ଦଉଡିରେ ବନ୍ଧା ଗ୍ରାମବାସୀଙ୍କ ଜୀବନ : ଗଜପତି ରା.ଉଦୟଗିରିରରେ ଦଉଡି ସାହାଯ୍ୟରେ ମଧୁନାଳ ପାରି ହେଉଛନ୍ତି ୬ଟି ଗାଁର ଲୋକ

ପୋଲିଟିଏ ପାଇଁ ଗୁହାରି କଲେ ବି କେହି ଶୁଣୁନଥିବା ଅଭିଯୋଗ

79
କନକ ବ୍ୟୁରୋ : ଦଉଡିରେ ବନ୍ଧା ଗ୍ରାମବାସୀଙ୍କ ଜୀବନ । ଗଜପତି ରା.ଉଦୟଗିରିରରେ ଦଉଡି ଭରସାରେ ମଧୁନାଳ ପାରି ହେଉଛନ୍ତି ୬ଟି ଗାଁର ଲୋକ । ଗମନାଗମନ ପାଇଁ ପୋଲିଟିଏ ତିଆରି କରିବା ପାଇଁ ଗୁହାରି କଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଲୋକେ ।
ଭରା ନାଳରେ ଦଉଡି ଭରସା । ବେକେ ବେକେ ପାଣିରେ ପଶି ନାଳ ପାରି ହେଉଛନ୍ତି ଗ୍ରାମବାସୀ । ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଦୁମୁକୁଳି, ନୂଆସାହି, ଖାରିସାହି, କାକତବନ୍ଧା, ସୁନ୍ଦରବାଡ ଓ ନାଗିଡି ଭଳି ୬ଟି ଗାଁର ଲୋକଙ୍କ ଜୀବନ ନାଟିକା ଝୁଲି ରହିଛି ଶହେ ମିଟର ଲମ୍ବ ଦଉଡିରେ । ଗ୍ରାମବାସୀଙ୍କ ଜୀବନ ଜିବିକାରେ ରୋକ୍ ଲଗାଇଥିବା ମଧୁନାଳ ପାରି ହେବା ପାଇଁ ପୋଲଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।
ମଧୁନାଳ ସେପଟେ ନୂଆଗଡ ବ୍ଲକର ୩ଶହ ପରିବାର ବସବାସ କରନ୍ତି । ଏହି ପରିବାରକୁ ବ୍ଲକ ଅଫିସକୁ ଯିବାକୁ ହେଲେ ମଧୁନାଳ ପାରି ହେବାକୁ ପଡିବ ନଚେତ୍ ରା.ଉଦୟଗିରି ସଦର ମହୁକମା ଦେଇ ଯିବାକୁ ପଡିବ । ଏଥିପାଇଁ ଅଧିକ ରାସ୍ତା ବୁଲିବାକୁ ପଡୁଛି । ତେଣୁ ଲୋକମାନେ ପାଣିରେ ପଶି ନାଳପାରି ହୋଇ ଯା’ଆସ କରୁଛନ୍ତି । ମଧୁନାଳ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଲୋକେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧିଙ୍କୁ ଗୁହାରି କରିଛନ୍ତି । ହେଲେ ଏମାନଙ୍କ କଥା କେହି ଶୁଣୁନଥିବା ଅଭିଯୋଗ ହୋଇଛି ।
ନାଳ ସେପଟେ ଥିବା ଗାଁ ଗୁଡିକରେ ନିର୍ବାଚନ ସମୟରେ ରାଜନେତାଙ୍କ ଦେଖାମିଳେ, ଆଉ ସ୍ଥାନୀୟ ଲୋକଙ୍କ ପୁଳା ପୁଳା ପ୍ରତିଶ୍ରୁତି ମିଳେ । ବାସ୍ ଭୋଟ୍ ସରିଲେ ସବୁ କିଛି ଯେଉଁଠି ଯେମିତି ସେମିତି ଅଟକି ଯାଏ ।