କେମୋ ଯୋଗୁଁ କର୍କଟ ରୋଗ ଅଧିକ ବ୍ୟାପିବାର ଆଶଙ୍କା ! ତାଗିଦ୍ କଲେ ବୈଜ୍ଞାନିକ

58

କର୍କଟ ରୋଗୀଙ୍କ ପାଇଁ କେମୋଥେରାପିକୁ ଏକ ବିକଳ୍ପ ଭାବେ ଗ୍ରହଣ କରାଯାଇଥାଏ । ରୋଗୀକୁ ବଟିକା ମାଧ୍ୟମରେ ଅଥବା ସାଲାଇନ୍ ମାଧ୍ୟମରେ କର୍କଟର କୋଷିବାକୁ ନିପାତ କରିବା ପାଇଁ ଔଷଧ ଦିଆଯାଇଥାଏ । ତାହା ରକ୍ତରେ ପ୍ରବାହିତ ହୋଇ ଟ୍ୟୁମର ଠାରୁ ଅଲଗା ହୋଇଯାଇଥିବା କର୍କଟର କୋଷିକାକୁ ମଧ୍ୟ ନିପାତ କରିବାରେ ସହାୟକ ହୋଇଥାଏ । ମାତ୍ର ଏବେ ଗବେଷକମାନେ ଦାବି କରିଛନ୍ତି ଯେ ପ୍ରକୃତରେ ଏ ପ୍ରକାର ଚିକିତ୍ସା ପଦ୍ଧତିର ଓଲଟା ପ୍ରଭାବ ରହିଛି ।

ଏହାଯୋଗୁ କର୍କଟର କୋଷିକା ନିପାତ ହେବା ପରିବର୍ତ୍ତେ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଥାଏ । ଏମିତିକି ଏହାର ପ୍ରଭାବରେ ସୁସ୍ଥ ଅଙ୍ଗରେ ବି ଟ୍ୟୁମର ସୃଷ୍ଟି ହେବାର ଆଶଙ୍କା ରହିଥାଏ । ତେଣୁ କେତେକ କ୍ଷେତ୍ରରେ ରୋଗୀ ମୃତ୍ୟୁମୁଖରେ ପଡିଥାନ୍ତି । ଏପ୍ରକାର ପଦ୍ଧତିରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଦେହରେ ଟ୍ୟୁମରର ସ୍ଥିତି ସଂପର୍କରେ ନିୟମିତ ଅନୁଧ୍ୟାନ କରିବା ଉଚିତ୍ ବୋଲି ସେମାନେ କହିଛନ୍ତି । ନ୍ୟୁୟର୍କସ୍ଥିତ ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ୍ ମେଡିସିନର ଗବେଷକମାନେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

ସ୍ତନ କର୍କଟରେ ଚିକିତ୍ସିତ ରୋଗୀଙ୍କ ଉପରେ ହୋଇଥିବା ଗବେଷଣାରୁ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଠି ରୋଗୀଙ୍କ ଶରୀରରେ କେମୋ ପ୍ରୟୋଗ କରିବା ଦ୍ୱାରା ଅନ୍ୟ ଅଙ୍ଗକୁ କ୍ୟାନସର ବ୍ୟାପିବାର ଆଶଙ୍କା ଦେଖାଦେଇଛି । ବ୍ରିଟେନ୍ରେ ପ୍ରତିବର୍ଷ ୫୫ ହଜାର ସ୍ତନ କର୍କଟ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏମାନଙ୍କ ମଧ୍ୟରୁ ୧୧ ହଜାର ରୋଗୀ ମୃତ୍ୟୁ ବରଣ କରିଥାନ୍ତି । ଯଦିଓ କେମୋ ପ୍ରୟୋଗ କରିବା ଦ୍ୱାରା ସ୍ୱଳ୍ପମିଆଦୀ ଭାବେ କ୍ୟାନସରରୁ ମୁକ୍ତି ମିଳିଥାଏ ତେବେ ଦୀର୍ଘମିଆଦୀ ଭାବେ ଏହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ଓ କ୍ୟାନସରକୁ ଅନ୍ୟ ଅଙ୍ଗକୁ ବ୍ୟାପିବାରେ ସହାୟକ ହୋଇଥାଏ । ଏଭଳି ନୂଆ ତଥ୍ୟ ଏବେ ଚିନ୍ତାର କାରଣ ପାଲଟିଛି ।
(ସୈାଜନ୍ୟ – ଦ ଟେଲିଗ୍ରାଫ୍)