ପରିଚୟ ହରାଇଲାଣି ମହାତ୍ମା ଗାନ୍ଧୀ ମାର୍ଗ : ବର୍ଷସାରା ଜବରଦଖଲରେ ରାସ୍ତା, ଜନତା ମଇଦାନକୁ ଉଠିପାରୁନି ଆନ୍ଦୋଳନ ସ୍ଥଳ

41

କନକ ବ୍ୟୁରୋ: ରାଜ୍ୟ ସଚିବାଳୟ, ବିଧାନସଭା, ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ, ରେଳ ଷ୍ଟେସନକୁ ସଂଯୋଗ କରୁଥିବା ରାଜଧାନୀର ପ୍ରମୁଖ ରାସ୍ତା ମହାତ୍ମାଗାନ୍ଧୀ ମାର୍ଗ ବନ୍ଦ। ଲୋୟର ପିଏମଜିରେ ବର୍ଷତମାମ ଆନ୍ଦୋଳନ ଯୋଗୁଁ ଗାନ୍ଧୀଙ୍କ ନାମରେ ନାମିତ ଏହି ମାର୍ଗଟିକୁ କମିସନରେଟ୍ ପୁଲିସ ଉଭୟ ପାର୍ଶ୍ୱରୁ ବନ୍ଦ କରିଦେଇଛି। ବର୍ଷର ପାଖାପାଖି ୩୦୦ ଦିନ ଏହି ରାସ୍ତାଟି ଦିନ ଓ ରାତି ସିଲ୍ ହୋଇ ରହୁଛି। ବିଶାଳ ପାଚେରି ପ୍ରାୟ ବ୍ୟାରିକେଡ୍ ଲଗାଯାଇଛି। ପରିଣାମ ହେଲା, ଏହି ରାସ୍ତାର ପରିଚୟ ବଦଳିଗଲାଣି। ଆନ୍ଦୋଳନସ୍ଥଳୀ କହିଲେ, ସମସ୍ତେ ରାଜଧାନୀର ଏହି ରାସ୍ତାକୁ ଜାଣୁଛନ୍ତି।

ଏହାର ସାଂଘାତିକ ପ୍ରଭାବ ଏବେ ପଡ଼ିଲାଣି। ରେଳଷ୍ଟେସନକୁ ଯାଉଥିବା ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହେଉଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବାସିନ୍ଦା ଗୃହବନ୍ଦୀ। ତା’ ଭିତରେ ମନ୍ତ୍ରୀ, ସଚିବ ବି ଅଛନ୍ତି। ବର୍ଷ ତମାମ ସର୍ଭିସ ରୋଡ୍ ବନ୍ଦ ହୋଇ ରହୁଥିଲେ ହେଁ, ସରକାର ନିର୍ବିକାର ହୋଇ ବସିଛନ୍ତି। ଆନ୍ଦୋଳନକାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁନାହାନ୍ତି, ବରଂ ପୁଲିସର ଦୁଇ ଦୁଇଟି କ୍ୟାମ୍ପ ଖୋଲିଲାଣି।
ଏବେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଛି। ୧୫ରୁ ଅଧିକ ସଂଗଠନ ବିଭିନ୍ନ ଦାବି ନେଇ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି। ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ, ପାଖାପାଖି ୧୦୦ ଅଫିସର, ୩ ଜଣ ଆଡିସ୍ନାଲ ଡିସିପି ଓ ନିଜେ ଡିସିପି ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ବାକି ଦିନରେ ମଧ୍ୟ ପୁଲିସ ଜଗିରହୁଛି କ୍ୟାମ୍ପ କାର‌୍ୟ୍ୟାଳୟରେ।

ଏ ସଂକ୍ରାନ୍ତରେ ଏକ ମାମଲା ହାଇକୋର୍ଟରେ ରୁଜୁ ହୋଇଛି। ୨୦୦୫ ମସିହାରେ ବରିଷ୍ଠ ସାମ୍ବାଦିକ କେ ରବି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ରାଜ୍ୟ ସରକାରଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଥିଲା। ମାମଲା ରୁଜୁ ହେବାର ୧୩ ବର୍ଷ ବିତିଗଲାଣି। ରାଜ୍ୟ ସରକାର ଜାଣିଶୁଣି ଏହି ମାମଲାକୁ ହାଇକୋର୍ଟରେ ଝୁଲାଇ ରଖିଥିବା ଅଭିଯୋଗ ହୋଇଛି।

