ପାଣି ପିଇବା ଦ୍ୱାରା ହ୍ରାସ ପାଇଥାଏ ଓଜନ : ଅଧ୍ୟୟନ

34

ପାଣି ପିଇ ଯେ ଓଜନ ହ୍ରାସ କରାଯାଇ ପାରେ ଏକଥାକୁ ଆପଣ ବିଶ୍ୱାସ କରି ନ ପାରନ୍ତି । କିନ୍ତୁ ଏକ ଗବେଷଣାରୁ ଏହା ଜଣାପଡିଛି, ଯଦି ପାଣିକୁ ଠିକ୍ ଭାବେ ପିଆଯାଏ ତେବେ ବଢୁଥିବା ଓଜନ ଯେ କେବଳ ସ୍ଥିର ରହେ ତାହା ନୁହେଁ ବରଂ ଓଜନକୁ ମଧ୍ୟ କମାଯାଇପାରିବ । ବୈଜ୍ଞାନିକଙ୍କ କହିବାନୁସାରେ , ଖାଦ୍ୟ ଖାଇବା ପୂର୍ବରୁ ଅଧ ଲିଟର ପାଣି ପିଇଲେ ଓଜନ ହ୍ରାସ କରାଯାଇ ପାରିବ ।

ଏହିଭଳି ପାଖାପାଖି ୧୨ ସପ୍ତାହ ଅର୍ଥାତ ୩ ମାସ କରିବାଦ୍ୱାରା ଆପଣଙ୍କର ଓଜନ ୩ରୁ ୪ କେ.ଜି କମିବାର ଦେଖିବାକୁ ପାଇବେ । ଯଦି ଡାଏଟିଂ କରୁଛନ୍ତି ତ ଖାଇବା ପୂର୍ବରୁ ଅଧ ଲିଟର ପାଣି ଲଗାତାର ଭାବେ ପିଇବାଦ୍ୱାରା ଆପଣଙ୍କ ଓଜନ ଉପରେ ନିୟନ୍ତ୍ରଣ ଆଣିବା ସହଜ ହୋଇଯାଏ । ମାତ୍ର ଯେଉଁମାନେ ଲଗାତାର ଭାବେ ଏଭଳି ନ କରନ୍ତି ସେମାନେ ଏହାର ଉପଯୁକ୍ତ ଫାଇଦା ପାଇବାରେ ଅସଫଳ ହୋଇଥାନ୍ତି ।

ଗବେଷଣା ମୁତାବକ, ସାଧା ପାଣିରେ ଓଜନ କମ କରିବାର ଗୁଣ ରହିଛି । ଯେଉଁ ଲୋକ ଦିନରେ ଥରୁଟେ ଖାଇବା ପୂର୍ବରୁ ପାଣି ପିଉଥିଲେ ସେମାନଙ୍କ ଓଜନ କମିଥିଲା ମାତ୍ର ୮୦୦ ଗ୍ରାମ । ମାତ୍ର କେତେ ସମୟରେ କେତେ ପାଣି ପିଇଲେ କେତେ ଓଜନ ହ୍ରାସ ପାଇବ ତାର କିଛି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିପାରି ନାହିଁ । ତଥାପି ପାଣି ପିଇ ଯେ ଓଜନ କମାଯାଇ ପାରିବ ଏକଥାକୁ ସତ୍ୟ ବୋଲି କହିଛନ୍ତି । ଏହି ଗବେଷଣାରେ କେବଳ ସାଧା ପାଣି ନିଆଯାଇଥିଲା । ଉଷୁମ ପାଣି କିମ୍ବା ସୋଡା ଆଦିକୁ ଏଥିରେ ସାମିଲ କରାଯାଇ ନଥିଲା ।