କନକ ବ୍ୟୁରୋ : ଦେଶରେ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ଉଦବେଗଜନକ ଭାବରେ ହ୍ରାସ ପାଉଛି । ଦେଶର ଏହି ଚାହିଦାକୁ ପୂରଣ କରିବା ନିମନ୍ତେ ବିଦେଶରୁ ଚଢ଼ା ଦରରେ ଡାଲି ଜାତୀୟ ଶସ୍ୟ ଆମଦାନୀ କରାଯାଉଛି । ଏହା ଦେଶର ଅର୍ଥନୀତି ଉପରେ ପ୍ରତିକୁଳ ପ୍ରଭାବ ପକାଉଛି । ବିଜ୍ଞାନ ଓ କାରିଗରୀ କୌଶଳର ଯୋଜନାବଦ୍ଧ ପ୍ରୟୋଗ ଦ୍ୱାରା ଡାଲି ଜାତୀୟ ଶସ୍ୟର ଉତ୍ପାଦନ ବୃଦ୍ଧି କରାଯାଇପାରିବ । ଡାଲି ଜାତୀୟ ଶସ୍ୟ ଯଥା ମୁଗ, ବିରି, କୋଳଥ, ମାଣ୍ଡିଆ ଓ ହରଡ଼ ଆଦି ଫସଲର ସଫଳ ଉତ୍ପାଦନ ସମଗ୍ର ପୂର୍ବ ଭାରତରେ ଚାଷୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ବିଶେଷ ସହାୟକ ହୋଇପାରିବ । ମାତ୍ର ପୂର୍ବ ଭାରତରେ ବିଶେଷ କରି ଓଡ଼ିଶାରେ ଏହି ଚାଷକୁ ଏକ ଲାଭକାରୀ ଫସଲ କରିବାକୁ ହେଲେ ଉକ୍ତ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି ଯଥା ସୁଖାପଣ, ଖାରପଣ, ଉଚ୍ଚତାପମାତ୍ରା ପ୍ରତିରୋଧି, ବିବିଧତା ତଥା ଉଚ୍ଚଗୁଣବତ୍ତାଯୁକ୍ତ ବିହନ ବିକଶିତ କରିବାକୁ ହେବ ।

ଡାଲି ଜାତୀୟ ଶସ୍ୟର ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଜାତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ଅନୁଷ୍ଠିତ ଏକ ଜାତୀୟ ଆଲୋଚନାଚକ୍ରରେ ବିଶିଷ୍ଟ ବୈଜ୍ଞାନିକମାନେ ଏପରି ମତଦେଇଥିଲେ। ଭାରତ ସରକାରଙ୍କ ଜୈବ ପ୍ରାଦ୍ୟୋଗିକ ବିଭାଗ ଏବଂ ଜୀବ ବିଜ୍ଞାନ ପ୍ରତିଷ୍ଠାନ,ଭୁବନେଶ୍ୱରର ମିଳିତ ଉଦ୍ୟମରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଦେଶର ୩୦ରୁ ଅଧିକ କୃଷି ବିଜ୍ଞାନୀ ଏବଂ କୃଷି ବିଶେଷଜ୍ଞ ଯୋଗଦେଇଥିଲେ । ସାଧାରଣତଃ ପୂର୍ବ ଭାରତ ରାଜ୍ୟଗୁଡ଼ିକର ବର୍ଷାଜଳ ପ୍ଳାବିତ ଅଞ୍ଚଳରେ ବ୍ୟାପକ ଚାଷ ହେଉଥିବା ଡାଲି ଜାତୀୟ ଫସଲଗୁଡ଼ିକ ଜମିର ଉର୍ବରତା ବୃଦ୍ଧି କରିଥାଏ ଏବଂ ଏହା ସହିତ ଡାଲି ଲୋକମାନଙ୍କ ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରା ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଜୈବ ପ୍ରାଦ୍ୟୋଗିକ ବିଭାଗର ବରିଷ୍ଠ ଉପଦେଷ୍ଟା ଡ. ଏସ୍‌ ଆର୍‌ ରାଓ ଆଗାମୀ ଦିନରେ ସହଯୋଗିତା ଭିତ୍ତିରେ ଅନୁବଂଶିକ ଉତ୍ସ, ଜିନୋମିକ୍ସ୍‍ ଏବଂ ପ୍ରଜନନ ଉପରେ ଅଧିକ ଗବେଷଣା ଓ ବିକାଶ ଏହି ଫସଲର ଉତ୍ପାଦନ ବୃଦ୍ଧିରେ ଅଧିକ ଫଳପ୍ରସୂ ହେବା ନେଇ ମତଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା, ଏନ୍‌ଜିପିଜିଆର୍‌, ନୂଆଦିଲ୍ଲୀର ନିର୍ଦ୍ଦେଶକ ଡ. କୁଲଦୀପ୍‌, ଆଇବିଏସ୍‌ଡି, ଇମ୍ପାଲର ନିର୍ଦ୍ଦେଶକ ଡ. ଦୀନବନ୍ଧୁ ସାହୁ, ଡ. କେ ଭି ପ୍ରଭୂ ପ୍ରମୁଖ ଉପସ୍ଥିତ ଥିଲେ ।