କେ ରବି ଯୁକ୍ତି ରଖିଛନ୍ତି, ‘ମାଷ୍ଟରକ୍ୟାଣ୍ଟିନ୍ ଛକରୁ ପିଏମ୍ଜି ଏକ ଆବାସିକ ଅଞ୍ଚଳ। ରାସ୍ତାର ଉଭୟ ପାର୍ଶ୍ୱରେ ଭିଭିଆଇପି ବ୍ୟକ୍ତି ବିଶେଷଙ୍କ ସରକାରୀ ବାସଭବନ। ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଏକାଧିକ ସଂଗଠନ ଓ ରାଜନୈତିକ ଦଳ ଆସି ସେମାନଙ୍କ ଦାବି ପୂରଣ ପାଇଁ ଧାରଣାଠାରୁ ଆରମ୍ଭ କରି ଅନଶନ, ଶୋଭାଯାତ୍ରା, ବିକ୍ଷୋଭ କରୁଛନ୍ତି। ଏହି କାରଣରୁ ଏଠାରେ ପ୍ରବଳ ଜନଗହଳି ସୃଷ୍ଟି ହେବା ସହିତ ଧ୍ୱନି ପ୍ରଦୂଷଣ ହେଉଛି, ବାୟୁ ପ୍ରଦୂଷଣ ବି ହେଉଛି। ରାସ୍ତାର ଉଭୟ ପାର୍ଶ୍ୱ ଅପରିଷ୍କାର ରହୁଛି। ଆନ୍ଦୋଳନକାରୀମାନେ କ୍ୱାଟର୍ସ ଆଗରେ ଝାଡ଼ା ପରିସ୍ରା କରୁଛନ୍ତି। ଥରୁଟିଏ ଯଦି କେହି କ୍ୱାର୍ଟର୍ସ ବାସିନ୍ଦା ଘରୁ ବାହାରକୁ ଯାଇଥାଏ, ଆଉ ଫେରି ପାରୁନାହାନ୍ତି। କ୍ୱାର୍ଟର୍ସ ବାସିନ୍ଦା ଏକ ପ୍ରକାର ବନ୍ଦୀ ଜୀବନ ବିତାନ୍ତି। ବିଧାନସଭା ସମୟରେ ପରିସ୍ଥିତି ସଙ୍ଗିନ ହୋଇ ପଡୁଛି। ମାନ୍ୟବର ହାଇକୋର୍ଟ ଏନେଇ ବିଚାର କରନ୍ତୁ। ଏବଂ ରାଜଧାନୀର ଅନ୍ୟତ୍ର କେଉଁଠିକୁ ବିକ୍ଷୋଭସ୍ଥଳୀ ଉଠାଇ ନିଅନ୍ତୁ।’ କେବଳ ସେତିକି ନୁହେଁ, ଲୋୟର ପିଏମଜିରେ ଦୁଇ ପଟେ ୪ଟି ସରକାରୀ ସ୍କୁଲ, ଗୋଟିଏ ଶିଶୁମନ୍ଦିର, ଅନେକ ସରକାରୀ କାର୍ଯ୍ୟାଳୟ। ଏମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ହାଇକୋର୍ଟ ଚାଲିଥିବା ଜନସ୍ୱାର୍ଥ ମାମଲାର ପକ୍ଷ ରଖି ରାଜ୍ୟ ସରକାର କହିଥିଲେ, ପିଏମଜିରେ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହେବ ନାହିଁ। ୟୁନିଟ-୩ ଠାରେ ଥିବା ପ୍ରଦର୍ଶନୀ ପଡ଼ିଆରେ ବିକ୍ଷୋଭ, ଶୋଭାଯାତ୍ରା ଓ ଧାରଣା ପାଇଁ ଅନୁମତି ଦିଆଯିବ। କିନ୍ତୁ ଇଡକୋ କର୍ତୃପକ୍ଷ ପ୍ରଦର୍ଶନୀ ପଡିଆକୁ ଆନ୍ଦୋଳନସ୍ଥଳ ପାଇଁ ଅନୁମତି ଦେଇ ନଥିଲେ। ଜନତା ମଇଦାନକୁ ବାଛି ଥିଲେ ରାଜ୍ୟ ସରକାର। କିନ୍ତୁ ଆନ୍ଦୋଳନକାରୀ ରାଜି ହେଲେ ନାହିଁ। ପୁଲିସ ମଧ୍ୟ ପଛଘୁଞ୍ଚା ଦେଇଥିଲା। ଶେଷରେ ରାଜ୍ୟ ସରକାର ହାଇକୋର୍ଟ ନିକଟରେ ପକ୍ଷ ରଖି କହିଲେ, ଏକ ହଜାରରୁ ଅଧିକ ଆନ୍ଦୋଳନକାରୀ ହେଲେ ସେହି ସଂଗଠନଗୁଡିକୁ ଜନତା ମଇଦାନକୁ ପଠାଇ ଦିଆଯିବ ଏବଂ ପିଏମ୍ଜିରୁ ଖସାଇ ଲୋୟର ପିଏମ୍ଜିକୁ ଆନ୍ଦୋଳନସ୍ଥଳ ଘୁଞ୍ଚାଯିବ। ତେବେ ଏଭଳି ନିୟମ କାଗଜପତ୍ରରେ ହିଁ ରହି ଯାଇଛି। ଦିନୁଟିଏ ବି ଗୋଟିଏ ହେଲେ ସଂଗଠନ ଜନତା ମଇଦାନକୁ ଆନ୍ଦୋଳନ କରିବାକୁ ଯାଇନାହାନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଥମେ ଆଇଜି ପାର୍କ ନିକଟରେ ଆନ୍ଦୋଳନକାରୀମାନେ ବିକ୍ଷୋଭ କରୁଥିଲେ। କିନ୍ତୁ ପରବର୍ତୀ ସମୟରେ ପିଏମଜିରେ ବିକ୍ଷୋଭ କରାଯାଇଥିଲା। ପୂର୍ବରୁ କେବଳ ବିଧାନସଭା ସମୟରେ ପିଏମ୍ଜିରେ ବିକ୍ଷୋଭ, ଧାରଣା ଓ ଅନଶନ ଅନୁଷ୍ଠିତ ହେଉଥିଲା। କିନ୍ତୁ ଧୀରେ ଧୀରେ ଏଥିରେ ପରିବର୍ତନ ଦେଖାଦେଲା। ବିଧାନସଭା ଚାଲୁ ନ ଥିବା ସମୟରେ ମଧ୍ୟ ଶୋଭଯାତ୍ରା, ଧାରଣା, ବିକ୍ଷୋଭ ଆରମ୍ଭ ହୋଇଗଲା। ଏବେ ଦୈନିକ ଏପରିକି ସରକାରୀ ଛୁଟିଦିନରେ ମଧ୍ୟ ପିଏମଜିରେ ଶୋଭାଯାତ୍ରା, ଧାରଣା ଅନୁଷ୍ଠିତ ହେଉଛି।