ଅନୁଗୁଳର ସ୍ୱାବଲମ୍ବୀ ଚାଷୀ କୁମୁଦଙ୍କ କାହାଣୀ ! ଲେମ୍ବୁ ଚାଷ କରି ରୋଜଗାର କରୁଛନ୍ତି ବାର୍ଷିକ ୧୦ ଲକ୍ଷ ଟଙ୍କା ।

273

କନକ ବ୍ୟୁରୋ : ଅନୁଗୁଳ ସାତକୋଶିଆ ଅଂଚଳର ଜଣେ ଚାଷୀ ଲେମ୍ବୁ ଚାଷ କରି ବାର୍ଷିକ ୧୦ଲକ୍ଷ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ରୋଜଗାରର ପନ୍ଥା ଦେଇଛନ୍ତି । ୫୫ବର୍ଷୀୟ କୁମୁଦ ଚନ୍ଦ୍ର ପ୍ରଧାନ । ଜଣେ ସଫଳ ଲେମ୍ବୁ ଚାଷୀ । ଅନୁଗୁଳ ପୋକତୁଙ୍ଗ ଗାଁର କୁମୁଦ ୩ଏକର ଜାଗାରେ ଲେମ୍ବୁ ଚାଷ କରି ବାର୍ଷିକ ରୋଜଗାର କରୁଛନ୍ତି ପ୍ରାୟ ୧୦ଲକ୍ଷ ଟଙ୍କା ।

ସାତକୋଶିଆ ଅଭୟାରଣ୍ୟରେ ଥିବା ପାଖାପଖି ୧୨୪ ଗାଁର ଗ୍ରାମାବାସୀଙ୍କ ଚାଷ ହେଉଛି ପ୍ରମୁଖ ବୃତି । ବିଭିନ୍ନ ସମୟରେ ଧାନ, ପନିପରିବା ଓ ଫଳ ଚାଷକୁ ଅଭୟାରଣ୍ୟରେ ଥିବା ଜୀବଜନ୍ତୁ ନଷ୍ଟ କରିଦିଅନ୍ତି । ଯାହାର ଉଚିତ କ୍ଷତିପୂରଣ ବନବିଭାଗ ଯୋଗାଇ ପାରୁନାହିଁ । ଫଳରେ ଲୋକେ ଚାଷକାମରୁ ମୁହଁ ଫେରାଇ ବିଭିନ୍ନ କମ୍ପାନୀରେ ମାସିକ ୩ହଜାର ଟଙ୍କାରେ କାମ କରୁଛନ୍ତି । କିନ୍ତୁ ଏପରି ସ୍ଥଳେ ଲେମ୍ବୁ ଚାଷ କରି ବେଶ ଲାଭବାନ ହୋଇ ଜଣେ ସଫଳ ଚାଷୀ ଭାବେ ପରିଗଣିତ ହୋଇଛନ୍ତି କୁମୁଦ ।

ସାତକୋଶିଆ ଅଂଚଳ ଜଳବାୟୁ ଆଦ୍ର ଓ ପରିବେଶ ଲେମ୍ବୁ ଚାଷ ପାଇଁ ଉପକୂଳ । ଫଳରେ ଏଠାରେ ଉତ୍ପାଦିତ ଲେମ୍ବୁର ମାନ ଭଲ ଥିବା ଯୋଗୁଁ କଟକରୁ ଆରମ୍ଭ କରି ବିଭିନ୍ନ ସ୍ଥାନର ବେପାରୀ ଭିଡ ଜମୁଛି କୁମୁଦଙ୍କ ନିକଟରେ । ନିଜ ସମେତ ଦୈନିକ ପ୍ରାୟ ୧୫ଜଣ ଶ୍ରମିକଙ୍କୁ ଚାଷ କାମରେ ନିୟୋଜିତ କରି କର୍ମ ସଂସ୍ଥାନ ଯୋଗାଇ ପାରିଛନ୍ତି ସେ । କୁମୁଦ ଦୈନିକ ପ୍ରାୟ ୧୦ବସ୍ତା ଲେମ୍ବୁ ବଜାରକୁ ଛାଡୁଛନ୍ତି । କୁମୁଦଙ୍କ ଠାରୁ ପ୍ରୋତ୍ସାହନ ପାଇ ତାଙ୍କଠାରୁ ଲେମ୍ବୁ ଚାରା ନେଇ ଆଖପାଖ ଅଂଚଳର ଚାଷୀମାନେ ମଧ୍ୟ ଲେମ୍ବୁ ଚାଷ ଆରମ୍ଭ କରିଛନ୍ତି ।