ଦେବାଳିଆ ଆଇଡ଼ିବିଆଇ ବ୍ୟାଙ୍କକୁ କିଣିପାରେ LIC ! ଜାଣନ୍ତୁ ଜମାକାରୀଙ୍କ ଉପରେ କଣ ପଡ଼ିବ ପ୍ରଭାବ

106

ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି, ଯାହା ଉପରେ ୨୫ କୋଟି ଲୋକଙ୍କ ଭରସା ରହିଛି । ଏଲଆଇସିରେ ଦେଶର ଅଧିକାଂଶ ଲୋକଙ୍କର ଜମା ପୁଞ୍ଜି ରହିଛି । ଲୋକମାନେ ନିଜର ସଞ୍ଚିତ ଅର୍ଥକୁ ଏଲଆଇସିର ବିଭିନ୍ନ ପଲିସିରେ ଜମା କରିଥାନ୍ତି । ଯାହାଦ୍ୱାରା ସେମାନଙ୍କର ପରିବାରର ଭବିଷ୍ୟତ ସୁରକ୍ଷିତ ରହିପାରିବ । ଏପରିକି ଲୋକଙ୍କର ଭରସା ମଧ୍ୟ ରହିଛି ଏଲଆଇସିରେ ଜମା କରାଯାଇଥିବା ଟଙ୍କା କେବେ ବୁଡ଼ିବ ନାହିଁ । ତେଣୁ ବୀମା କ୍ଷେତ୍ରରେ ଦେଶର ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ଏଲଆଇସି । କିନ୍ତୁ ଦୀର୍ଘ ୬୨ ବର୍ଷ ଧରି ବୀମା କାରବାର ଜଗତରେ ନମ୍ବର ୱାନ ରହିଥିବା ଏଲଆଇସି କମ୍ପାନି ଏବେ ସଙ୍କଟ ଘେରରେ । କାରଣ ଏବେ ଦେବାଳିଆ ହୋଇ ପଡିଥିବା ଆଇଡ଼ିବିଆଇ ବ୍ୟାଙ୍କକୁ ଏଲଆଇସି କିଣିବାକୁ ଯାଉଛି ବୋଲି ଜୋର ଧରିଛି ଚର୍ଚ୍ଚା । ଯାହା ସାମ୍ନାକୁ ଆସିବା ପରେ ଏବେ ଏଲଆଇସି ଜମାକାରୀଙ୍କୁ ଚିନ୍ତା ଘାରିଛି । ସବୁଠୁ ବଡ଼ କଥା ହେଲା, ବ୍ୟାଙ୍କ ଗୁଡ଼ିକୁ ଏନପିଏ ମୁକ୍ତ କରିବାକୁ କେନ୍ଦ୍ର ସରକାର ଚଳିତ ବର୍ଷ ଆରମ୍ଭରୁ ୨.୧ ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଥିଲେ । ତେବେ ସବୁଠୁ ଅଧିକ ଏନପିଏ ଥିବା ଆଇଡ଼ିବିଆଇ ବ୍ୟାଙ୍କକୁ ଏଲଆଇସିକୁ ଦେବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ।

ଆଇଡ଼ିବିଆଇ ବ୍ୟାଙ୍କକୁ ଏଲଆଇସି କମ୍ପାନି କିଣିବା ନେଇ ଚର୍ଚ୍ଚା ଜୋର ଧରିଛି । ଏଭଳି ସମୟରେ ଜମାକାରୀ ମାନଙ୍କ ମଧ୍ୟରେ ଆଶଙ୍କା ଦେଖା ଦେଇଛି ଯେ, ଆଇଡ଼ିବିଆଇ ଭଳି ଦେବାଳିଆ ବ୍ୟାଙ୍କକୁ କିଣିବା ଦ୍ୱାରା ଏଲଆଇସି କାରବାର ଉପରେ ପ୍ରଭାବ ପଡ଼ିବନି ତ? ଯଦି ଏପରି ହୁଏ ତେବେ ଏହାର ପ୍ରଭାବ କିଛି ଏଲଆଇସି ଜମାକାରୀଙ୍କ ଉପରେ ମଧ୍ୟ ପଡ଼ିପାରେ । ଏହାବାଦ ସରକାରଙ୍କ ଏହି ନିଷ୍ପତି ଦେଶର ଏଲଆଇସି ଗ୍ରାହକଙ୍କ ପାଇଁ କେତେ ହିତକର । ଏଭଳି କରିବା ଦ୍ୱାରା ଆଇଡ଼ିବିଆଇର ଏନପିଏ ସମସ୍ୟା ଦୂର ହୋଇଯିବ ଏହାର ଗ୍ୟାରେଣ୍ଟି ଦେଇ ପାରିବେ କି ? ଏହାଛଡ଼ା ସବୁଠୁ ବଡ଼ ପ୍ରଶ୍ନ ହେଲା, ସରକାରଙ୍କ ଏହି ନିଷ୍ପତି ଏଲଆଇସି ଗ୍ରାହକଙ୍କ ଜୀବନକାଳର ସଞ୍ଚିତ ଧନକୁ ସୁରକ୍ଷିତ ରଖି ପାରିବ ତ?

ଆଇଡ଼ିବିଆଇ ବ୍ୟାଙ୍କର ଅବସ୍ଥା :
ଏବେ ଦେଶରେ ମୋଟ ୨୧ଟି ସରକାରୀ ବ୍ୟାଙ୍କ ରହିଛି । ଯେଉଁଥିରେ ଆଇଡ଼ିବିଆଇ ବ୍ୟାଙ୍କରେ ସରକାରଙ୍କ ସର୍ବାଧିକ ୮୫ ପ୍ରତିଶତ ଅଂଶଧନ ରହିଛି । ତେବେ ଆଇଡ଼ିବିଆଇ ବ୍ୟାଙ୍କ ଦେଶର ସରକାରୀ ବ୍ୟାଙ୍କ ମଧ୍ୟରେ ସର୍ବାଧିକ ଏନପିଏ ଅନୁପାତ ଥିବା ବ୍ୟାଙ୍କ ଭାବେ ଉଭା ହୋଇଛି । ତେଣୁ ଏହାକୁ ପୁର୍ନଜନ୍ମ ଦେବାକୁ କେନ୍ଦ୍ର ସରକାର ଏବେ ଏଲଆଇସିକୁ ଢ଼ାଲ କରିଥିବା ଚର୍ଚ୍ଚା ହେଉଛି ।