ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ କମ୍‌ ବୃଷ୍ଟିପାତ ! ମାଲକାନଗିରିରେ ୪୦% ଅଧିକ ବର୍ଷା

42

କନକ ବ୍ୟୁରୋ : ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ଦିନଠାରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ୬ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ହିସାବରେ ଏହା ସ୍ୱାଭାବିକ ବର୍ଷା । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୮ଟି ଜିଲ୍ଲାରେ ୨୨ରୁ ୩୪ ପ୍ରତିଶତ ଯାଏଁ କମ୍‌ ବୃଷ୍ଟିପାତ ହୋଇଛି । ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକ ଠାରୁ ୪୦ ପ୍ରତିଶତ ଅଧିକ ହୋଇଛି । ସେହିପରି ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ଅଧିକ ରେକର୍ଡ କରାଯାଇଛି ।

ସୂଚନା ଅନୁସାରେ ଜୁନ୍‌ ମାସରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ୯୧୩.୨ ମିଲିମିଟର ବୃଷ୍ଟିପାତ ହେବା କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇଛି ୮୬୦.୦୪ ମି.ମି. ବର୍ଷା । ଢେଙ୍କାନାଳ ଜିଲ୍ଲାରେ ସ୍ୱାଭାବିକ ପରିମାଣଠାରୁ ୩୪ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ୩୩% କମ୍‌ ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୩୦%, ନୂଆପଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ୨୫%, ଭଦ୍ରକରେ ୨୪%, ଯାଜପୁରରେ ୨୩%, ସୋନପୁରରେ ୨୨% କମ୍‌ ବୃଷ୍ଟିପାତ ହୋଇଛି । ଫଳରେ ଏସବୁ ଜିଲ୍ଲାରେ କୃଷି କାର୍ଯ୍ୟ କେତେକାଂଶରେ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ପାଣି ଅଭାବରୁ ଢିପ ଜମିରେ ଧାନ ଚାଷ ଆଗେଇ ପାରିନଥିବା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି ।

ଅନ୍ୟପକ୍ଷରେ ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ପରିମାଣଠାରୁ ଅଧିକ ବୃଷ୍ଟିପାତ ହୋଇଛି । ମାଲକାନଗିରିରେ ୪୦% ଅଧିକ ବର୍ଷା ହୋଇଥିବା ବେଳେ ଗଂଜାମରେ ୨୩%, ରାୟଗଡ଼ାରେ ୧୯%, ଗଜପତିରେ ୧୦%, ପୁରୀରେ ୯%, ସୁନ୍ଦରଗଡ଼ରେ ୬%, କୋରାପୁଟରେ ୫%, କଳାହାଣ୍ଡି ଏବଂ ଜଗତ୍‌ସିଂହପୁରରେ ୩% ଏବଂ କେନ୍ଦ୍ରାପଡ଼ାରେ ୨% ଅଧିକ ବୃଷ୍ଟିପାତ ହୋଇଛି । ଏଥିମଧ୍ୟରୁ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ୧୦୯୩.୪ ମି.ମି. ଥିବା ବେଳେ ଅଗଷ୍ଟ ଶେଷ ସୁଦ୍ଧା ୧୫୨୬.୮ ମି.ମି.ର ବର୍ଷା ରେକର୍ଡ ହୋଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବୃଷ୍ଟିପାତର ତାରତମ୍ୟ ପରିଲକ୍ଷିତ ହୋଇଛି, ଯାହା କି କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ନିମନ୍ତେ ଅନୁକୂଳ ନୁହେଁ । ବୃଷ୍ଟିବହୁଳ ଜିଲ୍ଲାରେ ଧାନ ଚାଷ ପ୍ରଭାବିତ ହୋଇଛି । କେତେକ ଜିଲ୍ଲାରେ ଫସଲକୁ ଆକ୍ରାନ୍ତ କରିଛି ଲେଡ଼ାପୋକ ସମେତ ବିଭିନ୍ନ ରୋଗ । ଢେଙ୍କାନାଳ, ବଲାଙ୍ଗୀର ଆଦି ଜିଲ୍ଲାରେ ବର୍ଷା ପରିମାଣ ଆବଶ୍ୟକତାଠାରୁ କମ୍‌ ଥିବା ଯୋଗୁଁ ଚାଷ ପଛେଇ ଯାଇଛି । ଏପରି କି କିଛି ଜମି ପଡ଼ିଆ ପଡ଼ିଲାଣି। ସେଠାକାର ଚାଷୀମାନେ ସେପ୍ଟେମ୍ବର ମାସକୁ ଚାହିଁ ବସିଛନ୍ତି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସେପ୍ଟେମ୍ବର ମାସରେ ସ୍ୱାଭାବିକ ବୃଷ୍ଟିପାତ ହେବ । ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁସାରେ ଆସନ୍ତାକାଲିଠାରୁ ୫ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ କମ୍‌ ରହିବ ।