ପୁଲିସ-ଆଇନଜୀବୀ ବିବାଦରେ ନୂଆ ମୋଡ: ଆନ୍ଦୋଳନର ୭୨ ଦିନ ପରେ ଦୁଃଖ ପ୍ରକାଶ କଲେ ଉଭୟ ଓକିଲ ଓ ପୁଲିସ

କୋର୍ଟରେ ଉଭୟ କଲେ ଅନୁତାପ

319

କନକ ବ୍ୟୁରୋ: ପୁଲିସ ଓ ଆଇନଜୀବୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଏକ ନୂଆ ମୋଡ ନେଇଛି ।  ଆଜି ଜଷ୍ଟିସ ଚିତରଂଜନ ଦାସଙ୍କ କୋର୍ଟରେ ଉଭୟ ଓକିଲ ଏବଂ ପୁଲିସ ପକ୍ଷରୁ ଦୁଃଖ ପ୍ରକାଶ କରିଛନ୍ତି । ଦୁଇଟି ପୃଥକ ପୃଥକ ଘଟଣାରେ ଉଭୟ ପକ୍ଷରୁ ଏହି ଘଟଣାକୁ ନେଇ ଅନୁତାପ କରାଯାଇଛି । ଅଗଷ୍ଟ ୨୮ ତାରିଖ ନୂଆବଜାର ଆଇନଜୀବୀଙ୍କୁ ମାଡ଼ ମାରିଥିବା ୩ ଜଣ ପୁଲିସ କର୍ମଚାରୀ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ଦୁଃଖ ପ୍ରକାଶ କରିଛନ୍ତି ।

ସେହିପରି ଅକ୍ଟୋବର ୨୯ ତାରିଖ ଆଡଭୋକେଟ୍ ଜେନେରାଲଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଭ୍କୁ ମାଡ଼ ଘଟଣାରେ ଆଇନଜୀବୀ ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ଘଟଣାର ପୁନରାବୃତି ନ ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୭ ଦିନ ଭିତରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣା ପରେ ଆଇନଜୀବୀଙ୍କ ଆନ୍ଦୋଳନର ସମାଧାନ ପାଇଁ ବାଟ ଫିଟିଛି । ଅନ୍ୟପଟେ ଆଜି ହାଇକୋର୍ଟ ବାର ଆସୋସିଏନର ବୈଠକ ବସୁଛି । ଆଶା କରାଯାଉଛି ଏଥିରେ କିଛି ଚୂଡାନ୍ତ ନିଷ୍ପତି ଆସିବ । ପୂର୍ବରୁ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ସକରାତ୍ମକ ଆଲୋଚନା ହୋଇଥିଲା । ଆଉ ଆନ୍ଦୋଳନ ବନ୍ଦ ପାଇଁ ଏକ ପ୍ରକାର ପ୍ରତିଶ୍ରୁତି ଦେଇଥିଲେ ଉଭୟ ପକ୍ଷ । ତେଣୁ ଆଜିର ଏହି ବୈଠକରେ ଏନେଇ ଏକ ଚୁଡାନ୍ତ ନିଷ୍ପତି ଆସିବାର ସଂଭାବନା ରହିଛି ।