‘ନୋ କୋର୍ଟ ନୋ ହିଅରିଂ’ ପ୍ରତ୍ୟାହୃତ ! ଆନ୍ଦୋଳନରୁ ଓହରିଲେ ପଶ୍ଚିମ ଓଡିଶା ଓକିଲ, ଆଜିଠାରୁ ସ୍ୱାଭାବିକ ହେବ କୋର୍ଟ କାର୍ଯ୍ୟ

252

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ମାନ ଜଣାଇ ପଶ୍ଚିମ ଓଡ଼ିଶାରେ ଚାଲିଥିବା ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସର୍ତ୍ତମୂଳକ ପ୍ରତ୍ୟାହାର କରାଯାଇଛି ବୋଲି ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ପକ୍ଷରୁ କୁହାଯାଇଛି। ଗତକାଲି କମିଟି ପକ୍ଷରୁ ଅନୁଷ୍ଠିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସିଏସି ଆବାହକ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସମ୍ମାନ ଜଣାଇ ବନ୍ଦ ରହିଥିବା କୋର୍ଟ କାର୍ଯ୍ୟକୁ ସ୍ବାଭାବିକ କରିବାକୁ ଆମେ ସର୍ବସମ୍ମତ ନିଷ୍ପତ୍ତି ନେଇଛୁ। ‘ନୋ କୋର୍ଟ ନୋ ହିଅରିଂ ଆନ୍ଦୋଳନ ବର୍ତ୍ତମାନ ପାଇଁ ପ୍ରତ୍ୟାହୃତ ହୋଇଛି। ସୋମବାର ଅର୍ଥାତ୍ ଆଜିଠାରୁ ସିଏସି ଅନ୍ତର୍ଗତ ସମସ୍ତ ଓକିଲ ସଂଘର ସଦସ୍ୟମାନେ ଅଦାଲତ କାର୍ଯ୍ୟରେ ଭାଗ ନେବେ ଓ ଶୁଣାଣି ସ୍ବାଭାବିକ ଭାବେ ଚାଲିବ ବୋଲି କୁହାଯାଇଛି ।

ଏଥିସହ ସୁପ୍ରିମ୍ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ଖଣ୍ଡପୀଠ ସ୍ଥାପନ କରିବା ପାଇଁ ସମସ୍ତ ସାମ୍ବିଧାନିକ ସଂସ୍ଥା ଓ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପଦକ୍ଷେପ ନେବାକୁ ସିଏସି ପକ୍ଷରୁ ପ୍ରାର୍ଥନା କରାଯାଇଛି। ଅଦାଲତ କାର୍ଯ୍ୟ ସ୍ବାଭାବିକ ହେବା ପରେ ଏ ସଂପର୍କରେ ବିଚାର କରାଯାଇ ପାରିବ ବୋଲି ସୁପ୍ରିମ୍ କୋର୍ଟ ଆଶ୍ବାସନା ଦେଇଛନ୍ତି। ସୁପ୍ରିମ୍ କୋର୍ଟ ସତ୍ୟପାଠକୁ ବିଚାର ପାଇଁ ଗ୍ରହଣ କରିବା ସହ ମାର୍ଚ୍ଚ ୨୩ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ଧାର୍ୟ୍ୟ କରିଛନ୍ତି। ତେଣୁ ଏହାକୁ ସମ୍ମାନ ଜଣାଇ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅପେକ୍ଷା ନକରି ଉଚ୍ଚ ନ୍ୟାୟାଳୟ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ତୁରନ୍ତ ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସିଏସି ପକ୍ଷରୁ ଆହ୍ବାନ କରାଯାଇଛି।

ଶେଷ ତିନି ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ ବି ପ୍ରତ୍ୟାହୃତ। ବର୍ତ୍ତମାନ ପାଇଁ ଅଦାଲତ କାର୍ଯ୍ୟ ସ୍ବାଭାବିକ କରିବାକୁ ସିଏସି ନିଷ୍ପତ୍ତି ନେଇଥିବାରୁ ସମାନ୍ତରାଳ ଭାବେ ଚାଲିଥିବା ଶେଷ ତିନି ଦିନ କାର୍ଯ୍ୟ ବନ୍ଦ ଆନ୍ଦୋଳନ ମଧ୍ୟ ସ୍ଥଗିତ ରହିବ ବୋଲି ସମ୍ବଲପୁର ନାଗରିକ କମିଟି ଆବାହକ ଭାଗବତ ପ୍ରସାଦ ନନ୍ଦ ଏବଂ ପ୍ରଫୁଲ୍ଲ ହୋତା ସୂଚନା ଦେଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ନାଗରିକ କମିଟିର ପ୍ରତିବଦ୍ଧତା ଅତୁଟ ରହିଛି ଓ ଭବିଷ୍ୟତରେ ହେବାକୁ ଥିବା ଏ ସଂକ୍ରାନ୍ତ ସବୁ ପ୍ରକାର କାର୍ଯ୍ୟକ୍ରମ ବା ଆନ୍ଦୋଳନରେ ସମ୍ବଲପୁରବାସୀଙ୍କ ସକ୍ରିୟ ଭାଗୀଦାରି ରହିବ ବୋଲି କୁହାଯାଇଛି ।