କେବେ ବିକ୍ରି କରୁଥିଲେ ଗୁପଚୁପ୍, ଏବେ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ କରୁଛନ୍ତି ଧମାଲ ।

92

ଅଣ୍ଡର-୧୯ ଏସିଆ କପ ଫାଇନାଲରେ ଶ୍ରୀଲଙ୍କାକୁ ମାତ୍ ଦେଇ ଟିମ୍ ହାତେଇଛି ଟ୍ରଫି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ଟ୍ରମ୍ପକାର୍ଡ ସାଜିଥିଲେ ଉତ୍ତରପ୍ରଦେଶର ଯଶ୍ୱସୀ ଜୟସ୍ୱାଲ । ଏପରିକି ଫାଇନାଲ ମ୍ୟାଚରେ ଯଶ୍ୱସୀଙ୍କ ଦମଦାର ୮୫ ରନ ବଳରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ସାମ୍ନାରେ ୩୦୫ ରନର ବିଶାଳ ବିଜୟଲକ୍ଷ୍ୟ ସେଟ୍ କରିଥିଲା । କିନ୍ତୁ ଯଶ୍ୱସୀଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା । ବହୁ ବାଧାବିଘ୍ନର ସମ୍ମୁଖୀନ ହେବା ପରେ ଯଶ୍ୱସୀ ଆଜି ଭାରତୀୟ ଟିମରେ ସ୍ଥାନ ପାଇ ପାରିଛନ୍ତି । ପୂର୍ବରୁ ଅତି ଦୟନୀୟ ଭାବେ ଜୀବନ କାଟିଥିବା ଯଶ୍ୱସୀ ଏସିଆ କପରେ ନିଜର ବିଧ୍ୱଂସୀ ଇନିଂସ ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏକ ଜଣାଶୁଣା ନାମ ପାଲଟି ଯାଇଛନ୍ତି ।

ତିନି ବର୍ଷ ତଳେ କିନ୍ତୁ ଯଶ୍ୱସୀଙ୍କ ଅବସ୍ଥା ଏମିତି ନଥିଲା । ଯେତେବେଳେ ସେ ମାତ୍ର ୧୧ ବର୍ଷ ବୟସରେ ପ୍ରଥମେ ୨୦୧୨ ମସିହାରେ ମୁମ୍ବାଇ ଆସିଥିଲେ । ସେତେବେଳେ ବେଶ କଷ୍ଟରେ ଜୀବନ କାଟୁଥିଲେ ଯଶ୍ୱସୀ । ମୁଣ୍ଡ ଗୁଞ୍ଜିବାକୁ ନା ଥିଲା ଛାତ, ନା ଭଲରେ ଭଲରେ ଗଣ୍ଡେ ମିଳୁଥିଲା ଖାଇବା । କିନ୍ତୁ ଏସବୁ ଭିତରେ ଲକ୍ଷ୍ୟ ଥିଲା ଭଲ କ୍ରିକେଟର ହେବା ପାଇଁ । ଆଉ ଏହି ସମୟରେ ଏକ ଦୋକାନ ସାମ୍ନାରେ ଶୋଇ ନିଜ ରାତି କାଟୁଥିଲେ ଯଶ୍ୱସୀ ।

କେବଳ ଏତିକି ନୁହେଁ ଜଣେ ଖାଦ୍ୟ ଦୋକାନ ଓ ଟେଣ୍ଟ୍ କାର‌୍ୟ୍ୟରେ ସହାୟକ ଭାବେ କାର୍ଯ୍ୟ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ଯଶ୍ୱସୀ। ଖାଦ୍ୟ ଦୋକାନରେ ଯଶ୍ୱସୀ ରୁଟି ବନାଉଥିଲେ। ତାଙ୍କୁ କେବଳ ମଧ୍ୟାହ୍ନ ଓ ରାତ୍ରି ଭୋଜନ ଦିଆଯାଉଥିଲା। ଏପରିକି ସେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଗୁପଚୁପ ମଧ୍ୟ ବିକ୍ରି କରିଛନ୍ତି । ସେ କହିଛନ୍ତି କି ‘ମୁଁ ମୁମ୍ବାଇ କ୍ରିକେଟ୍ ଦଳରେ ଖେଳିବା ପାଇଁ ମୁମ୍ବାଇ ଆସିଥିଲି। ମୁଁ ସେ ସମୟରେ ଏମିତି ଏକ ତମ୍ବୁରେ ରହୁଥିଲି ଯେଉଁଟି ବିଦ୍ୟୁତ୍ ନଥିଲା। ଗାଧୁଆଘର ଓ ପାଣିର ବି ସମସ୍ୟା ରହିଥିଲା।’

ଏବେ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଯଶ୍ୱସୀ ଏବେ ତାଙ୍କ କୋଚଙ୍କ ସହ ରହୁଛନ୍ତି। ଯଶ୍ୱସୀଙ୍କ ସଂପର୍କରେ ତାଙ୍କ କୋଚ୍ କହନ୍ତି, ‘ସେ ଯେତେବେଳେ ୧୧ ବର୍ଷରେ ଥିଲା ମୁଁ ତା’ ବ୍ୟାଟିଂ ଦେଖିଛି। ସେ ଖେଳରେ ଖୁବ୍ ଭଲ। ମୋ ଜଣେ ବନ୍ଧୁଙ୍କଠାରୁ ଜାଣିବାକୁ ପାଇଲି ଯେ ତାଙ୍କୁ ଘର ଏବଂ କୋଚର ଅଭାବ ରହିଛି। ମୁଁ ସାହାଯ୍ୟ କରିବାକୁ ଉଚିତ ମଣିଲି।’ ଯଶ୍ୱସୀ ଏବେ ସଚିନଙ୍କ ପୁଅ ସହ ସାଙ୍ଗ ହୋଇ ମୁମ୍ବାଇ ଟିମ୍ ପକ୍ଷରୁ ଖେଳୁଛନ୍ତି । ଅର୍ଜୁନ ମଧ୍ୟ ତାଙ୍କର ଜଣେ ଭଲ ସାଙ୍ଗ ।