ଆଶାୟୀ କରିବେ କ’ଣ? ଅପେକ୍ଷା କରିବେ ନା ବିକଳ୍ପ ଚିନ୍ତା କରିବେ? ସରିଲା ସଂସଦର ଶେଷ କାର୍ଯ୍ୟଦିବସ, କୋଲ୍ଡ ଷ୍ଟୋରେଜରେ ପୁଣି ପଡି ରହିଲା ବିଧାନ ପରିଷଦ! 

199

କନକ ବ୍ୟୁରୋ : ମଉଳିଲା ବିଧାନ ପରିଷଦ ସ୍ୱପ୍ନ । ସଂସଦର କାର୍ଯ୍ୟଦିବସ ସରିବା ସହ ବିଧାନ ପରିଷଦ ଗଠନ ପ୍ରସ୍ତାବ ପାରିତ ହେବା ସ୍ୱପ୍ନରେ ରହିଯାଇଛି । କାରଣ ଏହା ମୋଦି ସରକାରଙ୍କ ଶେଷ ଅଧିବେଶନ । ଆଉ ଏହି ଅଧିବେଶନ ପରେ ପରେ ଦେଶରେ ହେବ ସାଧାରଣ ନିର୍ବାଚନ । ରାଜ୍ୟ ବିଧାନସଭାରେ ବିଧାନ ପରିଷଦ ଗଠନ ନେଇ  ବେଶ ସହଜରେ ସଂକଳ୍ପ ପ୍ରସ୍ତାବ ପାରିତ ହେବା ପରେ ଖୁବଶୀଘ୍ର ଏହାର ଗଠନ ହେବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପୁଣିଥରେ କୋଲ୍ଡ ଷ୍ଟୋରେଜ ମଧ୍ୟକୁ ଠେଲି ହୋଇ ଯିବାକୁ ବସିଛି ବିଧାନ ପରିଷଦ ।

ସାଧାରଣତଃ ବିଧାନ ପରିଷଦ ଗଠନ ପ୍ରକ୍ରିୟା ଓ ପ୍ରଣାଳୀ ସମୟ ସାପେକ୍ଷ ।  ରାଜ୍ୟ ବିଧାନସଭାରେ ଏହା ପାରିତ ହୋଇଥିଲେ ମଧ୍ୟ ପାର୍ଲାମେଣ୍ଟରେ ପହଞ୍ଚିପାରିନି ଏହି ବିଲ୍ । ତେଣୁ ରାଜ୍ୟରେ ବିଧାନ ପରିଷଦ ଗଠନ ଚର୍ଚ୍ଚାରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । କାରଣ ସଂସଦରେ ରାଜ୍ୟ ସରକାରଙ୍କ ଏହି ସଂକଳ୍ପ ପ୍ରସ୍ତାବ ଉପସ୍ଥାପିତ ହେବା ପରେ ବାଚସ୍ପତି ଏକ ସିଲେକ୍ଟ କମିଟି ଗଠନ କରି ଏହା ଉପରେ ଅଧିକ ତର୍ଜମା ପାଇଁ ପଠାଇ ଦେଇଥାନ୍ତି । ସିଲେକ୍ଟ କମିଟିର ରିପୋର୍ଟ ଆସିବା ପରେ ଏହା ସଂସଦରେ ପାରିତ ହେବା ଆବଶ୍ୟକ । ସଂସଦରେ ବିଧେୟକ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥାଏ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବିଧାନ ପରିଷଦ ଗଠନ ପାଇଁ ବାଟ ଫିଟିଥାଏ ।

ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଗଠନ ପାଇଁ ବାଟ ଫିଟିବା ଏକରକମ ବନ୍ଦ ହୋଇଛି । କେବଳ ଓଡିଶା ନୁହେଁ ଆସାମ ସମେତ ୪ଟି ରାଜ୍ୟରେ ଗଠନ ହେବାକୁ ଥିବା ବିଧାନ ପରିଷଦର ଭାଗ୍ୟ ଏବେ ମଧ୍ୟ ସଂସଦରେ ଝୁଲି ରହିଛି । ତେଣୁ ଏଭଳି ଅନେକ କାରଣ ପାଇଁ ରାଜ୍ୟରେ ବିଧାନ ପରିଷଦ ଗଠନର ଆଶା ମରି ମରି ଯାଉଛି । ଯାହା ବିଧାନ ପରିଷଦ ମୁଆଁ ଖାଇବାକୁ ମନେ ମନେ ସ୍ଥିର କରି ନେଇଥିବା କିଛି ନେତାଙ୍କ ପାଇଁ ନିର୍ବାଚନ ପୂର୍ବରୁ ଦୁଃସ୍ୱପ୍ନ ପାଲଟିବାକୁ ଯାଉଛି ।

ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାର ୨୦୧୫ରେ ଏହାର ପୁନାଦି ଖୋଳିଥିଲେ । ଏପରିକି ବିଧାନ ପରିଷଦ ଗଠନ ନେଇ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । କିନ୍ତୁ ଏହାପରେ ସତେ ଯେମିତି ଶୀତଳଭଣ୍ଡାରକୁ ଚାଲି ଯାଇଥିଲା ବିଧାନ ପରିଷଦ ଗଠନ ପ୍ରକିୟା । ଆଉ ଯେତେବେଳେ ୨୦୧୯ ନିର୍ବାଚନ ପାଖେଇ ଆସିଛି ଠିକ୍ ଏହାର ପୂର୍ବରୁ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା । ତରବରିଆ ଭାବେ ବିଧାନସଭାରେ ବିଧାନ ପରିଷଦ ଗଠନ ପାଇଁ ସଂକଳ୍ପ ପ୍ରସ୍ତାବ ପାରିତ କରିଥିଲେ ରାଜ୍ୟ ସରକାର । ଯାହାକୁ ନେଇ ବିରୋଧୀ ଦଳ ବଡ ଅଭିଯୋଗ ଆଣିଥିଲେ ।

ଅସନ୍ତୁଷ୍ଟ ଏବଂ ନିର୍ବାଚନରେ ଅକୃତକାର୍ଯ୍ୟ ନେତାଙ୍କୁ ଥଇଥାନ କରିବାକୁ ବିଧାନ ପରିଷଦ ଗଠନର ପରିକଳ୍ପନା ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ । ଏହାପୂର୍ବରୁ ୨୦୧୫ରେ ଯେତେବେଳେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ସେତେବେଳେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ ବିରୋଧୀ । କୁହାଯାଉଥିଲା, ନିର୍ବାଚନରେ ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବା ନେତା ଓ ନିର୍ବାଚନରେ ପରାଜୟ ବରଣ କରିଥିବା କିଛି ବଡ ଚେହେରାଙ୍କୁ ଥଇଥାନ କରିବାକୁ ବିଧାନ ପରିଷଦ ଗଠନ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।

ଆଉ ଏସବୁ ଭିତରେ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ବିଧାନ ପରିଷଦର ଫର୍ମୁଲା ଏବେ ଫସର ଫାଟିବାକୁ ଯାଉଛି । ବିଧାନ ପରିଷଦ ଗଠନ ପାଇଁ ଅନେକ ଗୁଡିଏ ପର୍ଯ୍ୟାୟ ରହିଥିବା ବେଳେ ସଂସଦର ଶେଷ ଅଧିବେଶନର ଶେଷ କାର୍ଯ୍ୟଦିବସ ସହ ବିଧାନ ପରିଷଦ ଅଧ୍ୟାୟରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ଏଭଳି କ୍ଷେତ୍ରରେ ବିଧାନ ପରିଷଦ ସଦସ୍ୟ ହେବାକୁ ଆଶାୟୀ ଥିବା ନେତା ଚୁପ ବସିବେ ନା ରାଜନୈତିକ କ୍ୟାରିୟରକୁ ଆଗକୁ ନେବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।