ସ୍କୁଲ ପାଖରେ ବୁଲୁଛି କଲରାପତରିଆ ବାଘ । ଲୋକେ ଆତଙ୍କିତ, ନଜର ରଖିବା ପାଇଁ ଟ୍ରାପ କ୍ୟାମେରା ଲଗାଇଲା ବନବିଭାଗ

ବିଦ୍ୟାଳୟ ପାଖରେ ବୁଲୁଛି କଲରାପତରିଆ ବାଘ

101

କନକ ବ୍ୟୁରୋ : ବିଦ୍ୟାଳୟ ପାଖରେ ବୁଲୁଛି କଲରାପତରିଆ ବାଘ। କନ୍ଧମାଳ ଜିଲ୍ଲା କୋଟଗଡ଼ ଝରିଆପଦା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ କଲରାପତରିଆ ବାଘର ଗତିବିଧିକୁ ନେଇ ଲୋକଙ୍କ ଭିତରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।  ଗତକାଲି ସକାଳୁ ସକାଳୁ ଲୋକେ କଲାରାପତରିଆ ବାଘ ବିଦ୍ୟାଳୟ ନିକଟରେ କିଛି ଛେଳିକୁ ଗୋଡ଼ାଉଥିବା ଦେଖିବାକୁ ପାଇଥିଲେ। ଭୟଭୀତ ହୋଇ ସେମାନେ ପାଟିତୁଣ୍ଡ କରିବା ପରେ ବାଘଟି ସେଠାରୁ ପଳାଇଥିଲା। ଏହା ପରେ ସଂଗେ ସଂଗେ ସ୍ଥାନୀୟବାସିନ୍ଦା ବନବିଭାଗ ରେଞ୍ଜ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ କର୍ମଚାରୀ ମାନେ ପହଞ୍ଚି ବାଘର ପାଦଚିହ୍ନ ଠାବ କରିଥିଲେ। ବାଘର ଗତିବିଧି ଜାଣିବା ପାଇଁ ଟ୍ରାପ୍ କ୍ୟାମେରା ଲଗାଯାଇଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀ ଓ ଅଭିଭାବକ ଭୟଭୀତହୋଇ ରହିଥିବା ଜଣାପଡ଼ିଛି।

 

ବନବିଭାଗ ଅଧିକାରୀ ବିଦ୍ୟାଧର ଜାନୀଙ୍କ କହିଛନ୍ତି, ଏହି ଦୁଇ ମାସ ବାଘ ଚଳଚଞ୍ଚଳ ରହିବେ। ତେବେ ଜଙ୍ଗଲରୁ ବାଘ ଯେଭଳି ସହରକୁ ନ ଆସିବେ ଏହା ଉପରେ ନଜର ରଖାଯିବ ବୋଲି କହିଛନ୍ତି ବିଦ୍ୟାଧର। ତେବେ ପୂର୍ବରୁ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ଏପରି ଭାବରେ ବାଘ ବୁଲୁଥିବା ଲୋକମାନେ ଦେଖିବାକୁ ପାଇଛନ୍ତି । ଏହାସହ ସାତକୋଶିଆରେ ବାଘୁଣୀ ସୁନ୍ଦରୀ ଗ୍ରାମ ମଧ୍ୟକୁ ପ୍ରବେଶ କରିବା ସହ ଲୋକମାନଙ୍କୁ ଆକ୍ରମଣ କରିଥିବା ନେଇ ଜଣାପଡିଥିଲା । ବାରମ୍ବାର ଏପରି ଭାବରେ ବାଘ ବଣରୁ ଗ୍ରାମ ମଧ୍ୟକୁ ପ୍ରବେଶ କରୁଥିବା ନେଇ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ବାଘର ଚଳପ୍ରଚଳ ନେଇ କୌଣସି ସୂଚନା ମିଳିପାରିନାହିଁ ।