ବଢିଲା ଓକିଲ-ପୋଲିସ ବିବାଦ : କନେଷ୍ଟବଲଙ୍କୁ ଆକ୍ରମଣର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ପୁଲିସ ମହାସଂଘ

149

କନକ ବ୍ୟୁରୋ : ଖାକି ବନାମ କଳାକୋଟ । ଆଇନଜୀବୀ ଓ ପୁଲିସ ବିବାଦ ଦିନକୁ ଦିନ ଅଧିକ ବିବାଦୀୟ ହେବାରେ ଲାଗିଛି । ଆଇନଜୀବୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ କରି ଦୀର୍ଘ ୨ମାସରୁ ଉର୍ଦ୍ଧ୍ୱ ହେବ ଓଳିଲମାନେ ଆନ୍ଦୋଳନ ଚଳାଇଆସୁଥିବାବେଳେ ପୁଲିସକୁ ମାଡ ମରାଯିବା ଅଭିଯୋଗ କରି ଆନ୍ଦୋଳନର ଚେତାବନୀ ଦେଇଛି ପୋଲିସ-ସିପାହୀ ମହାସଂଘ । ସରକାରଙ୍କୁ ଡେଡ଼ଲାଇନ ଦେବା ସହ ହାଇକୋର୍ଟ ଭିତରେ୍ ପୋଲିସକୁ ମାଡ ମରାଯାଉଥିବାର ଭିଡିଓ ଜାରି କରିଛି ସଂଘ । ଏହି ଭିଡିଓ ଅସହାୟ ହୋଇ ହାତ ଯୋଡିଛନ୍ତି ପୋଲିସ କନେଷ୍ଟବଳ । ତଥାପି ମାଡରୁ ତ୍ରାହି ମିଳିନଥିଲା । ଏପରି ଅଭିଯୋଗ ଆଣିଛିି ପୋଲିସ ସଂଘ ।

ଭିଡିଓରେ ରହିଛି ଓକିଲଙ୍କ ଜୁଲମର କାହାଣୀ । ସାଧା ପୋଷାକରେ ଡ୍ୟୁଟିରେ ଥିବା ସଂପୃକ୍ତ ପୋଲିସକୁ ଗୋଟିଏ ରୁମରେ ବନ୍ଦ କରି ରଖାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଗତ ୨୯ ତାରିଖ ଦିନ ପୋଲିସକୁ କିପରି ଘୋଷାଡି ଘୋଷାଡି ମାଡ଼ ମରା ଯାଇଥିଲା, ତା’ର ସିସିଟିଭି ଫୁଟେଜ୍ ଜାରି କରିଛି ହାବିଲଦାର କନେଷ୍ଟବଳ ମହାସଂଘ । ହାଇକୋର୍ଟ ପରିସରରେ କନେଷ୍ଟବଳଙ୍କୁ ମାଡ ଘଟଣାରେ ମହାସଂଘ ଡେଡ୍ ଲାଇନ ଦେଇଛି । ପ୍ରେସ କନଫରେନ୍ସ କରି ମହାସଂଘ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ୪୮ ଘଂଟାର ମହଲତ ଦେଇଛନ୍ତି ।

ହାଇକୋର୍ଟରେ କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ୧୯ଜଣ ଓକିଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ଦାବି କରିଛି । ୪୮ ଘଂଟା ଭିତରେ କାର୍ଯ୍ୟାନୁଷ୍ଠାନ ନନେଲେ ସଂଘ ବିକଳ୍ପ ରାସ୍ତା ଦେଖିବ ବୋଲି କହିଛନ୍ତି ହାବିଲଦାର-କନେଷ୍ଟବଳ ସଂଘର ସଭାପତି ।

ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ ନିଲମ୍ବନ ହୋଇଥିବା ୩ଜଣ କନେଷ୍ଟବଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର, ହାଇକୋର୍ଟ ପରିସରରେ ପୁଲିସ୍ କନେଷ୍ଟବଳଙ୍କୁ ଆକ୍ରମଣ କରିଥିିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ ତାରିଖ ଦିନ ଥାନାରୁ ଛାଡି ଦେଇଥିବାରୁ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମହାସଂଘ । ୪୮ ଘଂଟା ଭିତରେ ସେମାନଙ୍କର ଦାବି ପୂରଣ ନହେଲେ ନଭେମ୍ବର ୪ତାରିଖରୁ ୬୦ହଜାର ପୁଲିସ କର୍ମଚାରୀ ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଘୋଷଣା କରିଛି ।