ନାଁ ଭରିଲେ ନେତା ! ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କ ପଟୁଆର, ସମର୍ଥକଙ୍କ ସହ କଲେ ଶକ୍ତି ପ୍ରଦର୍ଶନ ।

190

କନକ ବ୍ୟୁରୋ : ଆସନ୍ତା ୧୧ ତାରିଖରେ ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ନେତାମାନେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଷିପୁରାରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଦାଖଲ କରିଛନ୍ତି ନାମାଙ୍କନ ପତ୍ର । ସେହିପରି କଟକ-ବାରବାଟୀ ବିଧାନସଭା ଆସନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦେବାଶିଷ ସାମନ୍ତରାୟ ।

ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କ ପଟୁଆର । ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଦାଖଲ କରିବାକୁ ବାହାରିଲେ ନେତାଏ । ଆଜି ଘସିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ପହଂଚିଥିଲେ ନିରଞ୍ଜନ । ସେପଟେ ଘଷିପୁରା ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ନାମାଙ୍କନ ଭରିଛନ୍ତି । ବିରାଟ ଶୋଭାଯାତ୍୍ରାରେ ହଜାର ହଜାର ସମର୍ଥକଙ୍କ ଗହଳରେ ନାମାଙ୍କନ ଦାଖଲ କରିଛନ୍ତି ବଦ୍ରି ।

ସେହିପରି ଆଜି ନାମାଙ୍କନ ଭରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସ ପ୍ରାର୍ଥୀ ପ୍ରସାଦ ହରିଚନ୍ଦନ ଆଜି ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର । ପୁରୀ ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ ମଧ୍ୟ ବାଇକ୍ ରାଲିରେ ଯାଇ ଦାଖଲ କରିଛନ୍ତି ନାମାଙ୍କନ । ସେପଟେ କଟକ-ବାରବାଟୀ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ଦାଖଲ କରିଛନ୍ତି ପ୍ରାର୍ଥୀ ପତ୍ର । ଶହଶହ କଂଗ୍ରେସ କର୍ମୀଙ୍କ ସହ ରାଲିରେ ଆସିଥିଲେ ମୋକିମ ।

ଅନ୍ୟପଟେ କଟକ-ବାରବାଟୀ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର । ଦଳୀୟ କର୍ମୀଙ୍କ ସହ ଦେବାଶିଷଙ୍କ ସହ ଦେଖିବାକୁ ମିଳିଥିଲା ଅଭିନେତାରୁ ନେତା ବନିଥିବା ଅରିନ୍ଦମ ରାୟଙ୍କୁ । ସେହିପରି ଭୁବନେଶ୍ୱର ଏକାମ୍ର ଆସନରୁ ବିଜେଡି ପ୍ରାର୍ଥୀ ଆଜି ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଭୁବନେଶ୍ୱର କେନ୍ଦ୍ରରୁ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଜି ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।