କ୍ଷମତାକୁ ଆସିବୁ, ଚାଷୀ ଋଣ ଛାଡ଼ିକୁ ! ସତ୍ତା ହାସଲ ପାଇଁ ନେତାଙ୍କ ପ୍ରାଥମିକତା ଚାଷୀ

158

କନକ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ । ଆଉ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନର ସ୍ଥିତି ଦେଖିବା ପରେ ଟାର୍ଗେଟରେ ଅଛନ୍ତି କୃଷକ । କୃଷକଙ୍କ ଭୋଟ ବ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।  ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ କୃଷକଙ୍କ ଭୋଟ୍ ହାତେଇବାପାଇଁ ଏବେ କୃଷି ଋଣଛାଡ଼କୁ ନିର୍ବାଚନ ପ୍ରତିଶ୍ରୁତି ଏଜେଣ୍ଡାର କରୁଛନ୍ତି ।  ଆଉ ଚଳିତ ନିର୍ବାଚନରେ କୃଷି ଓ କୃଷକଙ୍କୁ ଆୟୁଧ କରି ରାଜନୀତି ବୈତରଣୀ ପାର କରିବା ପାଇଁ ଚେଷ୍ଟା କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରାଯିବ ବୋଲି ସମସ୍ତ ରାଜନୈତିକ ଦଳ ଗୁଡ଼ିକ ଏବେଠାରୁ ଚିତ୍କାର ଆରମ୍ଭ କରିଦେଲେଣି ।

ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ କୃଷି ଋଣ ଛାଡ଼ କରିବାର ପ୍ରତିଶ୍ରୁତି ପରେ ସରକାର କରିଛି କଂଗ୍ରେସ । କେବଳ ପ୍ରତିଶ୍ରୁତି ନୁହେଁ କଂଗ୍ରେସ ସରକାରକୁ ଆସୁ ଆସୁ ମଧ୍ୟପ୍ରଦେଶ ଓ ଛତିିଶଗଡ଼ରେ କୃଷି ଋଣ ଛାଡ଼ ଘୋଷଣା ମଧ୍ୟ କରିଛି । କଂଗ୍ରେସର ବିଜୟ ଦେଖି ଓଡ଼଼ିଶାରେ ମଧ୍ୟ ଭୋଟ୍ ଗୋଟାଇ ବାକୁ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଯୋଜନା କରୁଛନ୍ତି  । ରାଜ୍ୟରେ ମଧ୍ୟ ଏବେ କୃଷି ଓ କୃଷକଙ୍କୁ ଆୟୁଧ କରିବା ପାଇଁ ଯୋଜନା ହେଉଛି । ଚାଷୀଙ୍କ ଭୋଟ୍ ଉପରେ ସମସ୍ତଙ୍କ ନଜର ।

ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଆସି କୃଷିଋଣ ଛାଡ କରିବାକୁ ଘୋଷଣା କରିବା ପରେ ବିଜେପି ମଧ୍ୟ ଏହି ରଣନୀତିକୁ ଆପଣାଇଛି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ୨୦୧୯ରେ ଓଡିଶାରେ ବିଜେପି କ୍ଷମତାକୁ ଆସିଲେ କୃଷିଋଣ ଛାଡ ହେବ । ୨୦୧୯ ନିର୍ବାଚନରେ ବିଜେପି ରାଜ୍ୟରେ କ୍ଷମତାକୁ ଆସେ ନଶ୍ଚିତ ରୂପେ କୃଷି ଛାଡ଼ କରିବ । ଆଉ ଏ ନିଷ୍ପତି ପୂର୍ବରୁ ନିଆସରିଛି ।  ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଘୋଷଣା କରିଛନ୍ତି ।

