୨ଟି ଜିଲ୍ଲାରେ ମରୁଡି ସ୍ଥିତି: ୧୦ଟି ଜିଲ୍ଲାରେ ସ୍ପଳ୍ପ ବୃଷ୍ଟିପାତ; ଚଳିତ ବର୍ଷ ହୋଇଛି ସ୍ୱାଭାବିକଠୁ କମ୍ ବର୍ଷା

ଆଗକୁ ବର୍ଷା ନହେଲେ ସ୍ଥିତି ସାଂଘାତିକ ହୋଇପାରେ ବୋଲି ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା

1,006

କନକ ବ୍ୟୁରୋ: ଦୁଇ ଜିଲ୍ଲାରେ ମରୁଡି ସ୍ଥିତି । ବର୍ଷା ନଥିବାରୁ ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରେ ସ୍ଥିତି ଭୟଙ୍କର ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ୧୦ଟି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ବୌଦ୍ଧ, ନୂଆପଡା, ଢ଼େଙ୍କାନାଳ, ଭଦ୍ରକ,କେନ୍ଦୁଝର, ବଲାଙ୍ଗୀର, ମୟୂରଭଞ୍ଜ, କେନ୍ଦ୍ରାପଡା, ଅନୁଗୁଳ ଓ ସମ୍ବଲପୁରରେ ଆଗକୁ ବର୍ଷା ନହେଲେ ସ୍ଥିତି ଭୟଙ୍କର ହେବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ବିଳମ୍ବରେ ବର୍ଷା ଆସିବା ସହ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ଏପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୧୧ ମିଲିମିଟର କମ୍ ବର୍ଷା ହୋଇଛି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ କେତେକ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପୂର୍ବରୁ ମଧ୍ୟ ବିଧାନସଭାରେ ଉତ୍ତର ରଖିଥିଲେ ସରକାର । ରାଜ୍ୟରେ ଚାଷୀକୂଳଙ୍କ ଦୟନୀୟ ସ୍ଥିତି ନେଇ ଗୃହରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ।

ବିଧାୟକ ସନ୍ତୋଷ ସିଂହ ସାଲୁଜା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ବଲାଙ୍ଗୀର, ବରଗଡ, ବାଲେଶ୍ୱର ସମେତ ୫ଟି ଜିଲ୍ଳାରେ ଚଳିତ ବର୍ଷ ୪୦ ପ୍ରତିଶତରୁ କମ୍ ବୃଷ୍ଟିପାତ ହୋଇଛି । ତେଣୁ ଏହିସବୁ ଜିଲ୍ଲାକୁ ମରୁଡି ପ୍ରବଣ ଜିଲ୍ଳା ଭାବେ ଘୋଷଣା କରିବାକୁ ସେ ଦାବି କରିଥିଲେ । ମରୁଡି ସମସ୍ୟା ନେଇ ମନ୍ତ୍ରୀଙ୍କ ଉତ୍ତର ଦାବି କରିବା ସହ ଗୃହ କମିଟି ଗଠନ କରିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଚଳିତ ବର୍ଷ ଦୁଇ ସପ୍ତାହ ବିଳମ୍ବରେ ମୌସୁମୀ ଆସିଥିଲା । ତାପରେ ପୁଣି ଗାଏବ ହୋଇଯାଇଥିଲା । ତେଣୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗଜା ମରୁଡି ସ୍ଥିତି ସୃଷ୍ଟି ହୋଇଛି ।ତେଣୁ ସରକାର ଏଦିଗରେ ତୁରନ୍ତ ଆଲୋଚନା କରି ପଦକ୍ଷେପ ନିଅନ୍ତୁ ବୋଲି ଗୃହରେ ଦାବି ହୋଇଥିଲା।