ମୁଖ ଦୁର୍ଗନ୍ଧ ପାଇଁ ଚିନ୍ତିତ କି ! ଜାଣନ୍ତୁ କେତେ ଉପକାରୀ ଧନିଆ

106

ଘରେ ଘରେ ପରିଚିତ ଧନିଆ କେବଳ ମସଲା ରୂପେ ବ୍ୟବହାର ହୋଇ ନଥାଏ, ଏହା ଖାଦ୍ୟକୁ ଭିନ୍ନ ସ୍ୱାଦ ମଧ୍ୟ ଦେଇଥାଏ । ତେବେ ଧନିଆରେ ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି । ହର୍ବାଲ୍ ବିଜ୍ଞାନୀ ଏହାକୁ ମଣିଷର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ବ୍ୟବହାର କରିଥାନ୍ତି ।

• ଧନିଆରେ ଅଧିକ କ୍ୟାଲସିୟମ୍ ରହିଥିବାରୁ ଖାଦ୍ୟ ରୂପେ ଏହାକୁ ଅଧିକରୁ ଅଧିକ ବ୍ୟବହାର କଲେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଓ ହାଡଜନିତ ସମସ୍ୟା ଦୂର ହୋଇଥାଏ ।

• ମୁଖରୁ ଦୁର୍ଗନ୍ଧ ବାହାରୁଥିଲେ ଧନିଆ ପତ୍ର କ୍ୱାଥକୁ ନିୟମିତ ଭାବେ କୁଳି କଲେ ତାହା ବନ୍ଦ ହୋଇ ଯାଏ ।

• ସେହିପରି ଦାନ୍ତମୂଳରୁ ରକ୍ତ ବାହାରୁଥିଲେ ଓ ଏହା ଦୁର୍ବଳ ହେଉଥିଲେ ଧନିଆ ପତ୍ର ବାଟି ନିୟମିତ ଦାନ୍ତରେ ବ୍ୟବହାର କରନ୍ତୁ । ଏପରି କିଛି ଦିନ କଲେ ଦାନ୍ତମୂଳ ମଜଭୂତ ହେବା ସହ ରକ୍ତ ବାହାରିବା ମଧ୍ୟ ବନ୍ଦ ହୋଇଯାଏ ।

• ଶିଶୁର କାଶ ଓ ଶ୍ୱାସ ରୋଗ ହୋଇଥିଲେ ଚାଉଳଧୂଆ ପାଣିରେ ୧ଗ୍ରାମ୍ ଧନିଆକୁ ବାଟି ସେଥିରେ ଚିନି ମିଶାଇ ପାନ କରାଇଲେ କାଶ ଓ ଶ୍ୱାସ ଭଲ ହୋଇଥାଏ ।

• ସେହିପରି ଅଧ କପ୍ ଧନିଆ ପତ୍ର ରସ ସହ ଅଳ୍ପ ମିଶ୍ରି ମିଶାଇ ନିୟମିତ ସେବନ କଲେ କ୍ଷୁଧାବୃଦ୍ଧି ହେବା ସହ ଭଲ ନିଦ ହେବା ସହ ଗ୍ୟାସ୍ ଜନିତ ସମସ୍ୟା ଦୂର ହୋଇଥାଏ ।

• ବାତରକ୍ତ ରୋଗ ହୋଇଥିଲେ ୨ ଗ୍ରାମ୍ ଧନିଆ , ୧ଗ୍ରାମ୍ ଜିରା ଓ ୧ଗ୍ରାମ୍ କଳାଜିରାକୁ ନେଇ ଗୁଣ୍ଡ କରିଦିଅନ୍ତୁ । ଏହାକୁ ଗୁଡପାକ ବିଧି ଅନୁସାରେ ପାକ କରିଲେ ବାତରକ୍ତ ରୋଗ ଦୂର ହୋଇଥାଏ ।