ବିିିମାନରେ ଆସୁଛି ଆତଙ୍କ ! ଚାଟର୍ଡ ଫ୍ଲାଇଟକୁ ଅସ୍ତ୍ର କରି ଦିଲ୍ଲୀ ଉପରେ ଲସ୍କର-ଇ-ତୋଇବା କରିପାରେ ଆକ୍ରମଣ

27

କନକ ବ୍ୟୁରୋ : ଆସନ୍ତାକାଲି ଦେଶ ପାଳୁଛି ୬୮ ତମ ସାଧାରଣତନ୍ତ୍ର ଦିବସ । ଆଉ ଗଣତନ୍ତ୍ରର ଏହି ମହାନପର୍ବ ଉପରେ ପଡିଛି ଆତଙ୍କବାଦୀଙ୍କ ଆଖି । ନୂଆଦିଲ୍ଲୀରେ ପାଳିତ ହେଉଥିବା ସାଧାରଣତନ୍ତ୍ର ଦିବସରେ ଆକାଶମାର୍ଗରୁ ଆତଙ୍କବାଦୀଙ୍କ ଆକ୍ରମଣ ହେବାର ଆଶଙ୍କା କରିଛି ଗୁଇନ୍ଦା ବିଭାଗ । ଆତଙ୍କବାଦୀ ସଂଗଠନ ଲସ୍କର-ଇ ତୋଇବା ଆକାଶମାର୍ଗରୁ ହେଲିକପ୍ଟର କିମ୍ବା ଚାଟର୍ଡ ଫ୍ଲାଇଟ୍ ଯୋଗେ ଆକ୍ରମଣ କରିବାର ଯୋଜନା କରୁଥିବା ସୂଚନା ଦେଇଛି ଗୁଇନ୍ଦା ବିଭାଗ ।

ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ନୂଆ ଦିଲ୍ଲୀ ଆକାଶରେ ଆସନ୍ତାକାଲି ସକାଳ ୧୦ଟା ୩୫ରୁ ୧୨ଟା ୧୫ ମିନିଟ୍ ମଧ୍ୟରେ ବେସାମରିକ ଉଡାଣ ଉପରେ କଟକଣା ଜାରି କରାଯାଇଛି । ସେହିପରି ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ୫୦ ହଜାର ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରେ ଦିଲ୍ଲୀ ପୁଲିସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ପାରାମିଲିଟାରୀ ଫୋର୍ସ ପ୍ରମୁଖ ସାମିଲ ଅଛନ୍ତି । ଆକାଶମାର୍ଗରେ କୌଣସି ଧରଣର ଉଡାଣ ପ୍ରତି ନଜର ରଖିବା ପାଇଁ ଆଂଟି ଡ୍ରୋନ୍ କୌଶଳର ମଧ୍ୟ ଉପଯୋଗ ହେଉଛି ।

ସୁରକ୍ଷା କର୍ମଚାରୀଙ୍କୁ ଆଂଟି ଏୟାରକ୍ରାଫ୍ଟ ଗନ୍ ଦିଆଯାଇଛି । ଏହା ବ୍ୟତୀତ ସମାବେଶ ସ୍ଥଳ ସମେତ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗା ଯାଇଛି । ଏବଂ ଏହାର ତଦାରଖ କରିବାପାଇଁ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷର ବ୍ୟବସ୍ଥା କରାଯାଇଛି । ଆତଙ୍କବାଦୀମାନେ ଯେଭଳି କୌଣସି ସୁରକ୍ଷାକର୍ମୀଙ୍କ ବେଶରେ ଆସି ଏଠାରେ ପଶି ନଯିବେ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି । ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ସୁରକ୍ଷାକର୍ମୀଙ୍କୁ କଡ଼ା ଯାଂଚ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆତଙ୍କବାଦୀମାନେ ଯବାନଙ୍କ ବେଶରେ ପ୍ରବେଶ କରିବାର ବେଶି ଆଶଙ୍କା ଥିବାରୁ ସୁରକ୍ଷାକର୍ମୀଙ୍କ ପରିଚୟ ଠିକରେ ଯାଂଚ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୬/୧୧ ଆତଙ୍କବାଦୀ ହମଲା ଶୈଳୀରେ ମଧ୍ୟ ଆକ୍ରମଣ ନେଇ କିଛି ସୁରକ୍ଷା ଏଜେନ୍ସି ଆଶଙ୍କା କରୁଥିବାରୁ ଆକାଶମାର୍ଗରେ ପ୍ରତିଟି ଉଠାଣ ଉପରେ ମଧ୍ୟ ନଜର ରଖାଯାଇଛି ।