ନନ୍ଦନକାନନରେ କଲରାପତରିଆ ବାଘର ମୃତ୍ୟୁ । ଗତକାଲି ହଠାତ ଅସୁସ୍ଥ ହୋଇପଡିଥିଲା ବାଘ

30

କନକ ବ୍ୟୁରୋ : ନନ୍ଦନକାନନରେ ବାଘର ମୃତ୍ୟୁ । ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଆଜି ସକାଳ ପ୍ରାୟ ୫ଟା ସମୟରେ ଗୁଜୁରାଟ ଜୁନାଗଡ ଚିଡିଆଖାନାରୁ ଆସିଥିବା ୮ ବର୍ଷୀୟ ବାଘର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ହଠାତ ବାଘଟି ଅସୁସ୍ଥ ହୋଇପଡିଥିଲା । ତାର ଶରୀରର ତାପମାତ୍ରା କମିବା ସହ ପେଟ ଫୁଲି ଯାଇଥିଲା ।

ଆଇସୋଲେସନ ୱାର୍ଡରେ ଚିକିତ୍ସା କରାଯାଉଥିଲା । ତେବେ ଚିକିତ୍ସା ପରେ ବାଘର ଶରୀରର ତାପମାତ୍ରା ସ୍ୱାଭାବିକ ଥିବା କହିଥିଲେ ଚିକିତ୍ସା କରୁଥିବା ପ୍ରାଣୀ ଚିକିତ୍ସକ । ହେଲେ ଆଜି ସକାଳୁ ବାଘଟିର ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ ବ୍ୟବଚ୍ଛେଦ ପରେ ବାଘମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ନନ୍ଦନକାନନ କର୍ତୃପକ୍ଷ ।

ମୃତ କଲରାପତରିଆ ବାଘ ୨୬ ମାର୍ଚ ୨୦୧୩ରେ ଗୁଜୁରାଟ ଜୁନାଗଡ ଚିଡିଆଖାନାରୁ ୩ ବର୍ଷ ବୟସରେ ଆସିଥିଲା । ତେବେ ତାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ମୋଟ ୭ଟି କଲରାପତରିଆ ବାଘ ଅଛନ୍ତି ।