।

ଧନିଆ

ପ୍ରତ୍ୟେକ ଘରେ ଧନିଆ ସହଜରେ ମିଳିଥାଏ । ଖାଇବାରେ ସ୍ୱାଦ ବଢାଇବା ସହିତ ଏହା ତୁଣ୍ଡ ଘା’କୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଏଥିପାଇଁ ୧ ଚାମଚ ଗୋଟା ଧନିଆ ନେଇ ୧ କପ ପାଣିରେ ଫୁଟାନ୍ତୁ । ଫୁଟି ସାରିବା ପରେ ଏହାକୁ ଛାଣି ଥଣ୍ଡା ରଖନ୍ତୁ । ଦିନରେ ୨-୩ ଥର ଏହି ପାଣିରେ କୁଳି କରନ୍ତୁ । ଘା’ ଭଲ ହୋଇଯିବ ।

ଅଁଳା

ଅଁଳାକୁ ସିଝାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ତୁଣ୍ଡ ଘା’ରେ ଲଗାନ୍ତୁ । ଘା’ ଶୀଘ୍ର ଭଲ ହୋଇଯିବ ।

ମହୁ ଏବଂ କଦଳୀ

ମହୁ ଏବଂ କଦଳୀ ମିଶାଇ ଖାଇବା ଦ୍ୱାରା ଘା’ ଶୀଘ୍ର ଠିକ ହୋଇଥାଏ । ଅଧିକ ଯନ୍ତ୍ରଣା ହେଉଥିଲେ ଏହାକୁ ପେଷ୍ଟ କରି ଲଗାଇବା ଦ୍ୱାରା ଉପଶମ ମିଳିଥାଏ ।

ଲୁଣ ଏବଂ ବେକିଂ ସୋଢା

ଲୁଣ ଏବଂ ବେକିଂ ସୋଢା ଅଳ୍ପ ପାଣିରେ ମିଶାଇ ଘା’ରେ ଲଗାନ୍ତୁ । ଲଗାଇବା ପରେ ୧୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏହାପରେ ପାଣିରେ କୁଳି କରି ଦିଅନ୍ତୁ ।
ଏହାପରେ ମଧ୍ୟ ଯଦି ଯନ୍ତ୍ରଣା କମ୍ ନହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ ।