ରିକ୍ସା ଚାଳକଙ୍କ ଝିଅ ଏସିୟା ବିଜୟିନୀ ! ପଢନ୍ତୁ ସ୍ୱପ୍ନାଙ୍କ ସ୍ୱର୍ଣ୍ଣ ପଦକ ଯାତ୍ରାର କାହାଣୀ

46

ଶେଷ ହୋଇଛି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୨ତମ ଏସିୟ ଦୌଡ଼କୁଦ ପ୍ରତିଯୋଗୀତା  । ଏଥିରେ ସମୁଦାୟ ୨୯ଟି ପଦକ ଜିତି ସବୁଠାରୁ ଶୀର୍ଷରେ ରହିଛି ଭାରତ  । ଏହି ୨୯ ଟି ପଦକ ମଧ୍ୟରେ ରହିଛି ୧୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୧୨ଟି ବ୍ରୋଞ୍ଜ୍  । ତେବେ ୧୨ଜଣ ସ୍ୱର୍ଣ୍ଣ ବିଜେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଶ୍ଚିମବଙ୍ଗର ସ୍ୱପ୍ନା ବର୍ମନ  । କିନ୍ତୁ ସହଜ ନଥିଲା ସ୍ୱପ୍ନାଙ୍କ ସ୍ୱପ୍ନ । ବେଶ୍ ସଂଘର୍ଷମୟ ଥିଲା ସ୍ୱପ୍ନାଙ୍କ ସ୍ୱର୍ଣ୍ଣ ପଦକ ଯାତ୍ରା । ଘୋର ଆର୍ଥିକ ଅନଟନ ସହ ବାରମ୍ବାର ଆହତ ହେବାର ଘାତ ପ୍ରତିଘାତକୁ ପଛରେ ପକାଇ ମହିଳା ହେପ୍ଟାଥଲନରେ ସ୍ୱପ୍ନା ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି  ।

ଦୁଇ ବର୍ଷ ପୂର୍ବେ ପିଠି ଏବଂ ଗୋଇଠିରେ ଅସହ୍ୟ ଯନ୍ତ୍ରଣା ପାଇଁ ସ୍ୱପ୍ନା ଚାଲି ବୁଲି ପାରୁ ନଥିଲେ । କେହି କେବେ ସ୍ୱପ୍ନରେ ଭାବି ନଥିଲେ ଯେ ଲମ୍ବା ବ୍ୟବଧାନ ପରେ ପୁଣି ଥରେ ପଡ଼ିଆକୁ ଓହ୍ଲାଇ ସେ ଏସିୟ ସ୍ତରୀୟ ସ୍ୱର୍ଣ୍ଣ ହାସଲ କରିବେ । ହେଲେ କଠିନ ପରିଶ୍ରମ ଏବଂ ଏକାଗ୍ରତା ବଳରେ ଏହି ବେଙ୍ଗଲୀ ତାରକା ଅସାଧ୍ୟକୁ ସାଧ୍ୟ କରିଛନ୍ତି।ପଶ୍ଚିମବଙ୍ଗର ନ୍ୟୁ ଜଳପାଇଗୁଡ଼ି ଅଞ୍ଚଳର ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ୨୧ ବର୍ଷୀୟା ସ୍ୱପ୍ନା ଆହତ ହେବା ପରେ ଦୁଇ ବର୍ଷ ଧରି ଜାତୀୟ ଚୟନକର୍ତାଙ୍କ ଆଢ଼ୁଆଳରେ ରହିଥିଲେ । ତଥାପି ଏସିୟ ସ୍ୱର୍ଣ୍ଣ ଜିତିବା ସହ ଲଣ୍ଡନ ବିଶ୍ୱ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରି ନେଇଛନ୍ତି । ଯାହା କେବଳ ପଶ୍ଚିମବଙ୍ଗ ନୁହେଁ ସମଗ୍ର ଭାରତ ବର୍ଷ ପାଇଁ ଗର୍ବ ଏବଂ ଗୌରବର ବିଷୟ ହୋଇଛି।

ହେପ୍ଟାଥଲନ ଭଳି କଷ୍ଟକର ଏବଂ ଦୁଇ ଦିନ ଧରି ଆୟୋଜିତ ହେଉଥିବା ଖେଳରେ ସ୍ୱପ୍ନା ଆରମ୍ଭରୁ ଶେଷ ଯାଏଁ ଆଗରେ ରହିଥିଲେ । କଳିଙ୍ଗ ଷ୍ଟାଡିୟମରେ ଶନିବାର ଚାରିଟି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ପ୍ରଥମ ସ୍ଥାନରେ ଦିନ ଶେଷ କରିଥିଲେ । ରବିବାରର ଦୁଇଟି ପ୍ରତିଯୋଗିତା ପରେ ତୃତୀୟ ତଥା ଶେଷ ପ୍ରତିଯୋଗିତା ପୂର୍ବରୁ ଅସହ୍ୟ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ ସ୍ୱପ୍ନା । ଫଳରେ ଔଷଧ ଖାଇ ୮୦୦ ମିଟର ଦୌଡ଼ରେ ଅଂଶ ଗ୍ରହଣ କରିଥିଲେ। ଏହା ସତ୍ତ୍ୱେ ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସୀମା ରେଖା ପାର ହେବା ପରେ କିନ୍ତୁ ବେହୋସ ହୋଇ ଯାଇଥିଲେ । ଫଳରେ ପଡ଼ିଆ ଭିତରେ ତାଙ୍କର ଚିକିତ୍ସା କରାଯାଇଥିଲା । ଏବଂ ଷ୍ଟ୍ରେଚରରେ ବାହାରକୁ ନିଆ ଯାଇଥିଲା । ବେହୋସ ହେବା ପୂର୍ବରୁ ସେ କିନ୍ତୁ ସ୍ୱର୍ଣ୍ଣ ପଦକ ପକ୍କା କରି ନେଇଥିଲେ । ଯାହା ରବିବାର ସଂଧ୍ୟାରେ ଭାରତର ପ୍ରଥମ ସ୍ୱର୍ଣ୍ଣ ଥିଲା।

ହେଲେ ଦୁଃଖର ବିଷୟ ଯେ ଏହି ତାରକା ଖେଳାଳିଙ୍କ ପାଖରେ ନା ଅଛି ସ୍ଥାୟୀ ଚାକିରି ନା ରୋଜଗାରର କୌଣସି ପକ୍କା ସ୍ରୋତ। ଜଳପାଇଗୁଡ଼ିରେ ସେ ଏବେବି ମାଟିକାନ୍ଥ ଘରେ ରହୁଛନ୍ତି । ଏକଦା ରିକ୍ସା ଚଳାଇ ପରିବାର ପୋଷଣ କରୁଥିବା ତାଙ୍କ ପିତା ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଦୀର୍ଘ ଦିନ ହେବ ଶଯ୍ୟାଶାୟୀ ଥିଲେ । ଏବେ ଅବଶ୍ୟ ଠିକ୍‌ ହୋଇଗଲେଣି । ହେଲେ ତାଙ୍କୁ ଆଉ ରିକ୍ସା ଚଳାଇବାକୁ ଦେଉ ନାହନ୍ତି ସ୍ୱପ୍ନା । ଏହି ପ୍ରତିଭାବାନ ତାରକାଙ୍କ ବଡ଼ ଭାଇ କିନ୍ତୁ ଏବେବି ଦିନ ମଜୁରିଆ କାମ କରୁଛନ୍ତି । ବିଭିନ୍ନ ପ୍ରତିଯୋଗିତା ଖେଳି ରୋଜଗାର କରୁଥିବା ଅର୍ଥରେ ହିଁ ସେ ପରିବାର ଚଳାଉଛନ୍ତି । ସେଥିପାଇଁ ଓଡ଼ିଶା ସରକାର ସୋମବାର ଏସିୟ ଦୌଡ଼କୁଦରେ ସ୍ୱର୍ଣ୍ଣ ଜିତିବା ଲାଗି ତାଙ୍କୁ ଦେଇଥିବା ୧୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ସ୍ୱପ୍ନାଙ୍କ ପାଇଁ ସଂଜୀବନୀ ସଦୃଶ ହୋଇଛି । ଏହି ଅର୍ଥରେ ଖେଳ ସଂରଞ୍ଜାମ କିଣିବା ସହ ଘର ଚଳିବା ପାଇଁ କିଛି ପାଇସା ଦେବେ ବୋଲି ସେ କହିଛନ୍ତି।

ସ୍ୱପ୍ନାଙ୍କ ଆର୍ଥିକ ଦୂରାବସ୍ଥା ଦେଖି ରାଷ୍ଟ୍ରାୟତ ସଂସ୍ଥା ଓଏନ୍‌ଜିସି ତାଙ୍କୁ ଖେଳାଳି ବୃତ୍ତି ଦେବା ଆରମ୍ଭ କରିଥିଲା ବେଳେ  ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ, ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜୟୀ ଅଭିନବ ବିନ୍ଦ୍ରା ଏବଂ ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦଙ୍କ ଦାତବ୍ୟ ସଂସ୍ଥା ଗୋ ସ୍ପୋର୍ଟ ଫାଉଣ୍ଡେସନ୍‌ କିଛି ଆର୍ଥିକ ସହାୟତା ଦେଉଛି । ଏସିୟ ଦୌଡ଼କୁଦ ସ୍ୱର୍ଣ୍ଣ ପରେ କୌଣସି ନା କୌଣସି ସଂସ୍ଥାରେ ତାଙ୍କୁ ଚାକିରି ମିଳିଯିବ ବୋଲି ସେ ଆଶାବାଦୀ ଅଛନ୍ତି ।  ଚାରି ଭାଇ ଉଭଣୀରେ ସବା ସାନ ସ୍ୱପ୍ନାଙ୍କ ଅନ୍ୟ ତିନି ଭାଇ ଭଉଣୀ ବିବାହ କରି ସାରିଥିଲା ବେଳେ ସେ ସଂପ୍ରତି କୋଲକାତାର ସାଇ ଛାତ୍ରାବାସରେ ରହୁଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଜିତିଥିବା ସ୍ୱର୍ଣ୍ଣ ହେଉଛି ବରିଷ୍ଠ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ । ପୂର୍ବରୁ ସେ କନିଷ୍ଠ ସ୍ତରରେ ଏକାଧିକ ସ୍ୱର୍ଣ୍ଣ ଜିତିଥିଲେ । ହେଲେ ବରିଷ୍ଠ ସ୍ତରୀୟ ଅନ୍ତଜାତୀୟ ପ୍ରତିଯୋଗିତାରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରି ଭାରତୀୟ ହେପ୍ଟାଥଲନର ନୂଆ ନାୟିକା ଭାବେ ଉଭା ହୋଇଛନ୍ତି ।