basanta panda -state bjp president

ତତସଙ୍ଗେ ବିଜେପି ରାଜ୍ୟରେ ସରକାର ଗଢ଼ିଲେ ଚାଷୀଙ୍କୁ ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ । ତେବେ ଚାଷୀଙ୍କ ହକ୍ ପାଇଁ ଆଗାମୀ ୮ ତାରିଖରେ ଓଡ଼ିଶାର ସେକ୍ରେଟାରିଏଟ୍ ଘେରାଉ କରାଯିବ । କୃଷି ଋଣ ଛାଡ଼, ଠିକରେ ମଣ୍ଡି ଚାଲିବା ତଥା କୃଷକଙ୍କ ନ୍ୟାର୍ଯ୍ୟ ଦାବି, ଶୀଳତ ଭଣ୍ଡାର ଓ କୃଷଙ୍କ ବିଭିନ୍ନ ସମସ୍ୟା ନେଇ ସେକ୍ରେଟାରିଏଟ୍ ଘେରାଉ କରିବ ବିଜେପି । ସରକାର ନିଜ ସ୍ଥାଣୁତା ଯୋଗୁଁ ଅନ୍ଧ ମୁକ ବଧୀର ପାଲଟି ଯାଇଛନ୍ତି । ଆଉ ଏଥିପାଇଁ ଓଡ଼ିଶାର ଚାଷୀକୁଳ ଅନ୍ୟଉପାୟ ନପାଇ ଆତ୍ମହତ୍ୟାର ଚନମ ରାସ୍ତାକୁ ଆପଣାଉଛନ୍ତି  । କୃଷକଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ବିଜେଡ଼ି ମୁଖମାତ୍ର ପ୍ରତାପ ଦେବ ବିଜେପିର କହିଛନ୍ତି ରାଜ୍ୟ ସରକାର ଏକ ମନ୍ତ୍ରମଣ୍ଡଳୀୟ ଟିମ୍ ଗଢ଼ିଛନ୍ତି । ଚାଷୀ ନେତାଙ୍କ ସହ ଆଲୋଚନା ଚାଲିଛି । ୨ ଥର ବୈଠକ ବସି ସାରଲାଣି । ଆଗକୁ ମଧ୍ୟ ଚାଷୀଙ୍କ ଅସୁବିଧା ନେଇ ଆଲୋଚନା ହେବ । ଏପରିକି ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ଚାଷୀଙ୍କ ସମସ୍ୟା ସମ୍ପର୍କିତ ମତାମତ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର । ଠିକ୍ ସମୟରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପ୍ରତାପ୍ ଦେବ । ଏହା ବ୍ୟତୀତ ସେ କହିଛନତି କୃଷି ଋଣ ଛାଡ଼ କେବେ ବି ସବୁ ଦିନିଆ ସମାଧାନ ନୁହେଁ ।

Pratap-Keshari-Deb

ସେପଟେ କୃଷକଙ୍କ ଋଣ ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଆମେ ଚାଷୀ ଋଣ ଛାଡ଼ିବା କଥା ବହୁ ଆଗରୁ ଆରମ୍ଭ କରିଛୁ । କ୍ଷମତାକୁ ଆସିବା ପରେ ସବୁ ଚାଷୀଙ୍କୁ ସୋଲାର ପମ୍ପ ପ୍ରଦାନ କରାଯିବ । ୫ ବର୍ଷ ପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । କଂଗ୍ରେସ କ୍ଷମତାକୁ ଆସିବାର ୨ ବର୍ଷ ଭିତରେ ରାଜ୍ୟରେ କେହି ବି ଭୂମିହୀନ ରହିବେ ନାହିଁ । ତେବେ କଂଗ୍ରେସ  କେବଳ ପ୍ରତିଶ୍ରୁତି ଦିଏନି ତାହାର ପାଳନ କରେ, ତାହା  ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ୁଛି । ଏହ ବ୍ୟତୀତ କ୍ଷମତାକୁ ଆସିଲେ ହିଁ ସେହି ଦିନ କୃଷି ଋଣ ଛାଡ଼ ହେବ ବୋଲି ଘୋଷଣା କରାଯିବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଆମେ ସାତ ମାସ ତଳୁ ଏକଥା କହିଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ନିର୍ବାଚନ ଫଳାଫଳ ଦେଖି ବିଜେପି ଓ ବିଜେଡ଼ି ଦଳକୁ କୃଷକଙ୍କ କଥା ମନେପଡ଼ୁଛି । ଆଗରୁ କାହିଁକି ମନେପଡ଼ୁନଥିଲା । ଏବେ ସରକାର ବଦଳିବା ଉଚିତ ବୋଲି କହିଛନ୍ତି ପିସିସି ସଭାପତି । କାରଣ ୧୮ ବର୍ଷ ଧର ବିଜେଡ଼ି ସରକାରରେ ଓଡ଼ିଶାର ଜନସାଧାରଣ ପ୍ରତାରିତ ହୋଇଛନ୍ତି । ଓଡ଼ିଶାର ଭୋଟର ଭାଇଉଭଣୀମାନେ ସଚେତନ ହେଲେ ନିଶ୍ଚିତ ପରିବର୍ତ୍ତନ ହେବ ।

ତେବେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିବ ନା ପାଳନ ହେବ ସେକଥା ସମୟ କହିବ । କୃଷିଋଣକୁ ନେଇ ଚାଲିଥିବା ପ୍ରତିଯୋଗିତାରେ କିଏ ହାରିବ ଆଉ କିଏ ବାଜି ମାରିବ ସେକଥା ଲୋକଙ୍କ ହାତରେ । ନିର୍ବାଚନ ଫଳାଫଳ ପରେ ହିଁ ପ୍ରକୃତ କଥା ଜଣାପଡ଼ିବ ।