କୋରାପୁଟରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ! ଆଜିଠୁ ଆରମ୍ଭ ହେଲା ପାଠପଢ଼ା

114

କନକ ବ୍ୟୁରୋ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରାଜ୍ୟରେ ଲୋକାର୍ପଣ ହୋଇଛି ଆଉ ଏକ ସରକାରୀ ମେଡିକାଲ କଲେଜ । ଆଜି କୋରାପୁଟରେ ଲୋକାର୍ପିତ ହୋଇଛି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ । ୫୦ ବର୍ଷ ପରେ ଲୋକାର୍ପିତ ହୋଇଛି ରାଜ୍ୟରେ ଆଉ ଏକ ସରକାରୀ ମେଡିକାଲ କଲେଜ । ୧୦୦ ସିଟ୍ ବିଶିଷ୍ଟ ଏହି ମେଡିକାଲ କଲେଜକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚଳିତ ବର୍ଷରୁ ଏହି ମେଡିକାଲରେ ପାଠପଢିବା ପାଇଁ ଶହେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଏହି ମେଡିକାଲ କଲେଜ ଦ୍ୱାରା କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଆଖପାଖ ଅଂଚଳରେ ଲୋକଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ମିଳିପାରିବ । ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ପରେ ଆଜିଠାରୁ ହିଁ ମେଡିକାଲ କଲେଜରେ ପାଠପଢା ଆରମ୍ଭ ହୋଇଛି ।

କୋରାପୁଟରେ ମେଡିକାଲ କଲେଜ ନିର୍ମାଣ ପାଇଁ ସରକାର ୧୯୨. ୧୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୫ରେ ଏହି କଲେଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ମେଡିକାଲ କଲେଜକୁ ସମ୍ପୂର୍ଣ୍ଣ ହେବାକୁ ଦୁଇବର୍ଷ ଲାଗିଥିଲା । ଏହି ମେଡିକାଲରେ ଅତ୍ୟାଧୁନିକ ଯନ୍ତ୍ରପାତି ପାଇଁ ମଧ୍ୟ ଚଳିତବର୍ଷ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏବେ ସୁଦ୍ଧା ମେଡିକାଲ କଲେଜରେ ୨୨ଜଣ ପ୍ରଫେସର ଓ ୨୮ ଜଣେ ସହେଯାଗ ପ୍ରଫେସର ନିଯୁକ୍ତି ପାଇଛନ୍ତି । ତେଣୁ ପାଠପଢାରେ କୌଣସି ସମସ୍ୟା ହେବ ନାହିଁ ବୋଲି ଆଶା କରାଯାଉଛି ।

ତେବେ ଏହି ମେଡିକାଲ କଲେଜକୁ ନେଇ ଆରମ୍ଭ ହୋଇଛି ରାଜନୀତି । କୋରାପୁଟରେ ଶହୀଦ ଲକ୍ଷଣ ନାୟକ ମେଡିକାଲ କଲେଜ ଲୋକାର୍ପଣ ପୂର୍ବରୁ କଂଗ୍ରେସର ୪ ବିଧାୟକ ଅଟକ ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି, କୃଷ୍ଣଚନ୍ଦ୍ର ସଗରିଆ, ଚନ୍ଦ୍ରଶେଖର ମାଝୀ ଓ କୈଳାସ କୁଲେସିକାଙ୍କୁ ଅଟକ ରଖିଛି ପୋଲିସ । ଏମାନଙ୍କ ସହ ଶତାଧିକ କର୍ମୀ ମଧ୍ୟ ଟାଉନ ଥାନାରେ ଅଟକ ଅଛନ୍ତି ।