ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି : ପଞ୍ଚାୟତରେ ମଦ ଦୋକାନ ବନ୍ଦ କରିବାକୁ ଦାବି, ପଦକ୍ଷେପ ନନେଲେ ମହିଳା ସରପଞ୍ଚ କରିବେ ଅନଶନ ।

50

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି । ଆସନ୍ତା ୨୦ ତାରିଖ ସୁଦ୍ଧା ଆଠଗଡ ବିଧାନସଭା ନିର୍ବାଚନମଣ୍ଡଳୀର କଖଡି ପଞ୍ଚାୟତକୁ ଯଦି ସରକାର ମଦମୁକ୍ତ ପଞ୍ଚାୟତ ଘୋଷଣା ଲାଗି ପଦକ୍ଷେପ ନ ନିଅନ୍ତି, ତେବେ ସେହିଦିନ ଠାରୁ ଅନଶନ କରିବି। କଖଡି ପଞ୍ଚାୟତର ମହିଳା ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏମିତି ଚରମ ବାଣୀ ଶୁଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ‘ଆପଣ ନିକଟରେ ଗୁରୁପ୍ରିୟା ସେତୁ ନିର୍ମାଣ କରି ସେ ଅଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା କରିଛନ୍ତି। ଅନୁରୂପ ଭାବେ କଖଡି ପଞ୍ଚାୟତକୁ ମଦମୁକ୍ତ ପଞ୍ଚାୟତ ଘୋଷଣା କରିବାରେ ମୋତେ ଆଶୀର୍ବାଦ କରିବେ ବୋଲି ଆଶା କରୁଛି। ଅନ୍ୟଥା ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟାଗ୍ରହ କରିବା ପାଇଁ ବାଧ୍ୟ ହେବି। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ପାରିଥିବାରୁ ଆତ୍ମଶୁଧି ପାଇଁ ଅନଶନ କରିବି।’

ଗତ ୧୨ ତାରିଖରେ ଶାନ୍ତିପ୍ରିୟା ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଲେଖିଥିଲେ। ଏଥିରେ ସେ ଦର୍ଶାଇଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ଆଠଗ଼ଡ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକ କଖ଼ଡି ପଞ୍ଚାୟତର ସରପଞ୍ଚ ଭାବେ ସେ ନିର୍ବାଚିତ ହୋଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଲୋକେ ଭୋଟ ଦେବା ବେଳେ ପଞ୍ଚାୟତକୁ ନିଶାମୁକ୍ତ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚିତ ହେବା ପରେ ଏହି ପ୍ରତିଶ୍ରୁତି ପୂରଣ ପାଇଁ ଦୁଇ ବର୍ଷ ଧରି ବିଭିନ୍ନ ସ୍ତରରେ ଉଦ୍ୟମ ଚଳାଇଛନ୍ତି। କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ।

ସବୁଠାରୁ ଦୁଃଖର କଥା ହେଲା, ମହାଳପ଼ଡା ଗ୍ରାମରେ ଥିବା ମଦ ଦୋକାନକୁ ଉଠାଇବା କଥା ଦୂରେ ଥାଉ, ଏହାର ନବୀକରଣ କରାଯାଇଛି। ପଞ୍ଚାୟତ ପାଇଁ ଏହା ଏକ ସ୍ୱାଭିମାନର ପ୍ରଶ୍ନ ହୋଇଛି। ଏ ନେଇ ଗତ ଏପ୍ରିଲ ୧୦ ତାରିଖରେ ଦୃୃଷ୍ଟି ଆକର୍ଷଣ କରିଥିବା ସଂପର୍କରେ ଶାନ୍ତିପ୍ରିୟା ମୁଖ୍ୟମନ୍ତ୍ରୀଙ୍କୁ ସ୍ମରଣ କରାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମଦ ଦୋକାନ ବିରୋଧରେ ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନ ଚଳାଇଥିଲେ। ହେଲେ ଏବେ ଲୋକ ପ୍ରତିନିଧି ମାତିଲେଣି। ମହିଳା ସରପଞ୍ଚ ଶାନ୍ତିପ୍ରିୟାଙ୍କର ଆନ୍ଦୋଳନାତ୍ମକ କାର୍ୟ୍ୟକ୍ରମ ଧମକ ପରେ ମଦ ବିରୋଧୀ ଅଭିଯାନ ଧୀରେ ଧୀରେ ବିଶାଳ ରୂପ ନେଉଛି, ଏକଥା ଆଉ ଅଛପା ନାହିଁ।

କଖ଼ଡି ପଞ୍ଚାୟତର ମହାଳପଡା ଗ୍ରାମରେ ଥିବା ମଦ ଦୋକାନ ପାଖରେ ସ୍କୁଲ, କଲେଜ ଓ ମନ୍ଦିର ରହିଛି। ଫଳରେ ଛାତ୍ରଛାତ୍ରୀମାନେ ଓ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଭକ୍ତମାନେ ମଦୁଆ ତଥା ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି। ମଦ ଦୋକାନଟି ପୁରୁଣା କଟକ-ସମ୍ବଲପୁର ରାଜପଥ ନିକଟରେ ଥିବାରୁ ସେଠାରେ ପ୍ରତିଦିନ ଦୁର୍ଘଟଣା ମଧ୍ୟ ଘଟୁଛି। ମଦ ଦୋକାନ ସମସ୍ୟା ସଂପର୍କରେ ସରପଞ୍ଚ ଅବକାରୀ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର, ଅବକାରୀ କମିସନର ଓ କଟକ ଜିଲ୍ଲାପାଳଙ୍କୁ ବାରମ୍ବାର ଭେଟି ଏହାର ଉଚ୍ଛେଦ ପାଇଁ ନିବେଦନ କରିଥିଲେ। କିନ୍ତୁ କେହି କିଛି ଶୁଣିନଥିଲେ।