ପଶ୍ଚିମ ଓଡ଼ିଶା ପାଇଁ ଦିଲ୍ଲୀରୁ ଆସିଲା ସାନ୍ତ୍ୱନାମୂଳକ ପୁରସ୍କାର । ମନ୍ତ୍ରିମଣ୍ଡଳରେ ମୋଦି ଦେଇନଥିଲେ ସ୍ଥାନ, ବିରୋଧୀ ଦଳ ନେତା ପଦ ଦେଇ ସନ୍ତୁଷ୍ଟ କରିବାକୁ ଶାହାଙ୍କ ପ୍ରୟାସ ? 

316

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାବାସୀଙ୍କୁ ଖୁସ୍ କରିବାକୁ ବିଜେପି ମୁଖିଆଙ୍କ ନୂଆ ଫର୍ମୁଲା । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଲେନି, କିନ୍ତୁ ବିରୋଧୀ ଦଳ ନେତା ପଦ ଦେଇ ପଶ୍ଚିମ ଓଡ଼ିଶାବାସୀଙ୍କୁ ଖୁସି କରିବାକୁ ବିଜେପି ମୁଖିଆ ପ୍ରୟାସ କରିଛନ୍ତି । ବିଜେପିର ବିଧାୟକ ଦଳ ନେତା ଭାବେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକଙ୍କ ନାଁରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମୋହର ମାରିବା ସହ ପଶ୍ଚିମ ଓଡ଼ିଶା ପାଇଁ ସାନ୍ତ୍ୱନାମୂଳକ ପୁରସ୍କାର ଭେଟି ଦେଇଛନ୍ତି ।

ବିଜେପିର ଗଡ ରହି ଆସିଥିବା ପଶ୍ଚିମ ଓଡ଼ିଶାରେ ଚଳିତ ସାଧାରଣ ନିର୍ବାଚନରେ ଦଳ ଦମଦାର ପ୍ରର୍ଦଶନ କରିଥିଲା । ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା ଆସନରେ କ୍ଲିନ୍ ସୁଇପ କରିଥିଲା ଦଳ । ବିଜେଡିର ହାୱା ଥିବା ସତ୍ତେ୍ୱ ମଧ୍ୟ ପଶ୍ଚିମରେ ପଦ୍ମ ଫୁଟିଥିଲା । ତେଣୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡ଼ିଶାର ନେତାଙ୍କୁ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ମୋଦି ସରକାର ପାର୍ଟ-୨ରେ ପଶ୍ଚିମ ଓଡ଼ିଶାର କୌଣସି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ମିଳିବା ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କରିଥିଲା । ଯାହାକୁ ନେଇ ବେଶ ରାଜନୀତି ମଧ୍ୟ ଦେଖିବାକୁ ମିଳିଥିଲା । ଅବଶ୍ୟ ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ ଲୋକସଭାରେ ୩ ରାଜ୍ୟର ସଚେତକ ଓ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଲୋକସଭାର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଇ ଖୁସି କରିବାକୁ ଚେଷ୍ଟା କରିଥିଲା ବିଜେପି । କିନ୍ତୁ ବିଜେପି ମୁଖିଆଙ୍କ ଏହି ଫର୍ମୁଲା ପଶ୍ଚିମ ଓଡ଼ିଶାବାସୀଙ୍କୁ ଖୁସି କରିପାରିନଥିଲା ।

ଆଉ ଏସବୁ ଭିତରେ ଯେତେବେଳେ ବିଧାନସଭାରେ ବିରୋଧୀ ଦଳ ନେତା ଚୟନ ନେଇ ବିଜେପି କସରତ ଆରମ୍ଭ କଲା ସେତେବେଳେ ପଶ୍ଚିମ ଓଡ଼ିଶା ଫର୍ମୁଲା ଆପଣାଇବାକୁ ଭୁଲିନଥିଲା ବିଜେପି । କାରଣ ନିର୍ବାଚନ ପରେ ବିଜେଡିର ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ଏପରିକି ନବୀନ ନିଜ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାର ନେତାଙ୍କୁ ସୁଯୋଗ ଦେଇ ପଶ୍ଚିମ ଓଡ଼ିଶା ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା ଚଳାଇଛନ୍ତି । ଆଉ ଏଭଳି ସ୍ଥଳେ ନିଜର ପୁରୁଣା ଗଡକୁ ସହଜରେ ହାତଛଡା କରିବାକୁ ଚାହୁଁନଥିଲା ବିଜେପି ।  ତେଣୁ ଦଳ କେନ୍ଦ୍ରରେ ପଶ୍ଚିମ ଓଡ଼ିଶା ନେତାଙ୍କୁ ଅଣଦେଖା କରିଥିବା ବେଳେ ରାଜ୍ୟରେ ଏହାର ପୁନରାବୃତ୍ତି କରିବାକୁ ଚାହିଁନଥିଲା । ତେଣୁ ପଶ୍ଚିମ ଓଡ଼ିଶାର କୌଣସି ନେତାଙ୍କୁ ବିରୋଧୀ ଦଳ ନେତା ପଦରେ ବସାଇ ପୁଣିଥରେ ବିଶ୍ୱାସ ଜିତିବାକୁ ଅଣ୍ଟା ଭିଡିଥିଲା । ବିରୋଧୀ ଦଳ ନେତା ପଦ ରେସରେ ପଶ୍ଚିମ ଓଡ଼ିଶାର ଦୁଇ ହେଭିୱେଟ ନେତା ଜୟନାରାୟଣ ମିଶ୍ର ଓ ପ୍ରଦୀପ୍ତ ନାୟକଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଆଉ ଶେଷରେ ପ୍ରଦୀପ୍ତଙ୍କ ନାଁରେ ମୋହର ମାରି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିଜେପି ସଭାପତି ଅମିତ ଶାହା ।

ପ୍ରଥମ ଥର ପାଇଁ ବିଧାନସଭାରେ ବିରୋଧୀ ଆସନରେ ବସିଛି ବିଜେପି । ଆଉ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ଭାବେ ପଶ୍ଚିମ ଓଡ଼ିଶାର ନେତାଙ୍କୁ ବାଛିଛି ବିଜେପି । ଆଉ ଏହା ମାଧ୍ୟମରେ ପଶ୍ଚିମ ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସା ଜିଣିବାକୁ ପ୍ରୟାସ କରିଛନ୍ତି ପଦ୍ମ ମୁଖିଆ ।